
ନୂଆଦିଲ୍ଲୀ,୧୮I୦୨: ପୂରା ଦେଶରେ ନବୀନ ପୁଣି ପ୍ରଥମ । ଝଡ଼ବତ୍ୟାର ମୁକାବିଲା ହେଉ କି ମହିଳା ସଶକ୍ତିକାରଣ । ରୂପାନ୍ତରଣ ରଙ୍ଗରେ ନବୀନ ଦୁନିଆ ତିଆରି ହେଉ କି ଚାଷୀର ସାଥି ହେଉ । ସହରଠୁ ଶିଳ୍ପ । କ୍ରୀଡାଠୁ ଐତିହ୍ୟ । ସବୁଠି ବିକାଶର ସୂର୍ଯ୍ୟ ଉଇଁଲା ଭଳି ନିର୍ଘୋଷ ନିଷ୍ପତ୍ତି । ହୃଦୟ ଛୁଇଁଲା ଭଳି ତ୍ବରିତ ପଦକ୍ଷେପ । 5T ମନ୍ତ୍ରରେ ଶାସନତନ୍ତ୍ରକୁ ଆକ୍ଟିଭ କରି ନବୀନ ଯେଉଁ ନୂଆ ଓଡ଼ିଶା ଗଠନର ପ୍ରକ୍ରିୟା ଆଗେଇ ନେଇଛନ୍ତି ତାହା ଆଜି ତାଙ୍କୁ ପୂରା ଦେଶରେ ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀର ମାନ୍ୟତା ପ୍ରଦାନ କରିଛି । ପୂରା ଦେଶରେ କରାଯାଇଥିବା ସର୍ଭେରେ ୫୨.୭% ଲୋକ ନବୀନଙ୍କ ଏ ବୈପ୍ଲବିକ କର୍ମଧାରା ଓ ବିକାଶ ପ୍ରକ୍ରିୟାକୁ ପ୍ରଶଂସା ଓ ସମର୍ଥନ କରିଛନ୍ତି । ଅଜସ୍ର ସ୍ନେହ ଓ ସମର୍ଥନ ଭିତରେ ମଧ୍ୟ ସବୁବେଳେ ‘ଡାଉନ-ଟୁ-ଆର୍ଥ’ ରହୁଥିବା ନବୀନଙ୍କ ନାମ ଆଜି ନମ୍ବର ଓ୍ବାନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷ ସ୍ଥାନରେ ସୂର୍ଯ୍ୟଙ୍କ ଭଳି ଔଜଲ୍ୟମାନ ।ନବୀନଙ୍କ ପଛକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫୧.୩ ପ୍ରତିଶତ ସମର୍ଥନ ସହ ଦେଶର ଦ୍ୱିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି ।
ଦେଶର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ଗ୍ରହଣୀୟତା ଆଧାରରେ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେ ଅନୁଯାୟୀ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଲୋକପ୍ରିୟତା ମୂଲ୍ୟାୟନ ଦୃଷ୍ଟିରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ୪୮.୬ ପ୍ରତିଶତ ରେଟିଂ ସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ତୃତୀୟ ସ୍ଥାନରେ ଓ ୪୨.୬ ପ୍ରତିଶତ ରେଟିଂ ସହ ଚତୁର୍ଥ ସ୍ଥାନରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଅଛନ୍ତି। ଡକ୍ଟର ମାଣିକ ସାହା ୪୧.୪ ପ୍ରତିଶତ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି।