ନୂଆପଡ଼ା ଗେମ୍ ଓଭର । ଏବେ ରାଜ୍ୟସଭା ଆଡ଼କୁ ସିଫ୍ଟ ହୋଇଛି ଫୋକସ । ୨୦୨୬ ଏପ୍ରିଲରେ ଖାଲି ହେବାକୁ ଯାଉଛି ଚାରୋଟି ରାଜ୍ୟସଭା ଆସନ, ଯାହାକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ସ୍ଥିତି କହୁଛି ରାଜ୍ୟସଭା ବି ପୋଛି ନେବ ବିଜେପି ! କିନ୍ତୁ ଯଦି ବିରୋଧୀ ଦଳ ମଧ୍ୟରେ ସମନ୍ବୟ ରୁହେ, ତେବେ ଦେଖିବାକୁ ମିଳିପାରେ ଫିଫଟି-ଫିଫଟିର ଖେଳ ।
ନୂଆପଡ଼ା ଉପନିର୍ବାଚନରେ ବିଜେପିର ନିର୍ଣ୍ଣାୟକ ବିଜୟ ପରେ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମସ୍ତକରେ ଏବେ ଖୋସି ହୋଇଯାଇଛି ସଫଳତାର ଆଉ ଏକ ପର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ନୂଆପଡ଼ା ପ୍ରଚାର ମଇଦାନରେ ନେତୃତ୍ୱ ନେଇଥିଲେ ସାମଲ, ଯାହା ରାଜ୍ୟ ସଭା ସଦସ୍ୟ ପଦ ପାଇଁ ତାଙ୍କ ଦାବିଦାରୀକୁ ଆହୁରି ମଜବୁତ କରିଛି। ଦଳର ରାଷ୍ଟ୍ରୀୟ ନେତୃବୃନ୍ଦ ଏବେ ସାମଲଙ୍କୁ ବଡ଼ କିଛି ପୁରସ୍କାର ଦେଇପାରନ୍ତି । ଏମିତିକି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ମାଧ୍ୟମରେ ମନ୍ତ୍ରିମଣ୍ଡଳରେ ତାଙ୍କର ସମ୍ଭାବ୍ୟ ପ୍ରବେଶ ବିଷୟରେ ମଧ୍ୟ ଦଳ ଭିତରେ ଆଲୋଚନା ଆରମ୍ଭ ହୋଇଛି ।
ଆଉ ୫ ମାସ ପରେ ରାଜ୍ୟସଭାରେ ଶେଷ ହୋଇଯିବ ବିଜେଡି ନେତା ମୁନ୍ନା ଖାନ ଏବଂ ନିରଞ୍ଜନ ବିସିଙ୍କ ସହିତ ବିଜେପିର ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ କାର୍ଯ୍ୟକାଳ। ଏହି ଆସନ ପୂରଣ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଥମ ଦାବିଦାର ଥିବା ବେଳେ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି । ଏଥିସହ ଗୋଲକ ମହାପାତ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବଂ ପୂର୍ବତନ ମନ୍ତ୍ରୀ ଦିଲୀପ ରାୟଙ୍କ ଭଳି ବରିଷ୍ଠ ବିଜେପି ନେତାମାନେ ଏହି ଦୌଡ଼ରେ ସାମିଲ ଅଛନ୍ତି।
ଯଦି ବିଜେଡି କଥା କହିବା ତେବେ ଶଙ୍ଖ ଦଳର ସମ୍ଭାବ୍ୟ ପ୍ରାର୍ଥୀ ପ୍ରଥମ ନାମ ହେଉଛି ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ । ଏଥିସହ ସନତୃପ୍ତ ମିଶ୍ରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ରାଜନୀତି ବିଶେଷଜ୍ଞଙ୍କ ମତରେ ବିରୋଧୀ ଦଳଗୁଡ଼ିକ ଯଦି ଏକତ୍ରିତ ହୁଅନ୍ତି ତେବେ କଂଗ୍ରେସ ଭୋଟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ।
ଏବେ ଆସନ୍ତୁ ନଜର ପକାଇବା ନମ୍ବର ଗେମ ଉପରେ । ବର୍ତ୍ତମାନ ବିଧାନସଭାରେ ବିଜେପିର 79 ସଦସ୍ୟ ଅଛନ୍ତି, ଏହାକୁ ତିନି ଜଣ ସ୍ୱାଧୀନ ପ୍ରାର୍ଥୀ ସମର୍ଥନ କରିଛନ୍ତି । ଫଳରେ ଶାସକ ଦଳ ଶକ୍ତି 82 କୁ ବୃଦ୍ଧି ପାଇଛି। ବିଜେଡି 50 ଓ କଂଗ୍ରେସ 14 ଏବଂ ସିପିଆଇ(ଏମ୍) ପାଖରେ ଗୋଟିଏ ଆସନରେ ରହିଛି।
ରାଜନୈତିକ ବିଶ୍ଳେଷକମାନଙ୍କ ଅନୁମାନ ଯେ, ଅଧିକ ସଂଖ୍ୟା ଥିବାରୁ ବିଜେପି ଖାତାକୁ ଅତି କମରେ ଦୁଇଟି ଆସନ ଯାଇପାରେ। ଯଦି ବିଜେଡି ଓ ବିଜେପି ମଧ୍ୟରେ ତାଳମେଳ ରୁହେ ତେବେ ବିରୋଧୀ ବାକି ଦୁଇଟି ଦାବି କରିପାରନ୍ତି । କିନ୍ତୁ ଶଙ୍ଖ ଓ ହାତ ମଧ୍ୟରେ ଏକତା ଏକପ୍ରକାର ଅସମ୍ଭବ ମନେହୁଏ। ଏମିତିରେ କେଉଁ ଦଳ ପାଇବ କେତେ ରାଜ୍ୟସଭା ଆସନ । ତାହା ଉପରେ ଏବେ ସଭିଙ୍କ ନଜର ।