ନୂଆ ସରକାର ରାଜ୍ୟର ଶାସନ ଭାର ହାତକୁ ନେବା ପରେ ବେଆଇନ ମାଦକ ଦ୍ରବ୍ୟ କାରବାର ଆନେକାଂଶରେ ହ୍ରାସ ପାଇଛି । ଅବକାରୀ ବିଭାଗ, ପୋଲିସ ପ୍ରଶାସନ ଏବଂ ସ୍ପେସାଲ୍ ସ୍କ୍ୱାର୍ଡ ଜରିଆରେ ନିୟମିତ ଚଢ଼ାଉ କରାଯାଇ ଅନେକ ବେଆଇନ ମଦଭାଟିକୁ ବନ୍ଦ କରାଯିବା ସହ ପ୍ରସ୍ତୁତି ସାମଗ୍ରୀ ଓ ଗାଡ଼ି ଜବତ କରାଯିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତଥାପି ଏ ଦିଗରେ ଅଧିକ କାର୍ଯ୍ୟ କରି ରାଜ୍ୟରୁ ବେଆଇନ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଚଳିତ ୨୦୨୫ ମଇ ୩୧ରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ ସେବନ ଓ କାରବାର ରୋକିବା ଦିଗରେ ସଚେତନତା କାର୍ଯର୍କ୍ରମ ନେଇ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବେଆଇନ ମାଦକ ଦ୍ରବ୍ୟ ସେବନ ଓ କାରବାର ବିରୋଧରେ ସାରା ରାଜ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ରାଜ୍ୟର କୋଣ ଅନୁକୋଣରେ ସଚେତନତାର ବାର୍ତ୍ତାକୁ ପହଞ୍ଚାଇବାକୁ ପଡ଼ିବ । ପାଲା, ଦାସକାଠିଆ, ଘୋଡ଼ାନାଚ ଆଦି ସହ ବିଭିନ୍ନ ହାଟବଜାର ଅଞ୍ଚଳରେ ପଥପ୍ରାନ୍ତ ନାଟକ ଜରିଆରେ ବେଆଇନ ନିଶା ସେବନ କାରବାରର କୁପରିଣତି ନେଇ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ସଫଳ କରିବାକୁ ହେବ । ଏଥି ସହ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ୍ ସ୍ତରରେ ସଚେତନତା ରଥ ଜରିଆରେ ସବୁବର୍ଗଙ୍କୁ ସଚେତନ କରାଇବା ନେଇ ଉପସ୍ଥିତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ ।
ଏଥିସହ ପ୍ରତ୍ୟେକ ଦିନ କ’ଣ ସବୁ କାର୍ଯ୍ୟକ୍ରମ କରାଯିବ ସେଥିନେଇ ତାଲିକା ପ୍ରସ୍ତୁତ କରିବାକୁ ବିଭାଗକୁ ନିର୍ଦେଶ ଦେଇଥିଲେ I