
ଥଣ୍ଡାରେ ଥରୁଛି ମରୁଭୂମିର ରାଜ୍ୟ ରାଜସ୍ଥାନ ! ମାଇନସ୍ ଡିଗ୍ରୀରେ ରାଜସ୍ଥାନର ପାରା ! ସୂର୍ଯ୍ୟତାପରେ ଆଉଟୁପାଉଟ ହେଉଥିବା ରାଜସ୍ଥାନରେ ଏଥର ପଡିଛି ହାଡଭଙ୍ଗା ଜାଡ଼ । ବରଫ ପାଲଟି ଯାଉଛି ପାଣି । ତା ସାଙ୍ଗେ ପୁଣି ଦାଉ ସାଧୁଛି କୁହୁଡି । ଚକିତ କରୁଛି ମରୁଭୂମିର ରାଜ୍ୟ ରାଜସ୍ଥାନର ଚିତ୍ର । ଗତ ରବିବାରଠାରୁ ଶୂନ୍ୟ ଡିଗ୍ରୀ ଅତିକ୍ରମ କରିଛି ରାଜସ୍ଥାନର ଅନେକ ଅଞ୍ଚଳର ତାପମାତ୍ରା । ଫତେପୁର ସବୁଠାରୁ ବେଶୀ ପ୍ରଭାବିତ । -୧.୯ ଡିଗ୍ରୀ ଛୁଇଁଲା ତାପମାତ୍ରା । ଲୋକେ ହନ୍ତସନ୍ତ । ଜନଜୀବନ ଅସ୍ତବ୍ୟସ୍ତ । ବଢିଲା ଫସଲ ହାନିର ଆଶଙ୍କା ।

କାହିଁକି ଶୀତରେ ଥରୁଛି ମରୁଭୂମିର ରାଜ୍ୟ ରାଜସ୍ଥାନ? ବାସ୍ତବରେ ଏଥିପାଇଁ ହିମାଳୟ ଦାୟୀ । ହଁ ଆଜ୍ଞା ଠିକ୍ ଶୁଣିଲେ । ହିମାଳୟ କ୍ଷେତ୍ରରୁ ଆସୁଥିବା ହିମପ୍ରବାହ କାରଣରୁ ସମତଳ ଅଞ୍ଚଳରେ ଶୀତପ୍ରବାହ ଜାରି ରହିଛି । ମୁହଁକୁ ମୁହଁ ଦେଖାଯାଉ ନ ଥିବା ଭଳି ଘନ କୁହୁଡ଼ି ସାଙ୍ଗକୁ ଅନ୍ତ ଥରାଇ ଦେଉଥିବା ଭଳି ଶୀତ । ରାଜସ୍ଥାନର ଭଳି ଉଷ୍ମ ରାଜ୍ୟର ଅନେକ ଅଞ୍ଚଳରେ ପାଣିକୁ ବରଫ ପାଳଟିଯାଉଛି । ପ୍ରବଳ ହିମପ୍ରବାହ ଜରି ଥିବାରୁ ଆଗକୁ ସ୍ଥିତି ହେବ ବେହାଲ ।