ନୂଆଦିଲ୍ଲୀ,: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଏଥିନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମତି ପ୍ରଦାନ କରିଛନ୍ତି। ହାଓ୍ବଲା କାରବାର ମାମଲାରେ ବେଆଇନ ଅର୍ଥ କାରବାର ନେଇ ଇଡି ଜୈନଙ୍କ ବିରୋଧରେ ଅଭିଯୋଗ ଆଣିଥିଲା। ଏହି ମାମଲାରେ ୨୦୨୨ ମେ’ରେ ତାଙ୍କୁ ଗିରଫ କରାଯାଇଥିଲା। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୧୮ ଅଧୀନରେ ଜୈନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରପତିଙ୍କ ଅନୁମତି ଲୋଡା ଯାଇଥିଲା। ଏହି ମାମଲାରେ ବ୍ୟାପକ ତଦନ୍ତରୁ ଜୈନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିବା ଆବେଦନ ପତ୍ରରେ ଦର୍ଶାଯାଇଥିଲା। ଜୈନ୍ ସମ୍ପ୍ରତି ଜାମିନରେ ଥିବା ବେଳେ ଇଡି ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଉଲ୍ଲେଖ ଯେ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୨୦୧୭ ଅଗଷ୍ଟରେ ଜୈନ୍ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ସିବିଆଇ ପକ୍ଷରୁ ଦାଖଲ ଏତଲା ଉପରେ ତଦନ୍ତରୁ ଏହି ବେଆଇନ ଅର୍ଥ କାରବାର ମାମଲା ସମ୍ମୁଖକୁ ଆସିଥିଲା।