ବିଶ୍ୱରେ ଯେତେ ମନ୍ଦିର ଅଛି ସେଥିମଧ୍ୟରୁ ଜଗନ୍ନାଥ ମନ୍ଦିର ସର୍ବାଧିକ ନୀତି ବହୁଳ ମନ୍ଦିର ଅଟେ।ଜଗନ୍ନାଥଙ୍କ ଦୈନନ୍ଦିନ ନୀତିକୁ ବାଦ୍ ଦେଲେ ବାର୍ଷିକ ଯାତ୍ରା ଉତ୍ସବ, ପର୍ବପର୍ବାଣିରେ କେତେକ ନୀତି ସମ୍ପାଦନା ପାଇଁ ସେବକମାନେ ଚଳନ୍ତି ପ୍ରତିମାମାନଙ୍କୁ ଘଣ୍ଟ , ଛତା , କାହାଳୀ ସହ ଶ୍ରୀମନ୍ଦିରର ବାହାରେ ଥିବା ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀ, ମଠ ଓ ତୀର୍ଥ ଆଦିକୁ ନେଇ ସେଠାରେ ପରମ୍ପରା ଅନୁଯାୟୀ ରୀତିନୀତି ସମ୍ପାଦନା କରନ୍ତି।ଶ୍ରୀକ୍ଷେତ୍ରସ୍ଥ ଦେବାଦେବୀ ମନ୍ଦିର ସହିତ ଶ୍ରୀଜଗନ୍ନାଥଙ୍କ ଉପାସନାର ସମ୍ପର୍କ ଥିବା ପ୍ରଧାନ ମନ୍ଦିରଗୁଡ଼ିକ ହେଲା ଆଲାମଚଣ୍ଡୀ, ଅର୍ଦ୍ଧାଶନୀ, ନାରାୟଣୀ, ଚର୍ଚ୍ଚିକା, ଦକ୍ଷିଣ କାଳୀ, ଜୟଦୁର୍ଗା ମନ୍ଦିର, ଚକ୍ର ନୃସିଂହ/ଚକ୍ର ନାରାୟଣ, ଯମ୍ବେଶ୍ୱର, ଲୋକନାଥ, ନୀଳକଣ୍ଠ, କପାଳମୋଚନ, ମାର୍କଣ୍ଡେଶ୍ୱର ଇତ୍ୟାଦି।

ଜଗନ୍ନାଥଙ୍କ ନୀତି ସହ ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ଚାରି ଆଶ୍ରମ ଓ ମାର୍କଣ୍ଡ ପୁଷ୍କରିଣୀର ସମ୍ପର୍କ ରହିଛି।ଏହି ପୁରୁଷୋତ୍ତମ କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ମହାବିଷ୍ଣୁ ଶ୍ରୀଜଗନ୍ନାଥ ରୁଦ୍ରଙ୍କୁ କ୍ଷେତ୍ର ସ୍ୱାମୀ ରୂପେ ଓ ଶକ୍ତିଙ୍କୁ କ୍ଷେତ୍ର ରକ୍ଷାକାରିଣୀ ରୂପେ ଅଷ୍ଟ ଲିଙ୍ଗ ଓ ଅଷ୍ଟ ଶକ୍ତିଙ୍କୁ ଶ୍ରୀମନ୍ଦିରର ଚତୁର୍ଦ୍ଦିଗରେ ସ୍ଥାପନା କରିଛନ୍ତି।ବାମଦେବ ସଂହିତାରେ ଉଲ୍ଲେଖ ଅଛି ଯେ-
ବାଟେଶୋ ବଟମୂଳେ ତୁ କ୍ଷେତ୍ରପାଳୋ ଜମ୍ବେଶ୍ୱରଃ
ଈଶାନୋ ନୀଳକଣ୍ଠହ ସ୍ୟାନ୍ମାର୍କଣ୍ଡେୟଶ୍ଚବିଲ୍ୱକଃ।।୩୬।
କପାଳମୋଚନୋ ନାମ ଲିଙ୍ଗାନ୍ୟଷ୍ଟଉ ମହେଶିତୁଃ।
ରୁଦ୍ରାଣୀ ବଟମୂଳେ ତୁ ମଙ୍ଗଳା ବିମଳା ତଥା।।୩୭।
ଶଙ୍ଖସ୍ୟ ପୃଷ୍ଟଭାଗେ ତୁ ସଂସ୍ଥିତା ସର୍ବମଙ୍ଗଳା।
ଅର୍ଦ୍ଧାଶନୀ ତଥାଲମ୍ବା କୌବେରଦିଶି ସଂସ୍ଥିତା।।୩୮।
କାଳରାତ୍ରୀ ଦକ୍ଷିଣସ୍ୟାଂ ପୂର୍ବସ୍ୟାଂ ତୁ ମରୀଚିକା।
କାଳରାତ୍ର୍ୟାସ୍ତଥା ପଶ୍ଚାଚ୍ଚଣ୍ଡରୂପା ବ୍ୟବସ୍ଥିତା।।୩୯।