କେବେ ଚିନ୍ତା କରିଛନ୍ତି କି ଯଦି କେହି କାହା ସହ ଥଟ୍ଟା ମଜା ନ କରନ୍ତେ, ହସି ହସି ବେଦମ କରିଦେବା ଭଳି ଚୁଟକୁଲା ଏ ପୃଥିବୀରେ ନଥାନ୍ତା, ଦୁନିଆରେ ବ୍ୟଙ୍ଗାତ୍ମକ ଗପ ହିଁ ନଥାନ୍ତା; ତେବେ ଜୀବନ କେମିତି ହୋଇଥାଆନ୍ତା ? ଠିକ ସେହିଭଳି ଯେମିତିକି ପାଣି ବିନା ଏକ ମରୁଭୂମି; ଅର୍ଥାତ ଜୀବନ ଜଞ୍ଜାଳର ତାତିରେ ଶୁଷ୍କ ଓ ଏକଦମ ନିରାଶ । ଅଥବା ଏମିତି ଏକ ଗତିଶୀଳ ନଈ ଯାହାର ବକ୍ଷରେ ପ୍ରବାହିତ ଜଳରେ କୌଣସି ସମ୍ଭାବନା ନଥାଏ; ତାହା ନିରନ୍ତର ପ୍ରବାହିତ ତ ହୁଏ, କିନ୍ତୁ ନା ତାକୁ ପାନୀୟ ଭାବେ ବ୍ୟବହାର କରି ହୁଏ, ନା ତାହା କୌଣସି ପ୍ରକାର ଉପକାରରେ ଆସେ । ଏମିତି ପାଣି କେବଳ ଓ କେବଳ ବିଷାକ୍ତ ତତ୍ଵକୁ ଜନ୍ମ ଦେଇଥାଏ । ଠିକ ସେହି ଭଳି କେହି ମାନନ୍ତୁ କି ନମାନନ୍ତୁ; ଥଟ୍ଟା ମଜା, ଚୁଟକୁଲା, ବ୍ୟଙ୍ଗ; ଏସବୁରୁ ଦୂରରେ ରହୁଥିବା ଲୋକ କେବେ ନା କେବେ ଅନ୍ୟକୁ ଦୁଃଖୀ କରିବା ସହ ନିଜକୁ ମଧ୍ୟ ଦୁଃଖ ଦେଇବାସନ୍ତି ।
ବିଶ୍ବାସ କରନ୍ତୁ, କାହାରି ମୁଁହରେ ହସ ଆଣିଦେଉଥିବା ଏ ଥଟ୍ଟା ମଜା, ଚୁଟକୁଲା, ବ୍ୟଙ୍ଗ କୌଣସି ଥେରାପି ବା ଚିକିତ୍ସା ଠାରୁ କାମ ନୁହେଁ । ଓଠରେ ହସ ଫୁଟାଉଥିବା ଏ ଥଟ୍ଟା ମଜା ବ୍ୟକ୍ତିଙ୍କୁ ମାନସିକ ଭାବେ, ଏବଂ ଆମ ଅଜଣାତରେ, ଶାରୀରିକ ଭାବେ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଉଦାହରଣ ସ୍ୱରୂପ ଆପଣ ଜାତୀୟ ଚ୍ୟାନେଲରେ ପ୍ରସାରିତ ‘ କପିଲ ଶର୍ମା ‘ ସୋ କୁ ନେଇପାରନ୍ତି । ମନୋରଞ୍ଜନ ଇତିହାସରେ ସମ୍ଭବତଃ ଏହା ପ୍ରଥମ ଯେ, ଟିଭିର କୌଣସି କମେଡି ସୋ’କୁ ଏତେ ମାତ୍ରାରେ ପସନ୍ଦ କରାଯାଉଛି। ଅନେକ ଦର୍ଶକ ନିଜ ଜୀବନରେ ଆସିଥିବା ସବୁଠୁ ବଡ କଷ୍ଟକୁ ଏହି ସୋ’ ଦେଖି ଭୁଲି ପାରିଥିବା ନିଜେ କହିଛନ୍ତି ।
ବିଜ୍ଞାନ ମଧ୍ୟ କୁହେ ଯେ, ‘ହସ’ ବା ‘ଲାଫ୍ଟର’ ମଧ୍ୟ ଏକ ଚିକିତ୍ସା, ଯାହାକି ଚାପ ଏବଂ ଚିନ୍ତାକୁ ହ୍ରାସ କରିବା ପାଇଁ ଏକ ସାର୍ବଜନୀନ ଅଣ-ଔଷଧୀୟ ପଦ୍ଧତି। ଏହା ଏକ ଅଣ-ଆକ୍ରମଣାତ୍ମକ, କମ ଖର୍ଚ୍ଚ ଏବଂ ସହଜରେ କାର୍ଯ୍ୟକାରୀ ହୋଇପାରିବା ଭଳି ପଦ୍ଧତି । ‘ହସ’ ଚିକିତ୍ସା ଶାରୀରିକ ଭାବରେ ଚାପ-ପ୍ରତିରୋଧୀ କାରକଗୁଡ଼ିକୁ ହ୍ରାସ କରିପାରିବ ଏବଂ ଚିନ୍ତା ଓ ଅବସାଦକୁ ହ୍ରାସ କରିବା ପାଇଁ ମନୋବଳକୁ ଉନ୍ନତ କରୁଥିବା ଚାପ-ବିରୋଧୀ କାରକଗୁଡ଼ିକୁ ବୃଦ୍ଧି କରିପାରିବ। ଏହା ଯନ୍ତ୍ରଣା ଓ ଚାପରୁ ମୁକ୍ତି ଦେବା ସହ ଜଣେ ବ୍ୟକ୍ତିଙ୍କ ସୁସ୍ଥତା ଭାବନାକୁ ଉନ୍ନତ କରିଥାଏ। କୋଭିଡ -19 ମହାମାରୀ ସମୟରେ, ଆବଶ୍ୟକୀୟ ସାମାଜିକ ଦୂରତା ବଜାୟ ରଖି, ଏକ ଆନନ୍ଦଦାୟକ ପରିବେଶ ସୃଷ୍ଟି କରିବାରେ ‘ହସ’ର ଭୂମିକା ଗୁରୁତ୍ୱପୂର୍ଣ ଥିଲା । ସବୁଠୁ ମହତ୍ୱପୂର୍ଣ ହେଲା, ଏହା ଲୋକଙ୍କୁ କର୍କଟ ଭଳି ଗମ୍ଭୀର ରୋଗର ମୁକାବିଲା କରିବାରେ ସାହାଯ୍ୟ କରିପାରେ।
ତେବେ ଏ ହସ’ ଆସେ କେମିତି, ଏଇ ଥଟ୍ଟା ମଜା, ଚୁଟକୁଲା, ବ୍ୟଙ୍ଗରୁ ହିଁ ତ ? ହାସ୍ୟ ଚିକିତ୍ସାରେ ହସ ବ୍ୟାୟାମ, ଜୋକର ଏବଂ ହାସ୍ୟରସ ଚଳଚ୍ଚିତ୍ର, ପୁସ୍ତକ, ଖେଳ ଏବଂ ପଜଲ୍ ଅନ୍ତର୍ଭୁକ୍ତ ।