ନୂଆଦିଲ୍ଲୀ: ବାରମ୍ବାର ନିଜ କନ୍ଭେନ ଉପରେ ହମଲାର ଅଭିଯୋଗ କରୁଥିବା ଅମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କୁ ଲାଗିଛି ଝଟକା। ପଞ୍ଜାବ ପୋଲିସ ତାଙ୍କୁ ପ୍ରଦାନ କରାଯାଇଥିବା ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗୁରୁବାର ପ୍ରତ୍ୟାହାର କରିନେଇଛି। ଦିଲ୍ଲୀ ପୋଲିସ ଏବଂ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ପୋଲିସ ନିୟମିତ ଭାବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂହ ମାନ୍ ଏବଂ କେଜରିଓ୍ବାଲଙ୍କୁ ମିଳୁଥିବା ଧମକ ସମ୍ବନ୍ଧରେ ଏହି ସଂସ୍ଥା ଦ୍ବୟକୁ ସୂଚନା ଦେଇଛି। ଆଗାମୀ ଦିନରେ ମଧ୍ୟ ତାହା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି। କିନ୍ତୁ ଆପ୍ ପକ୍ଷରୁ ଏହି ପଦକ୍ଷେପକୁ ନିନ୍ଦା କରିବା ସହିତ କେଜରିଓ୍ବାଲଙ୍କ ସୁରକ୍ଷା ବ୍ୟବସ୍ଥା ବଳପୂର୍ବକ ପ୍ରତ୍ୟାହାର କରାଯାଇଥିବା ଦଳୀୟ ନେତା ସଞ୍ଜୟ ସିଂହ କହିଛନ୍ତି। ଏଥିସହ କେଜରିଓ୍ବାଲ ଯୋଗଦେଇଥିବା ଏକ ଜନସଭାରେ କିଛି ଦୁର୍ବୃତ୍ତ ଲାଠି ଓ ରଡ୍ ଧରି ଉପସ୍ଥିତ ଥିଲେ ବୋଲି କହିବା ସହିତ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ଉଲ୍ଲେଖ ଯେ ଦିଲ୍ଲୀ ହୀରା ନଗରଠାରେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କର ସମର୍ଥକମାନେ ତାଙ୍କ ଉପରେ ହମଲା କରିଥିବା କେଜରିଓ୍ବାଲ ଅଭିଯୋଗ କରିଥିଲେ। ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ ଏବଂ ୮ରେ ଫଳାଫଳ ପ୍ରକାଶ ପାଇବ।