• ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ ଅନ୍ତର୍ଗତ ଜାତୀୟ ଶିଶୁକନ୍ୟା ସପ୍ତାହର ଶୁଭାରମ୍ଭ
• ଯାଜପୁରରେ ନବନିର୍ମିତ ଉତ୍କଳ ବାଳାଶ୍ରମ ଓ ଆଧୁନିକ ରୋଷେଇ ବ୍ୟବସ୍ଥା
• “ପାଳନା” ଯୋଜନା ମାର୍ଗଦର୍ଶିକାର ଶୁଭ ଉନ୍ମୋଚନ
• ଭିତ୍ତିପ୍ରସ୍ତର ସ୍ଥାପନ- ଖୋର୍ଦ୍ଧା ଏବଂ ଗଜପତିରେ ‘ସମନ୍ବିତ ବାତ୍ସଲ୍ୟ ସଦନ’
ରାଜ୍ୟର ୧୦ଟି ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ‘ନାରୀ ଅଦାଲତର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିଲେ।ମହିଳା ସଶକ୍ତିକରଣ “ବିକଶିତ ଓଡ଼ିଶା” ଗଠନର ମୂଳଦୁଆ ବୋଲି ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଏପରି ଉଦ୍ୟମର ସଫଳତା ତୃଣମୂଳସ୍ତରର କାର୍ଯ୍ୟାନ୍ୱୟନ ଉପରେ ନିର୍ଭର କରେ । ଏହି ଉଦ୍ୟମକୁ ସାଧୁବାଦ ଜଣାଇ ଶ୍ରୀ ହରିଚନ୍ଦନ କହିଥିଲେ ଯେ ‘ନାରୀ ଅଦାଲତ’, ମଧ୍ୟସ୍ଥତା ଆଇନ ମାଧ୍ୟମରେ ପାରିବାରିକ ଓ ଦେୱାନୀ ମାମଲାର ସହଜ ସମାଧାନ କରି ଲିଟିଗେସନ ହ୍ରାସ କରିବା ସହ ଏକ ଭେଦଭାବମୁକ୍ତ ମହିଳା-କୈନ୍ଦ୍ରିକ ସମାଜ ଗଠନ କରିବ । ତାଲୁକା ଆଇନ ସେବା ପ୍ରାଧିକରଣର ସହଯୋଗରେ ମହିଳାମାନଙ୍କୁ ନ୍ୟାୟିକ କ୍ଷମତା ପ୍ରଦାନ କରିବା ଏବଂ ଏହି ଉଦ୍ୟମକୁ ସ୍ୱଚ୍ଛ ଓ ଫଳପ୍ରଦ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
‘ନାରୀ ଅଦାଲତ’ ମହିଳା ଅଧିକାର ସମ୍ପର୍କରେ ସଚେତନତାକୁ ସହଜ କରିବା ଏବଂ ତୃଣମୂଳ ସ୍ତରରେ ଆଲୋଚନା ଏବଂ ମଧ୍ୟସ୍ଥତା ମାଧ୍ୟମରେ ତ୍ୱରିତ, ସୌହାର୍ଦ୍ଦପୂର୍ଣ୍ଣ ବିବାଦ ସମାଧାନ ପ୍ରଦାନ କରିବା ପାଇଁ ୧୦ଟି ଜିଲ୍ଲାର ୧୦ ଟି ଗ୍ରାମ ପଞ୍ଚାୟତରେ ‘ନାରୀ ଅଦାଲତ’ ପ୍ରୟାସ ଆରମ୍ଭ କରାଯାଇଛି। ଏହି ମଞ୍ଚ ମାଧ୍ୟମରେ ଘରୋଇ ହିଂସା, ଯୌତୁକ, ଶିଶୁ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାର ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ କରାଯିବ, ଯାହା ଦ୍ଵାରା ପଞ୍ଚାୟତ ସ୍ତରରେ ସମୟାନୁବର୍ତ୍ତୀ ଏବଂ ସୁଲଭ ନ୍ୟାୟ ସୁନିଶ୍ଚିତ ହେବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଥିଲେ ।
ଜାନୁଆରୀ ୧୭ ରୁ ଜାନୁଆରୀ ୨୪ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ ଅନ୍ତର୍ଗତ ସପ୍ତାହବ୍ୟାପୀ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬ ର ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଶୁଭାରମ୍ଭ କରିଛନ୍ତି।
ଜାନୁଆରୀ ୧୭ ରୁ ଜାନୁଆରୀ ୨୪ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ ଅନ୍ତର୍ଗତ ସପ୍ତାହବ୍ୟାପୀ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬ ର ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ସଚେତନତା ପଦଯାତ୍ରା, ମହାବିଦ୍ୟାଳୟସ୍ତରରେ ପ୍ରତିଯୋଗିତା, କୃତୀ ଓ ସଫଳ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାଯିବ। ଲିଙ୍ଗ ଆଧାରିତ ଚୟନମୂଳକ ଗର୍ଭପାତକୁ ରୋକିବା, ଲିଙ୍ଗ ସମାନତାକୁ ପ୍ରୋତ୍ସାହନ ଦେବା ଏବଂ କନ୍ୟାଶିଶୁ ପ୍ରତି ସମାଜିକ ମନୋଭାବରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ।
କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, କେନ୍ଦ୍ରୀୟ ପ୍ରାୟୋଜିତ ‘ପାଳନା’ (ଅଙ୍ଗନୱାଡି-କମ୍-କ୍ରେଚ୍) ଯୋଜନାର କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ମଧ୍ୟ ଉନ୍ମୋଚନ କରାଯାଇଥିଲା। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ୬୦:୪୦ ମୂଲ୍ୟ-ବଣ୍ଟନ ଅନୁପାତରେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ୬ ମାସରୁ ୩ ବର୍ଷ ବୟସର ଶିଶୁମାନଙ୍କ ପାଇଁ ଏକ ନିରାପଦ ଲାଳନପାଳନ ଏବଂ ଶିଶୁ-ଅନୁକୂଳ ପରିବେଶ ପ୍ରଦାନ କରିବା ସହ ସେମାନଙ୍କର ପୁଷ୍ଟି, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଜ୍ଞାନାତ୍ମକ ବିକାଶ ସୁନିଶ୍ଚିତ କରିବ। ଏହି ପଦକ୍ଷେପ କାର୍ଯ୍ୟବଳରେ କର୍ମଜୀବୀ ମାଆମାନଙ୍କର କର୍ମ କ୍ଷେତ୍ରରେ ଅଂଶଗ୍ରହଣ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି ମଧ୍ୟ ଆଶା କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ, ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ା ବ୍ୟତୀତ ରାଜ୍ୟର ୨୫ଟି ଜିଲ୍ଲାରେ ୧୬୮ଟି ଅଙ୍ଗନୱାଡି କେନ୍ଦ୍ରକୁ ‘ପାଳନା’ କେନ୍ଦ୍ର ଭାବରେ ଚିହ୍ନଟ ଏବଂ କାର୍ଯ୍ୟକ୍ଷମ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଶିଶୁ ସୁରକ୍ଷା, ପୁଷ୍ଟିସାର ଯୁକ୍ତ ଖାଦ୍ୟ, ନିରାପଦ ଶୋଇବା ସୁବିଧା, ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଟୀକାକରଣ ସହାୟତା ସମେତ ସେବା ପ୍ରଦାନ କରିବ।

ଏହା ସହିତ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ରାଜ୍ୟ ବଜେଟରୁ ୨.୪୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଯାଜପୁରରେ ଉତ୍କଳ ବାଳାଶ୍ରମର ଏକ ୧୦୦ ଶଯ୍ୟା ବିଶିଷ୍ଟ ନୂତନ କୋଠାକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ। ଅନ୍ତେବାସୀ ପିଲାମାନଙ୍କ ପାଇଁ ପରିଷ୍କାର ଏବଂ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ପୁରୀ ଏବଂ ଯାଜପୁରର ଉତ୍କଳ ବାଳାଶ୍ରମରେ ଆଧୁନିକ ରୋଷେଇ ଘର ମଧ୍ୟ ଉଦଘାଟନ କରାଯାଇଥିଲା। ପର୍ଯ୍ୟାୟକ୍ରମେ ଏହି ଆଧୁନିକ ରୋଷେଇ ଘର ସୁବିଧାକୁ ଅନ୍ୟ ଜିଲ୍ଲାକୁ ବିସ୍ତାର କରିବାକୁ ଯୋଜନା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉପ-ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଏବଂ ଗଜପତି ଜିଲ୍ଲାରେ ଦୁଇଟି ସମନ୍ୱିତ ବାତ୍ସଲ୍ୟ ସଦନ ପାଇଁ ଆଭାସୀ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସୁବିଧାଗୁଡ଼ିକ ଶିଶୁ ଯତ୍ନ ପ୍ରତିଷ୍ଠାନ, ଶିଶୁ କଲ୍ୟାଣ କମିଟି ଏବଂ କିଶୋର ନ୍ୟାୟ ବୋର୍ଡକୁ ଗୋଟିଏ ଛାତ ତଳେ ଏକାଠି କରିବ। ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ପିଲାମାନଙ୍କୁ ଶିଶୁ-ଅନୁକୂଳ, ସହଜ ଏବଂ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା।
କାର୍ଯ୍ୟକ୍ରମରେ ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଶୁଭା ଶର୍ମା, ଆଇନ ବିଭାଗର ପ୍ରମୁଖ ସଚିବ ଡକ୍ଟର ପବିତ୍ର ମୋହନ ସାମଲ, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଏବଂ ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର କଲେକ୍ଟର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ନାରୀ ଅଦାଲତର ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀମାନେ ଯୋଗ ଦେଇଥିଲେ।