କୁଆଡେ ଗଲା ବିଜେଡିର ଜିରୋ ଟଲରାନ୍ସ ନୀତି? କେଉଁ ସୁଯୋଗକୁ ଅପେକ୍ଷା କରିଛି ବିଜେଡି? କେଉଁ ମଞ୍ଚର ଅପେକ୍ଷାରେ ରହିଛି ଶଙ୍ଖ ଦଳ? ରାଜ୍ୟ ଆଖିରୁ ଲୁହ ଶୁଖୁ ନଥିବା ବେଳେ କୁଆଡେ ଗଲେ ୪ କୋଟି ଓଡ଼ିଆଙ୍କ ମୁରବୀ?
ମୋହନ ସରକାରଙ୍କୁ ଘେରିବାକୁ ସଡ଼କରେ ଧାଁ ଦପଡ କରୁଥିବା ନବୀନ ସେନା ବିଧାନସଭା ଭିତରେ କାହିଁକି ପଡିଯାଇଛନ୍ତି ଥଣ୍ଡା?
ବଢୁଛି କଂଗ୍ରେସର କାୟା । ଶଙ୍ଖର ଆବସେନ୍ସରେ ହାତର ବାଜିମାତ । ବିରୋଧୀ ଦଳ ଭାବେ ମଜଭୁତ ହେଉଛି କଂଗ୍ରେସ । ନାରୀ ନିର୍ଯାତନାଠୁ ସାର ଅଭାବ, ସବୁ ପ୍ରସଙ୍ଗକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଥିବା ବିଜେଡି, ଅସଲ ଫାଇଟ ବେଳକୁ ଅଙ୍କ କସାରେ ବ୍ୟସ୍ତ । ହିସାବର ମଞ୍ଚ ଖୋଲା ହେବା ବେଳକୁ ଚ୍ୟାମ୍ବରରେ ଷ୍ଟ୍ରାଟେଜୀ ଡିସକସ କରୁଛି ବିଜେଡି । ଅନ୍ତତଃ, ଆଜିର ଦିନରେ ଏହା ହିଁ ଦେଖିବାକୁ ମିଳିଛି ।
ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି । ପୂର୍ବଥର ଭଳି କଂଗ୍ରେସ ଏଥର ମଧ୍ୟ ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରିଛି । ହେଲେ ବିଜେଡିକୁ ନେଇ ଯାହା ଆଶା କରାଯାଉଥିଲା ତାହା ଦେଖିବାକୁ ମିଳିନାହିଁ ।
ରାଜ୍ୟରେ ବୃଦ୍ଧି ପାଇଥିବା ନାରୀ ନିର୍ଯାତନା, ଅରାଜକତା, ଦୁର୍ନୀତି ଭଳି ସାଙ୍ଘାତିକ ପ୍ରଶ୍ନଗୁଡିକୁ ନେଇ ରାଜ୍ୟ ସରକାରଙ୍କୁ ସଡ଼କଠାରୁ ବିଧାନସଭା ସବୁଠି ଘେରା ଯିବ ଏବଂ ଗୋଟି ଗୋଟି କରି ସବୁ ପ୍ରସଙ୍ଗର ଜବାବ ମଗାଯିବ ବୋଲି ବିଜେଡି ପୂର୍ବରୁ ଚିତ୍କାର କରି କହୁଥିଲା ।
କିନ୍ତୁ ବିଧାନସଭା ଆରମ୍ଭ ପୂର୍ବରୁ ରାଜ୍ୟ ବାହାରକୁ ଗସ୍ତ କରିଛନ୍ତି ନବୀନ । ଅବଶ୍ୟ ନବୀନ ସୋସିଆଲ ହ୍ୟାଣ୍ଡେଲରେ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉଠାଇଛନ୍ତି । ଏମିତିକି ଦଳର ୫୦ ବିଧାୟକଙ୍କ ସହିତ ବିଧାନସଭାରେ ଉଠାଇବାକୁ ଥିବା ପ୍ରସଙ୍ଗ ସମ୍ବନ୍ଧରେ ସେ ଭର୍ଚୁଆଲ ଆଲୋଚନା କରିଛନ୍ତି । ମାତ୍ର ବିଧାନସଭା ଅଧିବେଶନର ପ୍ରଥମ ଦିନରେ ହିଁ ଦଳ ସମ୍ପୂର୍ଣ୍ଣ ଥଣ୍ଡା ପଡିଥିବା ଦେଖିବାକୁ ମିଳିଛି । ଆଉ ଦୁଇ ମାଙ୍କଡଙ୍କ କଳି ଭିତରେ ବିଲେଇ ବାଜି ମାରିବା ନ୍ୟାୟରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ସବୁ ଲାଇମଲାଇଟ ମାରିନେଇଛି ।
ଲୋକେ ଭାବିଥିଲେ ଗତ ସାଢେ ୩ ମାସ ଭିତରେ ଯେଭଳି ଭାବେ ଓଡ଼ିଶାରେ ନାରୀ ନିର୍ଯାତନା ବୃଦ୍ଧି ପାଇଛି, ତାହାକୁ ନବିନୀ ଓ ତାଙ୍କ ସେନା ଆଦୌ ବରଦାସ୍ତ କରିବେ ନାହିଁ । ଦଳୀୟ ବିଧାୟକ ସରକାରଙ୍କୁ ସଓ୍ବାଲର ତୀକ୍ଷ୍ଣ ତୀରରେ ଲହୁଲୁହାଣ କରିବେ । ମାତ୍ର ଏମିତି ଲାଗୁଛି ଯେମିତି ବିଜେଡିର ପ୍ରତିବାଦ କେବଳ ରାଜନୈତିକ କ୍ଷେତ୍ରରେ ନିଜର ଉପସ୍ଥିତ ଜାହାରି କରିବା ଭିତରେ ସୀମିତ ରହିଯାଇଛି ।
ଦେଢ ବର୍ଷର ସରକାର ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାର କାରଣ ସୁସ୍ପଷ୍ଟ । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି କ’ଣ ମୋହନ ସରକାର ଏହି ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବେ ଓ ଗୃହରେ ଏହା ଉପରେ ଜବାବ ରଖିବେ । ନା ପୂର୍ବ ଥର ଭଳି ବିରୋଧୀଙ୍କ ପ୍ରସ୍ତାବ ଓ ଦାବିକୁ ଉପେକ୍ଷା କରି ଧରିବେ ବିଧାୟକ ନିଲମ୍ବନ ଓ ବିନା ବିରୋଧୀରେ ବିଧାନସଭା ଚଳାଇବାର ନୀତି?
ଯଦି ଅନାସ୍ଥା ଉପରେ ଆଲୋଚନା ହୁଏ ତେବେ କ’ଣ ହେବ ବିଜେଡିର ଷ୍ଟାଣ୍ଡ? କଂଗ୍ରେସକୁ ସମର୍ଥନ ନା ପୁନର୍ବାର ସମଦୂରତାକୁ ଆପଣାଇବ ବିଜେଡି?