କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ଓ ନାଗରିକ ମଞ୍ଚ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଆଜି ଅପରାହ୍ନରେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଦକ୍ଷିଣ କୋରିଆର ପ୍ରସିଦ୍ଧ ଇସ୍ପାତ ଶିଳ୍ପ ପୋସ୍କୋ ଏବଂ ଭାରତର ଜେ.ଏସ୍.ଡବ୍ଲ୍ୟୁର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଏହା ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା ।
ଜିଲ୍ଲାରେ ଏହି କାରଖାନା ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶାସନକୁ ଆସିବା ଆଗରୁ ଦାବୀ କରି ଆସୁଥିଲେ । ଏହା ମଧ୍ୟ ଦଳର ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିଲା । କେନ୍ଦୁଝରର ଲୁହାପଥର ବିଦେଶକୁ ରପ୍ତାନୀ ହୋଇ କାମରେ ଆସୁଛି କିନ୍ତୁ ଓଡିଶାରେ ଏହା କାହିଁକି ବ୍ୟବହାର ହୋଇପାରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ ଦାବୀ କରିଆସୁଥିଲେ ଏବଂ ଏଥିପାଇଁ ଲଗାତାର ଉଦ୍ୟମ ଜାରି ରଖିଥିଲେ ।