ନୂଆଦିଲ୍ଲୀ : ଏଣିକି ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହେବ। ଏ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବାର୍ଡ (ସିବିଏସଇ) ପକ୍ଷରୁ ବୁଧବାର ନିଷ୍ପତ୍ତି ହୋଇଛି। ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଉପରେ ରହୁଥିବା ଚାପ ହ୍ରାସ କରି ସେମାନଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ଉତ୍ତମ ଅଙ୍କ ଲାଭ କରିବାର ସୁଯୋଗ ପ୍ରଦାନ ନିମନ୍ତେ ସିବିଏସଇ ପକ୍ଷରୁ ପରୀକ୍ଷା ବ୍ୟବସ୍ଥାରେ ଏଭଳି ସଂସ୍କାର ଆଣିବାକୁ ସ୍ଥିର କରାଯାଇଛି। ପ୍ରଥମଥର ପରୀକ୍ଷାରେ ବିଫଳ ହୋଇଥିବା ଅଥବା ନିଜ ଅଙ୍କରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ମାନେ ଏହି ସଂସ୍କାର ଦ୍ବାରା ସେହି ବର୍ଷ ହିଁ ଦ୍ବିତୀୟ ଥର ପରୀକ୍ଷା ଦେବାର ସୁଯୋଗ ପାଇବେ। ଉଭୟ ପରୀକ୍ଷା ମଧ୍ୟରେ କିଛି ସମୟ ବ୍ୟବଧାନ ରହିବ, ଯାହାଦ୍ବାରା ଛାତ୍ରଛାତ୍ରୀମାନେ ଉତ୍ତମ ଭାବେ ପ୍ରସ୍ତୁତି କରିବାର ସୁଯୋଗ ପାଇବେ। ତେବେ ଦେଶରେ ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ଏହି ନୂତନ ବ୍ୟବସ୍ଥା ଆଗାମୀ ୨୦୨୬ରୁ ଏକକାଳୀନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାଦ୍ବାରା ଛାତ୍ରଛାତ୍ରୀଙ୍କ ଦକ୍ଷତା ଭିତ୍ତିକ ମୂଲ୍ୟାଙ୍କନ ସମ୍ଭବ ହେବ। ଏଥିସହିତ ୨୦୨୬ରୁ ୨୦୨୭ ମଧ୍ୟରେ ସିବିଏସଇ ସହିତ ଅନୁବନ୍ଧିତ ୨୬୦ଟି ବିଦେଶୀ ସ୍କୁଲଗୁଡିକ ନିମନ୍ତେ ସିବିଏସଇ ବୈଶ୍ବିକ ପାଠ୍ୟକ୍ରମ ମଧ୍ୟ ଲାଗୁ କରାଯିବ। ଏହି ନୂତନ ବ୍ୟବସ୍ଥା ଚାପମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏ ସମ୍ବନ୍ଧରେ ଶିକ୍ଷା ମନ୍ତ୍ରାଳୟରେ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସିବିଏସଇ, ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି), କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ) ଏବଂ ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ)ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଉପରୋକ୍ତ ସଂସ୍କାର ସମ୍ବନ୍ଧୀୟ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ପ୍ରସ୍ତାବିତ ଯୋଜନାକୁ ଆସନ୍ତା ୨୪ ତାରିଖ ସୁଦ୍ଧା ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷାବିଦମାନଙ୍କ ଉଦ୍ଦେଶ୍ୟରେ ସାର୍ବଜନୀନ କରାଯିବ। ଏହା ଉପରେ ଜନମତ ସଂଗ୍ରହ କରାଯାଇ ଯୋଜନାର ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ କରାଯିବ।
ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ଓ୍ବାନ-ଟାଇମ୍ (ବର୍ଷକରେ ଥରେ) ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଚାପରେ ରହୁଛନ୍ତି। ଗୋଟିଏ ଥରରେ ସର୍ବାଧିକ ଅଙ୍କ ଲାଭ କରିବା ଜନିତ ପ୍ରବଳ ଚାପରୁ ଛାତ୍ରଛାତ୍ରୀମାନଙ୍କୁ ମୁକ୍ତ କରି ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ନିମନ୍ତେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବର୍ଷକୁ ଦୁଇଥର କରାଇବାକୁ ନିଷ୍ପତ୍ତି ହୋଇଛି। ଏକାଧିକ ସୁଯୋଗ ଦ୍ବାରା ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନର ଏକ ସୁବିଧାଜନକ ପରିବେଶ ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ଏହାଦ୍ବାରା ପିଲାମାନେ ଅଧିକ ଅଙ୍କ ଲାଭ କରିବା ଆଶାରେ ଘୋଷି ଘୋଷି ପାଠ ମୁଖସ୍ଥ କରିବା ପରିବର୍ତ୍ତେ ବିଷୟଗୁଡିକୁ ବୁଝିବା ପରେ ମନେ ରଖିବେ। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପାରମ୍ପରିକ ସାରାଂଶ ଭିତ୍ତିକ ମୂଲ୍ୟାଙ୍କନ ପରିବର୍ତ୍ତେ ଦକ୍ଷତା ଭିତ୍ତିକ ମୂଲ୍ୟାଙ୍କନକୁ ଗୁରୁତ୍ବ ପୂର୍ବକ ଗଠନମୂଳକ ଶିକ୍ଷା ଓ ଦକ୍ଷତା ବୃଦ୍ଧି ଉପରେ ଦୃଷ୍ଟିନିବଦ୍ଧ କରାଯାଇଛି। କେବଳ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶର ଲକ୍ଷ୍ୟ ଉପରେ ମଧ୍ୟ ଏହି ନିଷ୍ପତ୍ତି ପର୍ଯ୍ୟବସିତ। ତେବେ ଛାତ୍ରଛାତ୍ରୀଙ୍କୁ ଏକାଧିକ ଥର ପରୀକ୍ଷା ଦେବାର ସୁଯୋଗ ପ୍ରଦାନ ନେଇ ଆମେରିକାରେ ପ୍ରଚଳିତ ସ୍ୟାଟ୍ ବ୍ୟବସ୍ଥା ସହିତ ଏହି ବ୍ୟବସ୍ଥା ପ୍ରାୟ ସମାନ।
ଉଲ୍ଲେଖ ଯେ, ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ରହିବା ତଥା ଅସୁସ୍ଥ ହୋଇପଡୁଥିବା ଭଳି ଅନେକ ଖବର ଆସୁଥିବା ବେଳେ ସିବିଏସଇର ସଦ୍ୟତମ ନିଷ୍ପତ୍ତି ଏହି ସମସ୍ୟାର ସମାଧାନ କରିବ, ଯାହାକି ଜାତୀୟ ଶିକ୍ଷା ନୀତିର ଏକ ମୁଖ୍ୟ ଉଦ୍ଦେଶ୍ୟ। ପରୀକ୍ଷା ଦେବାର ଏକାଧିକ ସୁଯୋଗ ମିଳିବା ଦ୍ବାରା ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନିଜର ଦକ୍ଷତା ପ୍ରମାଣିତ କରିବାର ଉଚିତ୍ ସୁଯୋଗ ମଧ୍ୟ ମିଳିବ। ଏହି ପ୍ରଗତିଶୀଳ ମୂଲ୍ୟାଙ୍କନ ମଡେଲର ସଫଳ ପ୍ରଣୟନ ନିମନ୍ତେ ସିବିଏସଇ ପକ୍ଷରୁ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ସିବିଏସଇ ପକ୍ଷରୁ କୁହାଯାଇଛି।