କଟକ: ସମାଜ ସିନା ଏମାନଙ୍କୁ ଆପଣାଇବାକୁ କୁଣ୍ଠାବୋଧ କରେ, ହେଲେ ସବୁ ମଇଳାକୁ ହଟାଇ ସମାଜକୁ ସ୍ବଚ୍ଛ ଓ ସୁସ୍ଥ ରଖିବାରେ ଏମାନେ କେବେବି ନିଜ କର୍ତ୍ତବ୍ୟରେ ହେଳା କରନ୍ତି ନାହିଁ । ପ୍ରତି ଥର ସୂର୍ଯ୍ୟ ଉଇଁଲେ, ଏମାନଙ୍କ ପାଇଁ ଆରମ୍ଭ ହୋଇଯାଏ ଦାୟିତ୍ବ ପୂରଣର ଆଉ ଏକ ନୂଆ ଦିନ । ସହରର ମଳ ପଙ୍କ ପରିଚାଳନା ଏବଂ ପରିବେଶ ସୁରକ୍ଷା ନେଇ ଏମାନେ ଆରମ୍ଭ କରିଦିଅନ୍ତି ଆଉ ଏକ ସଂଘର୍ଷ । ଆମେ କହୁଛୁ କଟକ ମହାନଗର ନିଗମ (ସିଏମସି) ଦ୍ୱାରା ପରିଚାଳିତ ‘ମଳ ପଙ୍କ ପରିଚାଳନା ପ୍ଲାଣ୍ଟ’ (FSTP) ର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ୭ ଜଣ ଟ୍ରାନ୍ସଜେଣ୍ଡରଙ୍କ କାହାଣୀ । ଏହି ପ୍ଲାଣ୍ଟ କେବଳ ଏକ ପରିମଳ ସେବା କେନ୍ଦ୍ର ନୁହେଁ, ବରଂ ଏହା କିଭଳି ଆତ୍ମସମ୍ମାନ, ସମାବେଶୀକରଣ ଏବଂ ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ ହୋଇପାରେ, ତାହାର ଏକ ଉଦାହରଣ ସାଜିଛି।
ମତଗଜପୁରଠାରେ ଅବସ୍ଥିତ ଏହି ପ୍ଲାଣ୍ଟ ବୈଜ୍ଞାନିକ ପଦ୍ଧତିରେ ମଳ ପଙ୍କ ପରିଚାଳନା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ସହିତ ଲୋକାଭିମୁଖୀ ତଥା ସମାବେଶୀ ସହରାଞ୍ଚଳ ଶାସନ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ବେଶ୍ ପ୍ରତିଫଳିତ କରୁଛି। ଏହି ପ୍ରୟାସ ପଛରେ ରହିଛି ଏକ ପ୍ରେରଣାଦାୟୀ କାହାଣୀ । ଓଡ଼ିଶା ସରକାରଙ୍କ ‘ଗରିମା’ ଯୋଜନା ଅଧୀନରେ ଏହି ପ୍ଲାଣ୍ଟ ର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଟ୍ରାନ୍ସଜେଣ୍ଡରଙ୍କୁ ପ୍ରଦାନ କରାଯାଇଛି। ଦିନେ ସାମାଜିକ ବାସନ୍ଦ, କଳଙ୍କ ଏବଂ ଆର୍ଥିକ ଅନଗ୍ରସରତାର ସମ୍ମୁଖୀନ ହେଉଥିବା ଏମାନେ ଆଜି ଅତି ଆତ୍ମବିଶ୍ୱାସ, ବୃତ୍ତିଗତ ଦକ୍ଷତା ଏବଂ ଗର୍ବର ସହ ଏହି ଅତ୍ୟାବଶ୍ୟକ ସହରୀ ସେବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛନ୍ତି।
ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ସୁଶ୍ରୀ ଶୀତଲ ବାସ୍ତିଆ, ସଭାପତି ତନୁଶ୍ରୀ ବେହେରା ଏବଂ ଗୋଷ୍ଠୀର ଅନ୍ୟ ସଦସ୍ୟ ଶିବାନୀ, ପ୍ରୀତମ ସିଂ, ସୁମନ, ଟିକି ଏବଂ ରଞ୍ଜନ କୁମାର ସାହୁ ଏହି ସାତଜଣ ‘ସୁପରହ୍ୟୁମ୍ୟାନ୍’ ହେଉଛନ୍ତି ପ୍ଲାଣ୍ଟ ପରିଚାଳନାର ମୁଖ୍ୟ ସ୍ତମ୍ଭ। ସେମାନେ ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରୁ ସଂଗୃହିତ ମଳ ପଙ୍କର ସଠିକ୍ ଉପଚାର ନିଶ୍ଚିତ କରୁଛନ୍ତି, ଯାହା ସହରର ପରିମଳ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବାରେ ସହାୟକ ହେଉଛି।
ଏହି ପ୍ଲାଣ୍ଟର ଦୈନିକ ୬୦ କେଏଲଡି (KLD) ମଳ ପଙ୍କ ଉପଚାର କରିବାର କ୍ଷମତା ରହିଛି। ଏହା ସହିତ ୧୩ଟି ସେସପୁଲ୍ ଗାଡ଼ି ଓ ସେଥିରେ ନିୟୋଜିତ ତାଲିମପ୍ରାପ୍ତ ଚାଳକ ଏବଂ ହେଲପରଙ୍କ ସହାୟତାରେ କଟକ ସହରର ବିଭିନ୍ନ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରୁ ନିୟମିତ ଭାବେ ମଳ ସଂଗ୍ରହ କରାଯାଉଛି। ପ୍ରତିମାସରେ ଶତାଧିକ ଟ୍ରିପ୍ ମାଧ୍ୟମରେ ସଂଗୃହିତ ପଙ୍କର ବୈଜ୍ଞାନିକ ପଦ୍ଧତିରେ ଉପଚାର କରାଯାଇ ପରିବେଶ ଏବଂ ଜନସ୍ୱାସ୍ଥ୍ୟ ପ୍ରତି ଥିବା ବିପଦକୁ ରୋକାଯାଇ ପାରୁଛି।
ସମାଜର ମୁଖ୍ୟସ୍ରୋତରୁ ଦୂରେଇ ରହିଥିବା ଏହି ଟ୍ରାନ୍ସଜେଣ୍ଡରମାନଙ୍କ ସଫଳ ଯାତ୍ରା ସରକାରଙ୍କ ନୀତିର ପରିଚୟ ଦେଉଛି। ଦିନେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଏହି କିନ୍ନରମାନେ ଆଜି ଏକ ସମ୍ମାନଜନକ ଜୀବିକା ସହିତ ସାମାଜିକ ସ୍ୱୀକୃତି ଲାଭ କରିପାରିଛନ୍ତି।