ପୂର୍ବତନ ରେଳମନ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଚାକିରି ପାଇଁ ଜମି ମାମଲାରେ ଏକ ବଡ଼ ଝଟକା ଲାଗିଛି, କାରଣ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ କରିଛି। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ସମେତ ୪୦ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ କରାଯାଇଛି।
ମାମଲାର ଶୁଣାଣି ସମୟରେ, ସ୍ୱତନ୍ତ୍ର ସିବିଆଇ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଦୃଢ଼ ପ୍ରମାଣ ଅଛି। ସମଗ୍ର ପରିବାର ଏକାଠି ଷଡ଼ଯନ୍ତ୍ର କରିଥିଲେ। ସେମାନେ ଏକ ଅପରାଧୀ ସିଣ୍ଡିକେଟ୍ ଭାବରେ କାର୍ଯ୍ୟ କରିଥିଲେ। ତେଣୁ, ଚାକିରି ପାଇଁ ଜମି ମାମଲାରେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ କରାଯାଇଛି ଏବଂ ବିଚାର ଆରମ୍ଭ ହେବ। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୯ ତାରିଖରେ ହେବ।