ବିଶ୍ବବିଜେତା ହେଲେ, କିନ୍ତୁ ମିଳିଲା ନାହିଁ ପୁରସ୍କାର ଟଙ୍କା! ଟ୍ରଫି ହାତକୁ ଆସିଲା ହେଲେ ଆସିଲା ନାହିଁ ପ୍ରାଇଜ୍ ମନି! U19 ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ୍ ଟିମ୍କୁ ଖାଲି ହାତରେ ପଠାଇ ଦେଇଥିଲା ICC, ଏବେ ଟଙ୍କା ବର୍ଷା କରି ମାଲାମାଲ କରିଦେବ ବିସିସିଆଇ ! ଏ ଐତିହାସିକ ବିଜୟ ପରେ ଭାରତୀୟ ଟିମ୍ ପାଇଁ ନିଜର ତିଜୋରୀ ଖୋଲି ଦେଇଛି ବିସିସିଆଇ । BCCI ପକ୍ଷରୁ ଭାରତୀୟ ଟିମ୍ ପାଇଁ ଘୋଷଣା କରାଯାଇଛି ୭.୫ କୋଟିର ପୁରସ୍କାର ରାଶି । ଭାରତୀୟ ଟିମ ସହ କାହିଁକି ହେଲା ଏମିତି ଅନ୍ୟାୟ କଲା ଆଇସିସି? କାହିଁକି ବିସିସିଆଇ ନିଜ ତିଜୋରୀ ଖାଲି କରି କ୍ରିକେଟ ଟିମକୁ କରୁଛି ପୁରସ୍କୃତ? ଆଜି ଆମେ ଆପଣଙ୍କୁ ଏ ତମାମ ପ୍ରଶ୍ନର ଉତ୍ତର ଜଣାଇବୁ ।
ତା ପୂର୍ବରୁ, ପୂରା କ୍ରିକେଟ ପ୍ରେମୀଙ୍କୁ ଅଭିନନ୍ଦନ ଯେ, ଆମ ଭାରତ ଷଷ୍ଠଥର ପାଇଁ U19 କ୍ରିକେଟ୍ ବିଶ୍ୱକପ୍ ବିଜୟୀ ହୋଇଛି । ଶୁକ୍ରବାର ଖେଳାଯାଇଥିବା ଏହି ଐତିହାସିକ ମ୍ୟାଚ୍ରେ ଭାରତୀୟ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ 30 ଚୌକା ସହିତ 175 ରନର ଏକ ସ୍ମରଣୀୟ ଇନିଂସ ସହାୟତାରେ ଭାରତ 9 ୱିକେଟ୍ ହରାଇ 411 ରନ କରିଥିଲା। ଜବାବରେ, ଇଂରାଜୀ ଦଳ 40.2 ଓଭରରେ 311 ରନରେ ସୀମିତ ରହିଥିଲା। ସୂର୍ଯ୍ୟବଂଶୀ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ଭାରତୀୟ ଟିମ୍କୁ ବିଶ୍ବକପ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାକୁ ପ୍ରାଇଜ୍ ମନି ପ୍ରଦାନ କରାଯାଇ ନ ଥିଲା । ଏହି ବିଷୟ ସହତ ଅବଗତ ନ ଥିବା ଲୋକେ ଭାବୁଥିବେ ଯେ ଏହା ପଛରେ କୌଣସି ଚକ୍ରାନ୍ତ ରହିଛି । ନା ସେମିତି କିଛି ନାହିଁ, ବରଂ ରହିଛି ଏକ ବିଶେଷ କାରଣ । କଣ ସେ କାରଣ ପ୍ରଥମେ ଜାଣିନିଅନ୍ତୁ ପରେ ବିସିସିଆଇର ପକ୍ଷରୁ ଘୋଷିତ ଅର୍ଥ ରାଶି କିଏ ପାଇବେ ଏବଂ କାହାକୁ କେତେ ଟଙ୍କା ମିଳିବ ତାହ ଉପରେ ନଜର ପକାଇବା…
କାହିଁକି ସେମାନେ ICC ଠାରୁ ପୁରସ୍କାର ଟଙ୍କା ପାଉନାହାଁନ୍ତି?
19 ବର୍ଷରୁ କମ୍ ବିଶ୍ୱକପ୍ରେ ପ୍ରଭାବଶାଳୀ ବିଜୟ ସତ୍ତ୍ୱେ, ଭାରତୀୟ ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଠାରୁ କୌଣସି ନଗଦ ପୁରସ୍କାର ରାଶି ପାଇନାହାଁନ୍ତି। ଏହା ପଛରେ କାରଣ ହେଉଛି ଏମିତି କିଛି ପୁରସ୍କାର ରାଶି ଏହି ଟୁର୍ଣ୍ଣାମେଣ୍ଟ ପାଇଁ କେବେବି ନ ଥିଲା । କାରଣ ICC 19 ବର୍ଷରୁ କମ୍ ବିଶ୍ୱକପ୍କୁ ଏକ ବାଣିଜ୍ୟିକ ପ୍ରତିଯୋଗିତା ପରିବର୍ତ୍ତେ ଏକ ‘ବିକାଶମୂଳକ ଟୁର୍ଣ୍ଣାମେଣ୍ଟ’ ଭାବରେ ଦେଖେ। ଯୁବ ଖେଳାଳିମାନଙ୍କୁ ଏକ ଅନ୍ତର୍ଜାତୀୟ ପ୍ଲାଟଫର୍ମ ପ୍ରଦାନ କରିବା ଏବଂ ସେମାନଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏହାର ପ୍ରାଥମିକ ଉଦ୍ଦେଶ୍ୟ । ଏହା ସହିତ, ICC, ଏହାର ପ୍ରଶାସକ ସଂସ୍ଥା ମାଧ୍ୟମରେ, ପୂର୍ବରୁ ସଦସ୍ୟ ଦେଶଗୁଡ଼ିକୁ ଏହାର ‘ବିକାଶ କାର୍ଯ୍ୟକ୍ରମ’ ଅଧୀନରେ ପାଣ୍ଠି ପ୍ରଦାନ କରିଥାଏ। ତେଣୁ, ଟୁର୍ଣ୍ଣାମେଣ୍ଟ ଶେଷରେ ବିଜେତା କିମ୍ବା ଉପବିଜେତାଙ୍କ ପାଇଁ କୌଣସି ପୃଥକ ପୁରସ୍କାର ରାଶି ଘୋଷଣା କରାଯାଏ ନାହିଁ।
ଏବେ U19 କ୍ରିକେଟ୍ ବିଶ୍ୱକପ୍ ବିଜୟୀ ଭାରତୀୟ ଟିମକୁ ବିସିସିଆଇ ଦେବ ୭.୫ କୋଟିର ପୁରସ୍କାର । କାରଣ ଜୁନିଅର ଦଳଗୁଡ଼ିକର ବିଶ୍ୱସ୍ତରୀୟ ସଫଳତାକୁ ପୁରସ୍କାର କରିବାର ପରମ୍ପରା ପାଳିଆସିଛି ବିସିସିଆଇ ।
ଏଥର ବି 19 ବର୍ଷରୁ କମ୍ ବିଶ୍ୱକପ୍ ବିଜୟୀ ଭାରତୀୟ ଟିମ୍ ଉପରେ ପୁରସ୍କାର ବର୍ଷା କରିବ ବିସିସିଆଇ । ବିଜୟୀ ଟିମ୍ ପାଇଁ ବଡ଼ ଆକାରର ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଓ୍ବିନିଂ ଟିମ୍ ପାଇଁ ୭.୫ କୋଟିର ପୁରସ୍କାର ରାଷି ଘୋଷଣା କରିଛି ବିସିସିଆଇ । ଖେଳାଳିଙ୍କ ସମେତ ପ୍ରଶିକ୍ଷକ, ସହାୟକ କର୍ମଚାରୀ ଏବଂ ଜୁନିଅର କ୍ରିକେଟ ନଗଦ ପୁରସ୍କାର ରାଶି ପାଇବେ ବୋଲି ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି । ଏହି ଟଙ୍କା ଟିମ୍ର ପ୍ରତ୍ୟେକ ଖେଳାଳୀଙ୍କ ସହିତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ଯାତ୍ରା ଏବଂ ଫାଇନାଲରେ ସେମାନଙ୍କର ଦୃଢ଼ ପ୍ରଦର୍ଶନ ପାଇଁ ବୋର୍ଡ ଏବଂ ସମଗ୍ର ଦେଶ ଖେଳାଳିମାନଙ୍କ ଉପରେ ଗର୍ବିତ ବୋଲି ଦେବଜିତ ସାଇକିଆ କହିଛନ୍ତି ।