ଫର୍ମାଟକୁ ଫେରିଲେ ଟ୍ରମ୍ପ! ବିଶ୍ବାସଘାତକତାର ଟ୍ରେଲର ଦେଖାଇବା ପରେ ଏବେ ପୁଣି କହିଲେଣି ବନ୍ଧୁତ୍ବର ଭାଷା । ଗାଜା ସମ୍ମିଳନୀରେ ଦେଖିବାକୁ ମିଳିଛି ଟ୍ରମ୍ପଙ୍କ ଗଜବ ୟୁଟର୍ଣ୍ଣ । ପାକିସ୍ତାନ ପିଏମଙ୍କ ସମ୍ମୁଖରେ ଆମେରିକା ରାଷ୍ଟ୍ରପତି କଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୁରି ପ୍ରଶଂସା । ଟ୍ରମ୍ପ କହିଲେ ମୋଦୀ ଷ୍ଟ୍ରଙ୍ଗ ଲିଡର ଓ ଭାରତ ଭବିଷ୍ୟତର ଶକ୍ତି । ମିଶରରେ ଗାଜା ଶାନ୍ତି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ପଛରେ ଠିଆ ହୋଇଥିବା ସମୟରେ ସେ ମୋଦୀଙ୍କୁ ଜଣେ ଉତ୍ତମ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି।
“ଭାରତ ଏକ ମହାନ ଦେଶ। ଯାହାର ଶୀର୍ଷ ପଦରେ ମୋର ଜଣେ ବହୁତ ଭଲ ବନ୍ଧୁ ଅଛନ୍ତି। ସେ ଖୁବ୍ ଚମତ୍କାର କାମ କରିଛନ୍ତି। ମୁଁ ଭାବୁଛି ଯେ ପାକିସ୍ତାନ ଏବଂ ଭାରତ ଏକାଠି ବହୁତ ଭଲ ଭାବରେ ରହିବେ,” ଟ୍ରମ୍ପ କ୍ୟାମେରା ଚାହିଁ ହସିବା ସହ ସାମ୍ବାଦିକମାନଙ୍କୁ ଏପରି କହିଛନ୍ତି।
କେବଳ ସେତିକି ନୁହେଁ; ସେ ପଛରେ ଛିଡ଼ା ହୋଇଥିବା ଶେହବାଜ୍ଙ୍କ ଆଡ଼କୁ ବୁଲିଯାଇ ଠିକ୍ କହୁଛି ନା? ବୋଲି ପ୍ରଶ୍ନ କରିଥିଲେ। ଏହାକୁ ସମର୍ଥନ ଜଣାଇ ଶେହବାଜ୍ ବି ମୁଣ୍ଡ ହଲାଇ ହଁ କହିଥିଲେ। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେଉଛି।
ଉଲ୍ଲେଖଯୋଗ୍ୟ, ହମାସ ଓ ଇସ୍ରାଏଲ ମଧ୍ୟରେ ପ୍ରାୟ ୨ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଗତକାଲି ଇସ୍ରାଏଲକୁ ଏକ ସ୍ବତନ୍ତ୍ର ଗସ୍ତରେ ଟ୍ରମ୍ପ ଯିବା ସହ ସଂସଦ ନେସେଟ୍ରେ ଉଦ୍ବୋଧନ ଦେଇଛନ୍ତି। ସାଂସଦମାନଙ୍କୁ ଉଦ୍ବୋଧନ ଦେଇ ଟ୍ରମ୍ପ କହିଛନ୍ତି, ଦୀର୍ଘ ଏବଂ ଯନ୍ତ୍ରଣାଦାୟକ ଦୁଃସ୍ବପ୍ନରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମଧ୍ୟପ୍ରାଚ୍ୟରେ ନୂଆ ପ୍ରଭାତର ଏହା ଐତିହାସିକ କ୍ଷଣ ବୋଲି ସେ କହିଛନ୍ତି।
ମୋଦୀଙ୍କ ଭୁୟସୀ ପ୍ରଶଂସା ଶୁଣି କଳା କାଠ ପଡି ଗଲା ଆତଙ୍କବାଦୀଙ୍କ ମସିହା ପାକିସ୍ତାନ ପିଏମଙ୍କ ସୈତାନ ଚେହେରା । ହେଲେ ସବଠୁ ବଡ଼ ପ୍ରଶ୍ନ ବହୁରୂପୀ ଏଣ୍ଡୁଅ ଭଳି କାହିଁକି ହଠାତ ପୁଣି ବଦଳି ଗଲେ ଟ୍ରମ୍ପ ?
ଏହା ପଛରେ ରହିଛି ତିନି ପ୍ରମୁଖ କାରଣ
ପ୍ରଥମେ — ଭାରତ ଗାଜା ମାମଲାରେ ଏକ ସନ୍ତୁଳିତ ଓ ଶାନ୍ତିପୂର୍ଣ୍ଣ ଭୂମିକା ନେଇଛି।
ଦ୍ୱିତୀୟ — ଆର୍ଥିକ ଶକ୍ତି ଭାବରେ ଭାରତ ଆଜି ବିଶ୍ବ ମଞ୍ଚରେ ଉଭା ହୋଇଛି ।
ତୃତୀୟ — ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ନିଜସ୍ୱ ପୁରୁଣା ସମ୍ପର୍କ ରହିଛି, ଯାହାକି ଭାରତ ବିରୋଧରେ ବଡ଼ ଟାରିଫ ଘୋଷଣା ଭିତରେ ମଧ୍ୟ ଟ୍ରମ୍ପ ବାରମ୍ବାର ତାହାକୁ ଦୋହରାଇଛନ୍ତି ।
ଟ୍ରମ୍ପ ଓ ମୋଦୀଙ୍କ ବନ୍ଧୁତ୍ବର ଟ୍ରେନ ପୁଣିଥରେ ଟ୍ରାକକୁ ଫେରିଥିବା ବେଳେ ଶୁଣନ୍ତୁ କେମିତି ଆମେରିକାର ଅନୁକମ୍ପା ପାଇଁ ବିଶ୍ବ ମଞ୍ଚରେ ଆମେରିକୀୟ ରାଷ୍ଟ୍ରପତିଙ୍କୁ ତେଲ ମାରିଛନ୍ତି ପାକିସ୍ତାନ ପିଏମ ଶେହବାଜ ସରିଫ । ଏହି ସମ୍ମିଳନୀରେ ଶେହବାଜ ଯେଉଁଠି ଉଚ୍ଚ ପ୍ରଶଂସା ପୂର୍ବକ ତେଲମାରି ଟ୍ରମ୍ପଙ୍କ ସହାନୁଭୂତି ସାଉଁଟିବାର ପ୍ରୟାସ କରୁଥିଲେ, ସେଇଠି ଟ୍ରମ୍ପଙ୍କ ମୋଦୀ ଓ ଭାରତର ପ୍ରଶଂସା କରିବା ଘଟଣା ବିଶ୍ବର ଭାରତର ଦବଦବାକୁ ଜାହିରି କରିଛି ।