ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାର ଫଳ ଶନିବାର ପ୍ରକାଶିତ ପାଇଛି। ସପ୍ଲିମେଣ୍ଟାରୀ ପାସ୍ ହାର ୫୬.୨୩ ପ୍ରତିଶତ। ୩୪୫୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୧୮୪୪ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ୧୦,୮୦୯ ଜଣ ଛାତ୍ରଛାତ୍ରୀ ମୁକ୍ତ ବିଦ୍ୟାଳୟ ଦ୍ୱିତୀୟ ପରୀକ୍ଷା ଦେଇଥିଲେ ଏବଂ ୫୯୭୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୁକ୍ତ ବିଦ୍ୟାଳୟ ପରୀକ୍ଷାର ପାସ୍ ହାର ୫୫.୨୬ ପ୍ରତିଶତ ରହିଛି ।
ଆସନ୍ତା ସୋମବାର, ଛାତ୍ରଛାତ୍ରୀମାନେ ନେଟ୍ ରୁ ସେମାନଙ୍କର ଡିଜିଟାଲ୍ ପ୍ରମାଣପତ୍ର ଡାଉନଲୋଡ୍ କରିପାରିବେ। ଛାତ୍ରଛାତ୍ରୀମାନେ ଗୋଟିଏ ମାସ ପରେ ସ୍କୁଲରୁ ପ୍ରମାଣପତ୍ରର ହାର୍ଡ କପି ସଂଗ୍ରହ କରିପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଜୁନ୍ 30 ତାରିଖରେ ଆରମ୍ଭ ହୋଇଥିବା ମାଟ୍ରିକ୍ ସପ୍ଲିମେଣ୍ଟାରୀ ଏବଂ ମୁକ୍ତ ବିଦ୍ୟାଳୟ ପରୀକ୍ଷା 10 ତାରିଖରେ ଶେଷ ହୋଇଥିଲା। ଜୁଲାଇ 14 ତାରିଖରୁ ଆକାଉଣ୍ଟ ଖୋଲାଯାଇଥିଲା ଏବଂ ଜୁଲାଇ 20 ତାରିଖ ସୁଦ୍ଧା ଆକାଉଣ୍ଟ ବନ୍ଦ କରାଯାଇଥିଲା ଓ ଦୁଇ ସପ୍ତାହ ମଧ୍ୟରେ ଫଳାଫଳ ପ୍ରକ୍ରିୟାକରଣ କରାଯାଇଥିଲା।