ପୁଣେ: ଭାରତରେ ପ୍ରଥମଥର ପାଇଁ ଏକ ଗୃହପାଳିତ ବିଲେଇଠାରେ ଆଭିଆନ ଇନଫ୍ଲୁଏଞ୍ଜା ଭୂତାଣୁ (ଏଚ୫ଏନ୧) ସଂକ୍ରମଣ ଚିହ୍ନଟ କରାଯାଇଛି। ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ଜିଲ୍ଲାରେ ଏହି ମାମଲା ସମ୍ମଖକୁ ଆସିଛି। ଏହି ଘଟଣା ସମ୍ମୁଖକୁ ଆସିବା ପରେ ବାର୍ଡ ଫ୍ଲୁ ଭୂତାଣୁ ନିଜକୁ ପରିବର୍ତ୍ତନ କରି ମଣିଷଙ୍କୁ ସଂକ୍ରମିତ କରୁଥିବା ନେଇ ଆଶଙ୍କା ବୃଦ୍ଧି ପାଇଛି। ସୂଚନା ଯୋଗ୍ୟ ଯେ, ଏଚ୫ଏନ୧ ଏକ କ୍ଲାସିକାଲ ଆଭିଆନ ଭୂତାଣୁ, କିନ୍ତୁ କିଛି ପରିବର୍ତ୍ତନ ବା ମ୍ୟୁଟେସନ କାରଣରୁ ଏହା ସ୍ତନ୍ୟପାୟୀ ପ୍ରାଣୀଙ୍କ ଶରୀରକୁ ସଂକ୍ରମିତ କରୁଛି। ସାଧାରଣତଃ ଇନଫ୍ଲୁଏଞ୍ଜା ଭୂତାଣୁ କୋଭିଡ-୧୯ ଭଳି ମହାମାରୀ ସୃଷ୍ଟି କରିବାର କ୍ଷମତା ରଖୁଥିବାରୁ ଏହାକୁ ନେଇ ଏବେ ଚିନ୍ତା ବଢିଥିବା ବୈଜ୍ଞାନିକମାନେ କହିଛନ୍ତି।
ଉଲ୍ଲେଖ ଯେ, ଆଇସିଏଆର-ଏନଆଇଏଚଏସଏଡି ଏବଂ କେନ୍ଦ୍ର ସରକାରଙ୍କ ପ୍ରାଣୀ ବିଭାଗର ମିଳିତ ଅନୁଧ୍ୟାନରୁ ଛିନ୍ଦଓ୍ବାଡାଠାରେ ଗତ ଜାନୁଅାରୀରେ ଏହି ସଂକ୍ରମଣ ମାମଲା ଚିହ୍ନଟ କରାଯାଇଥିଲା। ନାଗପୁର ସୀମାନ୍ତରେ ଥିବା ଏହି ଅଞ୍ଚଳରେ ଗତ ବର୍ଷ ଡିସେମ୍ବରରେ ବାର୍ଡ ଫ୍ଲୁ କାରଣରୁ ବହୁ ବଡ଼ ବିଲେଇଙ୍କର ମୃତ୍ୟୁ ଘଟିଥିଲା। ଏହି ଭୂତାଣୁ ‘୨.୩.୨.୧ଏ’ର ବଂଶଧର, ଯାହାକି ଏଚ୫ଏନ୧ର ଏକ ପ୍ରକାର ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ବିଲେଇଙ୍କ ମଧ୍ୟରେ ଏହି ଭୂତାଣର ୨୭ ପ୍ରକାର ପରିବର୍ତ୍ତନ ବା ମ୍ୟୁଟେସନ ହୋଇଥିବା ବୈଜ୍ଞାନିକ ଗବେଷଣାରୁ ସ୍ପଷ୍ଟ ହୋଇଛି। ଫାର୍ମ କୁକୁଡା, ବଣୁଆ ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀ ଏବଂ ଗୃହପାଳିତ ପଶୁଙ୍କ ସମେତ ମଣିଷଙ୍କୁ ଏହି ଭୂତାଣୁ ସଂକ୍ରମିତ କରିବାର ଭୟ ରହିଥିବାରୁ ଏହା ଉପରେ ଦୃଷ୍ଟି ରଖିବାକୁ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।