ଗ୍ଲୋବାଲ ପଲିଟିକ୍ସରେ ବିଗ୍ ସିଗନାଲ!” ଭିକ୍ଟ୍ରି ଡେ ପରେଡରେ ସମ୍ମୁଖକୁ ଆସିଲା ନୂଆ ପାଓ୍ବାର ବ୍ଲକ । ଚୀନ୍ ମାଟିରେ ନୂଆ ସୃଷ୍ଟି ହେଲା ନୂଆ ସମୀକରଣ । ଏସିଆ ଭୂଖଣ୍ଡରେ ପଡିଲା ପାଶ୍ଚତ୍ୟ ବିରୋଧୀ ମେଣ୍ଟର ଭିତ୍ତିପ୍ରସ୍ତର! ଆତ୍ମପ୍ରକାଶ କଲା “ଗ୍ଲୋବର ପଲିଟିକ୍ସର ନୂଆ ଗେମ୍ଚେଞ୍ଜର ! ”ଚୀନ, ରୁଷ ଓ ଉତ୍ତର କୋରିଆ ଏକଜୁଟ । ହାତ ମିଳାଇଲେ ଜିନପିଙ୍ଗ, ପୁଟିନ, କିମ । ବଢିଲା ଆମେରିକାର ଚିନ୍ତା । ଆଗକୁ ଇଷ୍ଟ vs ଓ୍ବେଷ୍ଟ କ୍ଷମତା ଯୁଦ୍ଧ !
ଏସସିଓ ସମ୍ମିଳନୀ ପରେ ଚୀନର ଭିକ୍ଟ୍ରି ଡେ’ ପରେଡରୁ ଯେଉଁ ଦୃଶ୍ୟ ସମ୍ମୁଖକୁ ଆସିଛି, ତାହା ଅନେକାଂଶରେ ଆମେରିକାର ମୁଣ୍ଡ ବ୍ୟଥା ବୃଦ୍ଧି କରିଦେଇଛି । କାରଣ ପ୍ରଥମଥର ପାଇଁ ଖୋଲାଖୋଲି ଭାବେ ବୈଶ୍ବିକ ଦୃଶ୍ୟପଟ୍ଟରେ ଏହି ତିନି ମହାଶକ୍ତି ଏକତ୍ର ସମ୍ମୁଖକୁ ଆସିଛନ୍ତି । ଆଉ ଏହି ବିରଳ ସମୀକରଣ ତଥା ମେଣ୍ଟ ସୃଷ୍ଟି କରିବାର ସମସ୍ତ ଶ୍ରେୟ ଯାଉଛି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ । ବିଶ୍ବ ଶକ୍ତି ହେବାର ନିରନ୍ତର ଉଦ୍ୟମରେ ଥିବା ଜିନପିଙ୍ଗ, ଉଭୟ ପୁଟିନ ଓ କିମ୍ଙ୍କୁ ଏକଜୁଟ କରି ସାରା ବିଶ୍ବକୁ ଦେଇଛନ୍ତି ଅନେକ ସ୍ପଷ୍ଟ ବାର୍ତ୍ତା ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ପରାଜୟର 80ତମ ବାର୍ଷିକୀ ଉପଲକ୍ଷେ ଏହି ପରେଡ୍ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏହାର ସମସାମୟିକ ବାର୍ତ୍ତା ସ୍ପଷ୍ଟ ଥିଲା। ଏଠାରେ ପ୍ରଥମ ଥର ପାଇଁ ଜିନପିଙ୍ଗ, ପୁଟିନ୍ ଏବଂ କିମ୍ ସାର୍ବଜନୀନ ଭାବରେ ଏକାଠି ଦେଖାଯାଇଥିଲା, ଏଥିରେ ଆମେରିକା ଦ୍ବାରା କଡା କଟକଣାର ସମ୍ମୁଖୀନ ହେଉଥିବା ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ୍ ଏବଂ ମିଆଁମାରର ସାମରିକ ମୁଖ୍ୟ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ ମଧ୍ୟ ଯୋଗ ଦେଇଥିଲେ । ତେବେ ଏ ଦୃଶ୍ୟ ଆମେରିକା ଛାତିରେ କମ୍ପନ ସୃଷ୍ଟିକାରୀ ଅଟେ । କାରଣ“ପ୍ରଥମତଃ, ଏହା ପାଶ୍ଚତ୍ୟ ଦେଶଗୁଡିକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଚୀନ, ରୁଷ ଓ ଉତ୍ତର କୋରିଆ ଏବେ ଏକ ସାଧାରଣ ମେଣ୍ଟ ସୃଷ୍ଟି କରିଛନ୍ତି, ଯାହାକି NATO, Quad କିମ୍ବା G7 ପରି ମେଣ୍ଟ ପାଇଁ, ଏକ କାଉଣ୍ଟର ବାଲାନ୍ସ ସଦୃଶ । ଅର୍ଥାତ ଆମେରିକା ନିଜ ନେତୃତ୍ବରେ ପାଶ୍ଚାତ୍ୟ ଦେଶଗୁଡିକୁ ନେଇ ମେଣ୍ଟ ଗଠନ କରି ବୈଶ୍ବିକ ସମର୍ଥନ ଓ ନେତୃତ୍ବ ନିଜ ସପକ୍ଷରେ ଯେ କରି ନେଇଛି ତାହା ନୁହେଁ, ବରଂ ବିଶ୍ବର ଅନ୍ୟପ୍ରାନ୍ତରେ ଏହି ସବୁ ମେଣ୍ଟ ସମକକ୍ଷ କାଉଣ୍ଟର ମେଣ୍ଟ ମଧ୍ୟ ସୃଷ୍ଟି ହୋଇସାରିଛି । ବିଶେଷକରି ଚୀନ୍ ପଶ୍ଚିମ-ପ୍ରଧାନ ଶୃଙ୍ଖଳ ବାହାରେ ସକ୍ରିୟ ଭାବରେ ବୈଶ୍ବିକ ସମ୍ପର୍କକୁ ପ୍ରୋତ୍ସାହିତ କରୁଛି।
“ଭିକ୍ଟ୍ରି ଡେ ପରେଡ’’ ସାଧାରଣତଃ ସାମରିକ ପ୍ରଦର୍ଶନର ମଞ୍ଚ। ଚୀନ ମଧ୍ୟ ଅନୂରୂପ ଭାବେ ଏଥରର ଭିକ୍ଟ୍ରି ଡେ ପରେଡରେ ନିଜ ସାମରିକ ଶକ୍ତିର ଭରପୂର ପ୍ରଦର୍ଶନ କରିଛି । ପୂରା ବିଶ୍ବ ସମ୍ମୁଖରେ ଏହା ପରମାଣୁ ସାମର୍ଥ୍ୟର ପ୍ରଦର୍ଶନ କରିଛି । ଚୀନ ରାଜରାସ୍ତାରେ ପିଏଲଏର ହୁଙ୍କାର ଆମେରିକା ଛାତିରେ ନିଶ୍ଚିତ ଭାବେ କମ୍ପନ ସୃଷ୍ଟି କରିଥିବ । କାରଣ ଚୀନର ସାମରିକ ଶକ୍ତି ପ୍ରଦର୍ଶନ ବେଳେ ଉଭୟ ରୁଷ ଓ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ ଉପସ୍ଥିତ ରହି ସାରା ବିଶ୍ୱକୁ ଚେତାଇ ଦେଇଛନ୍ତି ଯେ,
ଆମେ କେବଳ ଶକ୍ତିଶାଳୀ ସାମରିକ ଶକ୍ତି ନୁହେଁ, ବରଂ କୂଟନୈତିକ ଭାବେ ମଧ୍ୟ ଏକଜୁଟ।’ ଦ୍ୱିତୀୟରେ, ଏହି ଚର୍ଚ୍ଚିତ ତ୍ରିକୋଣୀୟ ସମ୍ବନ୍ଧରୁ ନୂଆ କ୍ଷମତା କେନ୍ଦ୍ର ବା ପାଓ୍ବାର ବ୍ଳକର ସଙ୍କେତ ମଧ୍ୟ ମିଳୁଛି।ଶୀତଳ ଯୁଦ୍ଧ ସମୟରେ ଆମେରିକା ବନାମ ସୋଭିଏତ ୟୁନିଅନ ବ୍ଲକ ଥିଲା । ଆଜି, ଚୀନ-ରୁଷ-ଉତ୍ତର କୋରିଆ ବ୍ଳକ ଧୀରେ ଧୀରେ ମଜବୁତ ଭାବେ ଉଭା ହେଉଛି ।
ତୃତୀୟ ତଥା ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଏହି ତିନି ନେତାଙ୍କ ଭାବମୂର୍ତ୍ତି ନିର୍ମାଣ। ଆମେରିକାକୁ ଅହରହ ଆହ୍ବାନ ଦେବା ଭଳି ପଦକ୍ଷେପ ଉଠାଇ ଆସିଥିବା ରୁଷ ଓ ଉତ୍ତର କୋରିଆର ଦୁଇ ନେତାଙ୍କୁ ନିଜର ଦୁଇ ପାର୍ଶ୍ବରେ ଏକାଠି ଛିଡା କରାଇ ଜିନପିଙ୍ଗି ବିଶ୍ବରେ ଚୀନକୁ ଗ୍ଲୋବାଲ ଲିଡର ଭାବେ ପ୍ରକାଶ କରିଛନ୍ତି । ଖାଲି ଏତିକି ନୁହେଁ, ଜିନପିଙ୍ଗଙ୍କ ଆମନ୍ତ୍ରଣ କ୍ରମେ, ଚୀନର ଭିକ୍ଟି ଡେ ପରେଡକୁ ବିଶ୍ବର ୨୫ଟି ପ୍ରମୁଖ ଦେଶର ରାଷ୍ଟ୍ରମୁଖ୍ୟ ତଥା ପ୍ରତିନିଧି ଯୋଗ ଦେଇଛନ୍ତି, ଯାହାକି ଜଣେ ମଜବୁତ ଗ୍ଲୋବାଲ ଲିଡର ଭାବେ ଜିନପିଙ୍ଗଙ୍କ ଭାବମୂର୍ତ୍ତିକୁ ଆହୁରି ସ୍ପଷ୍ଟ କରୁଛି । ଏଥିସହ ପରେଡରେ ଜେଟ୍ ଲଢ଼ୁଆ ଯୁଦ୍ଧ ବିମାନ, ପାଣି ତଳ ଡ୍ରୋନ୍, ଜାହାଜ ପ୍ରତିରୋଧୀ ୟିଙ୍ଗ୍ ଜି କ୍ଷେପଣାସ୍ତ୍ର ଏବଂ DF-26 “ଗୁଆମ୍ କିଲର” ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଭଳି ଶକ୍ତିଶାଳୀ ଅସ୍ତ୍ର ଶସ୍ତ୍ରଗୁଡ଼ିକର ପ୍ରଦର୍ଶନ କରାଯାଇଥିଲା, ଯାହାକି ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଆମେରିକାର କ୍ଷମତାକୁ ଚ୍ୟାଲେଞ୍ଜ କରିବା ଏବଂ ଏହାକୁ ପ୍ରତିରୋଧ କରିବାର ସାମର୍ଥ୍ୟ ରଖୁଥିବା ନେଇ ସଙ୍କେତ ଦେବା ପାଇଁ ଉଦ୍ଦିଷ୍ଟ ଥିଲା।

ଅନ୍ୟପଟେ ଏବେବି ୟୁକ୍ରେନ ଯୁଦ୍ଧ ଲଢୁଥିବା ପୁଟିନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ବକୁ ଦେଖାଇ ଦେଇଛନ୍ତି ଯେ ସେ ଏବଂ ତାଙ୍କ ଦେଶ ଏକୁଟିଆ ନାହାନ୍ତି । ସର୍ବୋପରି ଆମେରିକାର ଧମକ ଓ କଟକଣା ମଧ୍ୟରେ ଉତ୍ତର କୋରିଆ ମୁଖ୍ୟ କିମ୍ଙ୍କୁ ଚୀନରେ ମିଳିଛି ଅନ୍ତର୍ଜାତୀୟ ମଞ୍ଚ ।
ଏ ପୂରା ଘଟଣାର ସାରକଥା ହେଲା, ଭିକ୍ଟରି ଡେ ପରେଡରେ ଜିନପିଙ୍ଗ, ପୁଟିନ ଓ କିମ୍ଙ୍କୁ ,କାଠି ଦେଖାଯିବାର ବାର୍ତ୍ତା ସ୍ପଷ୍ଟ ଯେ, ପାଶ୍ଚାତ୍ୟ ଶକ୍ତିର ବିକଳ୍ପ କ୍ଷମତା କେନ୍ଦ୍ର ସୃଷ୍ଟି ହୋଇସାରିଛି । ଭବିଷ୍ୟତରେ ଏହି ମେଣ୍ଟ କିପରି ବିଶ୍ବ ରାଜନୀତିକୁ ପରିବର୍ତ୍ତନ କରିବ, ତାହାକୁ ନେଇ ବିଶ୍ବ ସ୍ତରରେ ଉତ୍କଣ୍ଠା ବୃଦ୍ଧି ପାଇଛି ।