ବଦଳିବ ରାଜ୍ୟ ରାଜନୀତିର ପାଣିପାଗ । ସୃଷ୍ଟି ହେବ ଏକ ଝଡ଼ । ଆଉ ଏ ଝଡ଼ର କେନ୍ଦ୍ରବିନ୍ଦୁ ହେବେ ଜଣେ ମହିଳା ନେତ୍ରୀ । ଓଡ଼ିଶା ରାଜନୀତିରେ ପୁଣି ଦେଖିବାକୁ ମିଳିବ ମହିଳା ଲିଡରଶିପ୍ ! ପ୍ରମୁଖ ବିରୋଧୀ ଦଳର ମଙ୍ଗ ଧରିବେ ଜଣେ ମହିଳା ରାଜନେତ୍ରୀ ! ଯଦି ଏମିତି ହୁଏ ତେବେ ନନ୍ଦିନୀ ଶତପଥୀଙ୍କ ପରେ ସମ୍ଭବତଃ ପ୍ରଥମ ଥର ଲାଗି ଓଡ଼ିଶା ରାଜନୀତିରେ ଲିଡ୍ କରିବେ ଜଣେ ମହିଳା । ଆଉ ଏହି ମହିଳା ଜଣକ କେହି ନୁହନ୍ତି, ବରଂ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ।
ହଁ ଆଜ୍ଞା, ଆଗାମୀ ଡିସେମ୍ବର ୨୬ ରେ ହୋଇପାରେ ବଡ଼ ଘୋଷଣା । ୨୪ ନିର୍ବାଚନରେ ଦ୍ବିତୀୟ ଦଳ ପାଲଟିଥିବା ବିଜେଡି ୨୫ ଉପନିର୍ବାଚନରେ ତୃତୀୟ ସ୍ଥାନକୁ ଖସିଆସିବା ପରେ ଏବେ ଖୋଲାଖୋଲି ଭାବେ ଖେଳିବାକୁ ଯାଉଛି ମହିଳା କାର୍ଡ । ଫ୍ରଣ୍ଟଲାଇନରେ ଜଣେ ମହିଳାଙ୍କୁ ଛିଡା କରି ଏଥର କରିବ ମୋଦୀ ମାନିଆର ମୁକାବିଲା ! ଡିସେମ୍ବର ୨୬ ରେ କିଛି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସାମ୍ବାଦିକମାନଙ୍କର ଏକ ପ୍ରଶ୍ନରେ ଏହା କହିଛନ୍ତି ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର ।
ସୁଜାତା କାର୍ତ୍ତିକେୟନ ବିଜେଡିରେ ଯୋଗଦେବେ ବୋଲି ପୂର୍ବରୁ ଶୁଣାଯାଉଥିଲା । ମାତ୍ର ଦଳ ତାଙ୍କୁ ହୁଏତ କୌଣସି ପ୍ରମୁଖ ଦଳୀୟ ପଦରେ ରଖିଥାଆନ୍ତା । ମାତ୍ର ନୂଆପଡ଼ା ଉପନିର୍ବାଚନ ଦଳୀୟ ବରିଷ୍ଠ ନେତୃବୃନ୍ଦଙ୍କୁ ଚିନ୍ତାରେ ପକାଇଦେଇଛି । ଦଳର ପରଫରମାନ୍ସ ଯଦି ଆଗାମୀ ନିର୍ବାଚନରେ ଏଭଳି ରୁହେ ତେବେ ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ଅସ୍ତିତ୍ବ ହରାଇବା ଅସମ୍ଭବ ନୁହେଁ । ସବୁ ଅଙ୍କ କସିବା ପାରେ ସମ୍ଭବତଃ ଏବେ ମହିଳା କାର୍ଡ ଖେଳିବାର ଷ୍ଟ୍ରାଟେଜୀ କରିଛି ବିଜେଡ଼ି ।