ଆସୁଛି ପାର୍ବଣ, ସଜେଇ ହେଉଛି ଭାରତ । ହେଲେ, ଗହଣାଗାଣ୍ଠି କଥା ଭାବିବାକୁ ଡର ଲାଗୁଛି । ସୁନା ଦୋକାନ ଦେଖିଲେ ମନ ପୋଡି ଯାଉଛି। ସପନରେ ସୁନା ଆସିଲେ ଦେହ କମ୍ପିଯାଉଛି । ସାପ ଭଳି ଡରାଉଛି ସୁନା ଦର ! କନ୍ଦାଉଛି ହଳଦିଆ ହୀରା । ମନମୋହନ ଯୁଗରୁ ମହଙ୍ଗା ହୋଇପଡିଛି ମୋଦୀ ଯୁଗ! ୨୦୧୪ ପୂର୍ବରୁ ୨୬ ହଜାର ଥିବା ସୁନା ଦର ମୋଦୀ କ୍ଷମତାକୁ ଆସିବାର ୧୪ ବର୍ଷ ନପୁରୁଣୁ ୪ ଗୁଣାରୁ ଅଧିକ ବଢିଯାଇଛି । ଗରିବୀ ହଟାଓ ଦେଶ ବଞ୍ଚାଅ ନାରା ଦେଉଥିବା ମୋଦୀ ସରକାରଙ୍କ ଏ ପୂରା କାର୍ଯ୍ୟକାଳରେ ସୁନା ଦର ସଂକ୍ରମଣଠୁ ବି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯଦି ସ୍ବାଧୀନ ଭାରତ କଥା କହିବା ତେବେ ୧୯୪୭ରେ ୮୮ ଟଙ୍କାରେ ମିଳୁଥିବା ସୁନା ଏ ୭୮ ବର୍ଷ ଭିତରେ ଲକ୍ଷେ ୧୦ ହଜାର ଟପିଯାଇଛି । ସ୍ବାଧୀନତା ପରେ ଭାରତରେ ଗରିବର ଉନ୍ନତି ହୋଇଥାଉ କି ନ ଥାଉ ସୁନାର ବେଶ୍ ଉନ୍ନତି ହୋଇଛି ।
ପାର୍ବଣ ପୂର୍ବରୁ, ଗହଣା ବଜାରରେ ଲାଗିଛି ନିଆଁ । ଦାଉଦାଉ ଚମକୁଛି ସୁନା, ହୁହୁ ହୋଇ ବଢୁଛି ସୁନା ରେଟ୍ । ହୀରାଠୁ ବି ବଳି ପଡିଲାଣି ସୁନା ମୂଲ୍ୟ । ୮ ମାସରେ ୪୦ରୁ ଅଧିକ ପ୍ରତିଶତ ବଢିଲାଣି ସୁନା ରେଟ୍ । ଏବେ ସର୍ବକଳୀନ ସର୍ବାଧିକ ସ୍ତରରେ ସୁନା ଦର । ହସୁଛି ସୁନା, କାନ୍ଦୁଛି ଗରିବ । ଆଗକୁ ବିବାହ ଋତୁ ଥିବା ବେଳେ ସାତ ସପନ ପାଲଟିଲାଣି ଏ ହଳଦିଆ ହୀରା । କେବଳ ଆକାଶ ନୁହେଁ, ଅନ୍ତରୀକ୍ଷ ଛୁଇଁଲାଣି ସୁନା ଦରର ଗ୍ରାଫ ।
ମନ ଖଟା କରିଦେଉଛି ସୁନାର ଏ ବର୍ଦ୍ଧିତ ଦର । ଇଚ୍ଛା ଥିଲେ ବି ହାତ ମାରିବାକୁ ଡରୁଛନ୍ତି ଗ୍ରାହକ । ସୁନା ଦରର ଗ୍ରାଫ ଯେତେ ଉପରମୁହାଁ ହେଉଛି, ଗ୍ରାହକଙ୍କ ମଧ୍ୟରେ ଏହାର ଚାହିଦା ବି ସେତେ କମିବାରେ ଲାଗିଛି । ଆକଳନ କହୁଛି, ୧୪% କମିଛି ସୁନାର ଡିମାଣ୍ଡ ।
କାହିଁକି ବଢିଲା, ସୁନା ଦର? ପର୍ବଣର ପ୍ରଭାବ ନା ବିବାହ ଋତୁର ଉତ୍ସାହ । କେମିତି, ଅନ୍ତରୀକ୍ଷ ଛୁଇଁଲା ସୁନା ଦର, ଆସନ୍ତୁ ଏହି ଭିଡିଓଟିରେ ବୁଝିବା ।
ପୁଣି ଥରେ ଏକ ନୂତନ ରେକର୍ଡ ଛୁଇଁଛି ସୁନା ମୂଲ୍ୟ । MCX ରେ ଡିସେମ୍ବର ଡେଲିଭରି ପାଇଁ ସୁନାର ଫ୍ୟୁଚର୍ସ ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧ଲକ୍ଷ ୧୦ ହଜାର ଟଙ୍କା ଅତିକ୍ରମ କରିଛି। ପ୍ରାରମ୍ଭିକ ବାଣିଜ୍ୟରେ ଏହା ୧ ଲକ୍ଷ ୧୦ ହଜାର ୪୦୦ ଟଙ୍କା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଶେଷରେ ଏହା ୧ ଲକ୍ଷ ୯ ହଜାର ୫୮୯ ଟଙ୍କାରେ ବନ୍ଦ ହୋଇଥିଲା । ଆଜି ଏହା ୧ ଲକ୍ଷ ୧୦ ହଜାର ୪୭ ଟଙ୍କାରେ ଖୋଲାଯାଇଥିଲା। ଅପରାହ୍ନ ସାଢେ ୧୨ଟାରେ ଏହା ୫୩୦ ଟଙ୍କା ଅର୍ଥାତ ପଏଣ୍ଟ ୪୮% ବୃଦ୍ଧି ସହିତ ୧ ଲକ୍ଷ ୧୦ ହଜାର ୧୧୯ ଟଙ୍କାରେ କାରବାର କରୁଥିଲା। ଯଦି ଚଳିତ ବର୍ଷ ଏଯାବତ୍ ସୁନା ମୂଲ୍ୟ ବୃଦ୍ଧିକୁ ଦେଖିବା ତେବେ ଗତ ୮ ମାସ ଭିତରେ ୪୦% ରୁ ଅଧିକ ବୃଦ୍ଧି ପାଇଛି ସୁନାର ମୂଲ୍ୟ ।
ଏଠାରେ ଆମେ କହି ରଖୁଛୁ ଯେ MCX ବାଣିଜ୍ୟ ପ୍ଲାଟଫର୍ମ ନିୟାମକ ବାହ୍ୟ ପରିବେଶ ପାଳନ କରି ନିରାପଦ ଏବଂ ସ୍ୱଚ୍ଛ ବାଣିଜ୍ୟ ପ୍ରକ୍ରିୟା ପ୍ରଦାନ କରେ। MCX 2003 ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଏହା ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI) ଦ୍ୱାରା ପରିଚାଳିତ। MCX ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (NSE) ପରି ସମାନ ଧାରାରେ କାର୍ଯ୍ୟ କରେ । ଏହା କୃଷି ସାମଗ୍ରୀ, ଧାତୁ ଏବଂ ଶକ୍ତି ଭଳି ବିଭିନ୍ନ ବର୍ଗରେ ସାମଗ୍ରୀ ଡେରିଭେଟିଭ୍ ଚୁକ୍ତିନାମା ବିକ୍ରୟ କରେ। ଏକ ଫ୍ୟୁଚର୍ସ କାରବାରରେ ଜଣେ ବ୍ୟବସାୟୀ ଏକ ନିର୍ଦ୍ଦିଷ୍ଟ ତାରିଖରେ ଏକ ସ୍ଥିର ମୂଲ୍ୟରେ ଉତ୍ପାଦଗୁଡ଼ିକର ଏକ ସେଟ୍ କ୍ରୟ କରନ୍ତି। ଉଦାହରଣ ସ୍ୱରୂପ, ବର୍ଷ ପାଇଁ ଅମଳ ହେବା ପୂର୍ବରୁ ଗହମ କ୍ରୟ କରନ୍ତି।
ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଏକ ନୂଆ ରେକର୍ଡ କରିଛି ସୁନା । ଆମେରିକୀୟ ଡଲାର ଦୁର୍ବଳ ହେବା କାରଣରୁ ବୃଦ୍ଧି ପାଇଛି ସୁନା ଦରର ଏ ଚମକ । ଆମେରିକା ଶ୍ରମ ବଜାର ତଥ୍ୟ ଆଶାନୁରୂପ ହୋଇ ନ ଥିବାରୁ ଡଲାର ଦୁର୍ବଳ ହୋଇଛି। ଫଳରେ ଅକ୍ଟୋବର ଡେଲିଭରି ପାଇଁ ସୁନାର ଫ୍ୟୁଚର୍ସ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଏଥିରେ ସର୍ବାଧିକ କାରବାର ଦେଖିବାକୁ ମିଳିଛି। ଏହା ୫୮୨ ଟଙ୍କା ଅର୍ଥାତ ୦.୫୪ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୧ ଲକ୍ଷ ୯ ହଜାର ୧୦୦ ଟଙ୍କାରେ ପହଞ୍ଚିଛି।
ଏମସିଏକ୍ସରେ ସୁନା ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ଭୁବନେଶ୍ବରରେ ଆଜି ୨୨ କ୍ୟାରେଟ ସୁନା ଦର ରହିଛି ୧୦ ଗ୍ରାମ ପିଛା ୯୯,୯୯୯.୯ ଟଙ୍କା ଅର୍ଥାତ ଲକ୍ଷେ ଟଙ୍କା । ସେହିଭଳି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି, ୧ ଲକ୍ଷ ୫ ହଜାର ଟଙ୍କା ।
ସୁନା ମୂଲ୍ୟ ବୃଦ୍ଧି ପାଇବାର ଆଉ ଏକ କାରଣ ହେଉଛି ଫେଡେରାଲ ରିଜର୍ଭ ଚଳିତ ବର୍ଷ ଶେଷ ସୁଦ୍ଧା ସୁଧ ହାର ହ୍ରାସ କରିପାରେ । ଫେଡର ପରବର୍ତ୍ତୀ ନୀତି ବୈଠକରେ ୨୫ ବେସିସ୍ ପଏଣ୍ଟ ହ୍ରାସ ହୋଇପାରେ। ସେପଟେ ଅନ୍ତର୍ଜାତୀୟ ବଜାରରେ, କମେକ୍ସରେ ଡିସେମ୍ବରରେ ଡେଲିଭରି ପାଇଁ ସୁନାର ଫ୍ୟୁଚର୍ସ ମୂଲ୍ୟ ଆଉନ୍ସ ପିଛା ୩ ହଜାର ୬୯୪ ଡଲାରରୁ ଅଧିକ ହୋଇଛି, ଯାହାକି ଏକ ଅଭୂତପୂର୍ବ ସ୍ତର ବୋଲି କୁହାଯାଉଛି ।
ସ୍ବର୍ଗର ପାରିଜାତ ଭଳି ଦୁର୍ଲଭ ହେବ ଏ ହଳଦିଆ ହୀରା । ଆଗକୁ ଆହୁରି ବଢିବ ସୁନା ଦର ।