ଲାଗୁଛି ନବୀନଙ୍କ ବିନା ଯେମିତି ବିଜେଡ଼ି ଅଚଳ । ଲାଗୁଛି ଯେମିତି ଦଳରେ ନା ଟାଣୁଆ ନେତା ଅଛନ୍ତି ନା ଦଳକୁ ବିଜୟ ତିଳକ ପିନ୍ଧାଇ ଦେବା ଭଳି କେହି ଷ୍ଟାର ପ୍ରଚାରକ ! ନବୀନ ନ ହେଲେ କାମ ଚଳିବ ନାହିଁ ! ତେଣିକି ତାଙ୍କ ଦେହ ଭଲ ଥାଉ କି ନ ଥାଉ । ସେ ଚାଲି ପାରନ୍ତୁ କି ନ ପାରନ୍ତୁ । ଇଏ ସେଇ ନବୀନ ପଟ୍ଟନାୟକ, ଯାହାଙ୍କୁ, ରାଜ୍ୟରେ ନାରୀ ନିର୍ଯାତନାର ନିଆଁ ହୁତୁହୁତ ହୋଇ ଜଳୁଥିବା ବେଳେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାର ଦିନେ ଦୁଇ ଦିନ ପୂର୍ବରୁ ଓଡ଼ିଶା ବାହାରକୁ ଯିବାକୁ ପଡ଼ିଥିଲା । ଦେହ ଏତେ ଅସୁସ୍ଥ ଥିଲା ଯେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ ମାଗିବାକୁ ବି ନବୀନ ଦୁଇ ଦିନ ଅଟକି ପାରି ନଥିଲେ । ଆଜି ସେଇ ନବୀନ କେତେ ଦୁର୍ବଳ ଦେଖାଯାଉଛନ୍ତି । ଭିଜୁଆଲରୁ ସ୍ପଷ୍ଟ ବାରି ହୋଇପଡୁଛି ତାଙ୍କ ଅସୁସ୍ଥତା । ତଥାପି ତାଙ୍କୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଟିକେବି କୁଣ୍ଠାବୋଧ କରିନାହିଁ ବିଜେଡି । ଶଙ୍ଖ ଦଳ ବା କରିବ କ’ଣ, ଏହା ନିକଟରେ ନିର୍ବାଚନ ଜିତିବା ଲାଗି ନବୀନ ଛାପ ବିନା ଆଉ ବାକି ବା କ’ଣ ଅଛି ?
ଦିନ ଥିଲା ନବୀନ ନିବାସରେ ବସି ନବୀନ ଯେଉଁ ଗୋଟି ଚଳାଇ ଦେଉଥିଲେ ସେ ଆସନ ବିଜେଡିର ହୋଇଯାଉଥିଲା । ଖାଲି ଶଙ୍ଖ ଚିହ୍ନ ଓ ନବୀନଙ୍କ ନାମ ହିଁ ବିଜେଡି ପାଇଁ ବିଜୟର ବାଟ ଖୋଲି ଦେଉଥିଲା । ମାତ୍ର ୨୦୨୪ ନିର୍ବାଚନ ପରେ ସ୍ଥିତି ପୂରାପୂରି ବଦଳିଯାଇଛି । ଓଡ଼ିଶାରେ ବିଜେପି ସରକାର କଣ ଗଠନ କଲା, ବିଜେଡି ନେତାଙ୍କ ଆତ୍ମବିଶ୍ବାସର ଗ୍ରାଫ ଯେମିତି ତଳମୁହାଁ ହୋଇଯାଇଛି । ଦଳୀୟ କନ୍ଦଳ ପିଛା ଛାଡୁ ନ ଥିବା ବେଳେ ଜଣଜଣ କରି ବିଜେଡିର ଚର୍ଚ୍ଚିତ ଚେହେରାମାନେ ଶଙ୍ଖ ଶିବିର ଖାଲି କରିବାରେ ଲାଗିଛନ୍ତି, ଆଉ ପଦ୍ମ ଶିବିରରେ କୋଳାହଳ ବଢିବାରେ ଲାଗିଛି । ବିଜେଡି ଭିତରେ ନବୀନଙ୍କ ବିକଳ୍ପ ଖୋଜି ପାଉ ନ ଥିବା ଦଳୀୟ ନେତାମାନେ ଯେମିତି ନିଜ ରାଜନୌତିକ କ୍ୟାରିଅରକୁ ରକ୍ଷା କରିବାକୁ ବିଜେପିର ଶରଣ ପଶୁଛନ୍ତି । ଦଳ ବଦଳ ରାଜନୀତି ଭିତରେ ସବଳ ହେଉଛି ବିଜେପି । ୨୦୨୪ ବିଧାନସଭା ନିର୍ବାଚନ ପରେ ନୂଆପଡ଼ା ଉପନିର୍ବାଚନ ଓଡ଼ିଶାରେ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନ ଓ ସ୍ବାଭିମାନର ପ୍ରଶ୍ନ ପାଲଟିଛି । ଏମିତିରେ ନୂଆପଡ଼ା ଆସନକୁ ନିଜ ନାମରେ କରାଇବା ଲାଗି ଉଭୟ ଦଳ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ନୂଆପଡାରେ ବିଜେଡ଼ି ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି ଟାଣୁଆ ପ୍ରାର୍ଥୀ ଦେଇଥିଲେ ମଧ୍ୟ ବିଜେପି ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ଚାଣକ୍ୟ ନୀତି ସମ୍ମୁଖରେ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ଏମିତିରେ ଦଳ ନବୀନଙ୍କୁ ଏ ଅବସ୍ଥାରେ ବି ପ୍ରଚାର ମଇଦାନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି । ହେଲେ ନବୀନଙ୍କ ଏ ଉପସ୍ଥିତି ବିଜେପିର ରଣନୀତିକୁ ଚିତ୍ କରିପାରୁଛି କି ନାହିଁ ତାହା ସମୟ କହିବ ।