ଭୁବନେଶ୍ବର: ନାରୀ ସୁରକ୍ଷା ଓ ନାରୀ ଶିକ୍ଷାକୁ ଗୁରୁତ୍ବ ପୂର୍ବକ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ‘ବେଟି ବଚାଓ ବେଟି ପଢାଓ’ ଯୋଜନାକୁ ଇତିମଧ୍ୟରେ ୧୦ ବର୍ଷ ପୂରିଛି। ଏହି ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମଠାରେ ଏକ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ତାଙ୍କ ଅଭିଭାଷଣରେ ‘ବେଟି ବଚାଓ ବେଟି ପଢାଓ’ କାର୍ଯ୍ୟକ୍ରମରେ ହୋଇଥିବା ଅଗ୍ରଗତି ତଥା ବାଳିକାମାନଙ୍କ ଶିକ୍ଷା ଓ ସୁରକ୍ଷା ଦିଗରେ ଓଡ଼ିଶା ସରକାରଙ୍କ ଅଙ୍ଗୀକାରବଦ୍ଧତା ଓ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ନାରୀ ସଶକ୍ତିକରଣରେ ସରକାରଙ୍କ ସୁଭଦ୍ରା ଓ ଅଦ୍ଵିକା ଯୋଜନା ଉପରେ ଗୁରୁତ୍ଵାରୋପ କରି ସେ କହିଥିଲେ ଯେ ଏହି ଯୋଜନାଗୁଡିକ ସମାଜରେ ନାରୀ ମାନଙ୍କ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆୟୋଜିତ ସଚେତନତା ପଦଯାତ୍ରାକୁ ଉପମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ସହିତ ଏଥିରେ ସାମିଲ ହୋଇଥିଲେ। ତାଙ୍କ ସହିତ ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ ଓ ଅନ୍ୟ ଅତିଥି ବୃନ୍ଦ ଯୋଗଦେଇଥିଲେ। ପଦଯାତ୍ରାରେ କଲେଜ, ୟୁନିଭରସିଟି ଓ ଅନ୍ୟାନ୍ୟ କ୍ଷେତ୍ରର ଉତ୍ସାହୀ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୋଲିସ ଆଇ.ଜି. ସାଇନି ଏସ., ୟୁନିସେଫର ମୁଖ୍ୟ କ୍ଷେତ୍ର ଅଧିକାରୀ ଉଇଲିୟମ ହେନଲୋନ ଜୁନିୟର, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଅତିତିକ୍ତ ଶାସନ ସଚିବ ଏନ. ସି. ଜ୍ୟୋତି ରଞ୍ଜନ ନାୟକ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ବ୍ରହ୍ମଗିରିର ମାନ୍ୟବର ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଉପସ୍ଥିତ ଅଂଶ ଗ୍ରହଣକାରୀ ମାନଙ୍କୁ ତାଙ୍କର ପ୍ରେରଣାତ୍ମକ ଭାଷଣରେ ଝିଅ ମାନଙ୍କ ଶିକ୍ଷା ଓ ସଶକ୍ତି କରଣ ଉପରେ ଜୋର ଦେଇ ସୁଯୋଗର ସଦୁପଯୋଗ କରିବାକୁ ଆହ୍ଵାନ ଦେଇଥିଲେ। ବିଭାଗୀୟ ଅତିତିକ୍ତ ଶାସନ ସଚିବ ଏନ. ସି. ଜ୍ୟୋତି ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।