ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନିର୍ବାସନ ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଛାତ୍ର ଗୋଷ୍ଠୀ ‘ଷ୍ଟୁଡେଣ୍ଟ ଏଗନେଷ୍ଟ ଡିସକ୍ରିମିନେସନ (ସ୍ୟାଡ)’ ଏକ ନୂତନ ରାଜନୈତିକ ଦଳ ଗଠନ କରିବାକୁ ସ୍ଥିର କରିଛି। ଆଗକୁ ନିର୍ବାଚନ ଥିବା ବେଳେ ଦେଶକୁ ଅର୍ଥନୈତିକ ଦୂରାବସ୍ଥା ଏବଂ ରାଜନୈତିକ ସଂକଟରୁ ମୁକ୍ତି ପ୍ରଦାନ ଉଦ୍ଦେଶ୍ୟରେ ଏହି ଗୋଷ୍ଠୀ ଏଭଳି ନିଷ୍ପତ୍ତି ନେଇଛି। ଏହି ଲକ୍ଷ୍ୟ ପୂରଣ ନେଇ ସ୍ୟାଡର ପ୍ରମୁଖ ଛାତ୍ରନେତା ନାହିଦ ଇସଲାମ ଏ ଭିତରେ ଡକ୍ଟର ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାରରୁ ଇସ୍ତଫା ଦେଇଛନ୍ତି। ଏବେ ନୂତନ ବାଂଲାଦେଶ ଗଠନ ତାଙ୍କ ପ୍ରମୁଖ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି। ଏହି ଛାତ୍ରଗୋଷ୍ଠୀ ସହ ସମ୍ପୃକ୍ତ ଜାତୀୟ ନାଗରିକ କମିଟିର ମୁଖପାତ୍ର ସାମନ୍ତ ଶେରମୀନ କହିଛନ୍ତି ଯେ, ୨୦୨୪ ଜୁଲାଇ ବିଦ୍ରୋହ ପରେ ବାଂଲାଦେଶବାସୀଙ୍କ ମଧ୍ୟରେ ନୂତନ ଆଶାଆକାଂକ୍ଷା ଜନ୍ମିଛି। ଯାହାକୁ ପୂରଣ କରିବା ନିମନ୍ତେ ଏହି ଛାତ୍ରନେତାମାନେ ନୂତନ ରାଜନୈତିକ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ନୋବେଲ ପୁରସ୍କାର ପ୍ରାପ୍ତ ମାଇକ୍ରୋଫାଇନାନ୍ସ ଦିଗ୍ଗଜ ଡକ୍ଟର ୟୁନୁସ ଜାମାତ କିମ୍ବା ବିଏନପିକୁ ପ୍ରତିନିଧିତ୍ବ କରୁ ନାହାନ୍ତି, ବରଂ ସେ ଏବଂ ସମସ୍ତ ପରାମର୍ଶଦାତାମାନେ କେବଳ ଏକ ବିଦ୍ରୋହର ପ୍ରତିନିଧି ଥିଲେ। ସେମାନେ କୌଣସି ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ନ ଥିଲେ।