ମହାରାଷ୍ଟ୍ର ମୁମ୍ବାଇସ୍ଥିତ ହୋଟେଲ ତାଜମହଲ ପ୍ୟାଲେସରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଶିଳ୍ପ ମହାସଂଘ, ପୂର୍ବ ଭାରତ ସମ୍ମିଳନୀ ୨୦୨୫ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଂଶଗ୍ରହଣ କରିଛନ୍ତି । ଭାରତୀୟ ଶିଳ୍ପ ମହାସଂଘର ପୂର୍ବ ଭାରତ ସମ୍ମିଳନୀ ପୂର୍ବ ଭାରତର ବିଶାଳ ଆର୍ଥିକ ସମ୍ଭାବନାକୁ ଉନ୍ମୁକ୍ତ କରିବା ଉପରେ କେନ୍ଦ୍ରିତ ଏକ ପ୍ରମୁଖ ପଦକ୍ଷେପ ଅଟେ। ଏହି ସମ୍ମିଳନୀରେ ନିବେଶକ ଏବଂ ସରକାରୀ ପ୍ରତିନିଧିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ, ଗୋଲଟେବୁଲ ନୀତି ନିର୍ଦ୍ଧାରଣ ଓ ଆଲୋଚନା କରାଯାଇଛି।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ଓଡିଶା ଶ୍ରୀ ସିଂହଦେଓ ତାଙ୍କ ମୁଖ୍ୟ ଅଭିଭାଷଣରେ କହିଛନ୍ତି ଯେ, ଓଡିଶା ଖଣିଜ ସମ୍ପତ୍ତି, ଗଭୀର ଜଳ ବନ୍ଦର, ଦୃଢ଼ ରେଳ ଓ ରାସ୍ତା ସଂଯୋଗୀକରଣ, ଜମି, ପ୍ରାକୃତିକ ସମ୍ବଳ ସହିତ ଏକ ନିବେଶଯୋଗ୍ୟ ସ୍ଥାନ ଅଟେ।
ଏଥିସହିତ ଓଡ଼ିଶା ସମନ୍ୱିତ ଶିଳ୍ପ ଇକୋସିଷ୍ଟମ୍, ରପ୍ତାନି-ମୁଖୀ ଉତ୍ପାଦନ କରିଡର ନିର୍ମାଣ କରୁଛି ଯାହା ଲଜିଷ୍ଟିକ୍ ଏବଂ ବଜାର ପ୍ରବେଶକୁ ଆହୁରି ସୁଗମ ଓ ସହଜ କରିବ। ଉନ୍ନତ ପ୍ରଯୁକ୍ତିବିଦ୍ୟା, ଗ୍ରୀନ ଫିଲଡ଼ ପ୍ରୋଜେକ୍ଟ, ବନ୍ଦର-ନେତୃତ୍ୱାଧୀନ ଶିଳ୍ପ ଅଭିବୃଦ୍ଧିରେ ଓଡିଶା ନିବେଶ ଗ୍ରହଣ ପାଇଁ ପ୍ରସ୍ତୁତ । ଉପ-ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନିବେଶ କରିବାକୁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି।
ଉପ-ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଆମ ସରକାର ରେକର୍ଡ ସଂଖ୍ୟକ ୫୬ ଟି ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରିଛି, ଯାହା ₹ ୧.୭୮ ଲକ୍ଷ କୋଟି ନିବେଶକୁ ପ୍ରତିନିଧିତ୍ୱ କରୁଛି ଏବଂ ୧.୧୧ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି, ଏବଂ ନୂତନ ନିବେଶ ସହ ଆହୁରି ଏକ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବା ଆମର ଲକ୍ଷ୍ୟ ରଖିଛି।