ମାତ୍ର ୧୬ ଦିନ ଅନ୍ତରରେ ଶ୍ରୀକ୍ଷେତ୍ରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଛି। ପୂର୍ବରୁ ସ୍ୱର୍ଗଦ୍ୱାରକୁ ଶବଦାହ କରିବାକୁ ଆସିଥିବା ଜଣେ ଯୁବକକୁ ହତ୍ୟା କରାଯାଇଥିଲା। ଆଜି ଜଣେ ହୋଟେଲ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଟାଉନ ଥାନା ଅନ୍ତର୍ଗତ ଏସସିଏସ କଲେଜ ଛକ ନିକଟରେ ଆଜି ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ମୃତ ବ୍ୟକ୍ତିଙ୍କ ନାମ ସ୍ମାରକ ଶ୍ରୀ ଓରଫ ଟୁକୁ । ସେ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି।
ଘଟଣା ସ୍ଥଳରେ ପୁରୀ ଏସପି ଓ ଟାଉନ ଥାନା ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ମୃତ ବ୍ୟକ୍ତିର ପେଟ ଓ ଅନ୍ୟାନ୍ୟ ଜାଗାରେ ଗଭୀର ଆଘାତ ରହିଥିବା ଦେଖିବାକୁ ମିଳିଛି। କିଏ ଏବଂ କେଉଁ କାରଣ ଯୋଗୁଁ ଏପରି କାଣ୍ଡ କରିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହି ହତ୍ୟାକାଣ୍ଡ ପଛରେ କାରଣ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ତେବେ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ପୂର୍ବରୁ ଦୁଇଜଣ ଯାକ କଲେଜ ଛକ ନିକଟରେ ଗାୟତ୍ରୀ ହୋଟେଲରେ କାମ କରୁଥିଲେ। ହେଲେ କେଉଁ କାରଣ ଯୋଗୁଁ ଦୁଇଜଣଙ୍କ ମଧ୍ୟରେ ବିବାଦ ହେଲା ଓ ଘଟଣା ହତ୍ୟାକାଣ୍ଡର ରୂପ ନେଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ସେହିଁ ହୋଟେଲରେ ଟୁକୁ ଓ ଗୁନ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ଶତ୍ରୁତାକୁ ନେଇ ଗୁନ ଓରଫ ଅଜିତ୍ ମହାପାତ୍ର କୌଣସି ଧାରୁଆ ଅସ୍ତ୍ରରେ ଟୁକୁକୁ ହତ୍ୟା କରିଥିବା ହୋଟେଲ ମାଲିକ ଅଭିଯୋଗ କରିଛନ୍ତି।