ତାଣ୍ଡବ ରଚିଲା କାଳ ବୈଶାଖୀ
ଉପୁଡିଲା ୧୧ କେଭି ବିଦ୍ୟୁତ ଖୁଣ୍ଟ, ବଡ଼ବଡ଼ ବୃଧ ଧରାଶାୟୀ
୪ ଘଣ୍ଟା ଧରି ଅନ୍ଧକାର
ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାରେ ଯାତାୟତ ଠପ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇରେ ଖଣ୍ଡପ୍ରଳୟ । ତାଣ୍ଡବ ରଚିଲା କାଳ ବୈଶାଖୀ । ଉପୁଡିଲା ୧୧ କେଭି ବିଦ୍ୟୁତ ଖୁଣ୍ଟ, ବଡ଼ବଡ଼ ବୃଧ ଧରାଶାୟୀ । ବିଦ୍ୟୁତ ସରବରାହ ବିଚ୍ଛିନ୍ନ, ୪ ଘଣ୍ଟା ଧରି ଅଞ୍ଚଳରେ ଅନ୍ଧକାର । ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାରେ ଯାତାୟତ ଠପ ।

ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ଜୋରରେ ପବନ ବହିବା ସାଙ୍ଗକୁ ମୁଷଳ ଧାରାରେ ବର୍ଷା ହେବା ଫଳରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। କାଳ ବୈଶାଖୀ ପ୍ରଭାବରେ ପଟ୍ଟାମୁଣ୍ଡାଇ ସହର ବିଦ୍ୟୁତ ସବଷ୍ଟେସନ ନିକଟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପ୍ରାଚେରୀ ସଂଲଗ୍ନ ୧୧ କେଭି ବିଦ୍ୟୁତ ଖୁଣ୍ଟଟି ଉପୁଡି ପଡିବା ଫଳରେ ପଟ୍ଟାମୁଣ୍ଡାଇ ସହରର ବ୍ୟସ୍ତ ବହୁଳ ବାଇପାସ-କଲେଜ ରୋଡ଼ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ବିଦ୍ୟୁତ ଖୁଣ୍ଟଟି ରାସ୍ତା ଉପରେ ଉପୁଡି ପଡ଼ିଥିଲେ ହେଁ କେହି ମୃତାହାତ ହୋଇନଥିବା ଖବର ମିଳିଛି। ତେବେ ୧୧ କେଭି ବିଦ୍ୟୁତ ଖୁଣ୍ଟଟି ଉପୁଡି ପଡିବା କାରଣରୁ ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ଫଳରେ ପଟ୍ଟାମୁଣ୍ଡାଇ ସହର ସମେତ ସହର ତଳି ଅଞ୍ଚଳ ଦୀର୍ଘ ସମୟ ଧରି ଅନ୍ଧକାରରେ ବୁଡ଼ି ରହିଥିଲା। ବିଦ୍ୟୁତ କର୍ମଚାରୀମାନେ ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ ବିଳମ୍ବିତ ରାତିରେ ବିଦ୍ୟୁତ ଯୋଗାଣ କରାଯାଇଥିଲା।

ସେହିପରି କାଳବୈଶାଖୀ ପ୍ରଭାବରେ ପଟ୍ଟାମୁଣ୍ଡାଇ-ରାଜନଗର ତଳରାସ୍ତାରେ ବ୍ୟାପକ ଭାବେ ଗଛ ଉପୁଡି ପଡିବା ଓ ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ପଡିବା ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ରାସ୍ତାରେ ଯାତାୟତ ଠପ ହୋଇଯାଇଛି। ଏହି ରାସ୍ତାଟି ଭିତରକନିକା-ରାଜନଗରକୁ ମୁଖ୍ୟ ସଂଯୋଗୀକରଣ ରାସ୍ତା ହୋଇଥିବାରୁ ବାହାର ଅଞ୍ଚଳର ବହୁ ପର୍ଯ୍ୟଟକ ଅଟକି ରହିବା ସହିତ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକଙ୍କ ନିର୍ଦେଶରେ ଦମକଳବାହିନୀ ରାସ୍ତାରେ ପଡିଥିବା ଗଛ ଓ ଗଛ ଡାଳକୁ କାଟି ରାସ୍ତା ସଫା କରିବା କାର୍ଯ୍ୟରେ ନିଯୋଜିତ ହୋଇଥିଲେ। ବିଳମ୍ବିତ ରାତିରେ ଏହି ରାସ୍ତାରେ ଯାତାୟତ ଶୋଭାବିକ ହୋଇଥିବା ଜଣାଯାଇଛି। କାଳବୈଶାଖୀ ପ୍ରଭାବରେ ବହୁ କଚା ଘର ଭାଂଗିଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳର ବିଭିନ୍ନ ଅଞ୍ଚଳରେ ବଡ ବଡ ଗଛ ମାନ ଭାଙ୍ଗିପଡ଼ିଥିବା ଖବର ମିଳିଛି। ଅତି ପ୍ରବଳ ବର୍ଷା ହେବା କାରଣରୁ ବିଭିନ୍ନ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ପଟ୍ଟାମୁଣ୍ଡାଇ ସହରର ମୁଖ୍ୟ ଡା ବାସୁ ପାତ୍ର ଗଳି ସମ୍ମୁଖ ରାସ୍ତାରେ ପାଣିର ସୁଅ ଛୁଟୁଛି, ୧୯ ନଂ ୱାର୍ଡ ବେଲତଳ ରାସ୍ତା ପାଣିରେ ବୁଡ଼ି ରହିଛି। ସେହିପରି ଭୋଳିବାବା ମଠ ସମ୍ମୁଖ ରାସ୍ତା, ବାଳିକା ହାଇସ୍କୁଲ ପରିସର, ସବରେଜିଷ୍ଟାର ଅଫିସ ଓ ଯଜ୍ଞ ପଡିଆରେ ପାଣିର ସୁଅ ଛୁଟୁଥିବା ବେଳେ ବ୍ଲକ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସାଳୟ ପରିସରରେ ପାଣି ଜମି ରହିଛି। ଅଦିନିଆ ଝାଡା ବର୍ଷାରେ ରବି ଫସଲ ଓ ପନିପରିବା ଫସଲ ବ୍ୟାପକ ଭାବେ କ୍ଷତି ଘଟିଛି।