ସେନ୍ସେକ୍ସ ଧରାଶାୟୀ
ନିବେଶକଙ୍କର ୧୪ ଲକ୍ଷ କୋଟି କ୍ଷତି
ନୂଆଦିଲ୍ଲୀ: ଶେୟାର ବଜାରରେ ଆସିଛି ଭୂକମ୍ପ। ସେନସେକ୍ସ ପାଇଁ ଅଶୁଭ ସାଜିଛି ଏଥରର ସୋମବାର। ଧରାଶାୟୀ ହୋଇଛି ସେନସେକ୍ସ। ୧୧୦୦ରୁ ଅଧିକ ପଏଣ୍ଟ ତଳକୁ ଖସିଛି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ । ଯାହାଦ୍ବାରା ୧୪ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛନ୍ତି ନିବେଶକ। ସୂଚନା ଅନୁସାରେ ସୋମବାର ସେନସେକ୍ସ ତଳମୁହାଁ ହୋଇ ୧୧୦୦ରୁ ଅଧିକ ପଏଣ୍ଟ ତଳକୁ ଖସି ୭୬,୨୫୦ ରହିଥିଲା। ସେହିଭଳି ନିଫଟି ୩୫୦ ପଏଣ୍ଟ ହରାଇ ୨୩,୦୪୭ରେ ପହଞ୍ଚିଥିଲା। ଫଳରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀଗୁଡିକୁ ୧୪.୫୪ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। ଉଲ୍ଲେଖ ଯେ ବିଗତ ୩ ମାସ ହେବ ଶେୟାର ବଜାରରେ ଅସ୍ଥିରତା ଲାଗି ରହିଛି। କିନ୍ତୁ ସୋମବାର ସେନସେକ୍ସ ଏଭଳି ଧରାଶାୟୀ ହେବା ଚିନ୍ତା ବଢାଇ ଦେଇଛି। ବିଶେଷକରି ନୂଆ ନିବେଶକଙ୍କ ଲାଗିଛି ଶକ୍ତ ଝଟକା। ଏମାନେ ବିଗତ ୪ ବର୍ଷ ଭିତରେ ଏଭଳି ବଡ଼ଧରଣର ହ୍ରାସ ଦେଖି ନ ଥିବେ ବୋଲି କୁହାଯାଉଛି। ସୋମବାର ସକାଳେ ଇଫ୍ଟି ପାଖାପାଖି ଦେଢଗୁଣା ହ୍ରାସ ପାଇଥିଲା। ୨୩୦୦୦ ଅଙ୍କର ନିକଟତର ହେବା ପରେ ଏହା ସ୍ଥିର ହୋଇଯାଇଥିଲା। କିନ୍ତୁ ମିଡକ୍ୟାପ ଏବଂ ସ୍ଲଲକ୍ୟାପ ସେନ୍ସେକ୍ସରେ ପ୍ରବଳ ହ୍ରାସ ଲକ୍ଷ୍ୟ କରାଯାଇଛି।