
ସରିଲା ଶୋଡ଼ଷ ବିଧାନସଭାର ଶେଷ ଅଧିବେଶନ । ଶେଷ ଅଧିବେଶନର ଶେଷ ଦିନରେ ଭାବବିହ୍ବଳ ହେଲେ ବିଧାୟକ । ଗୋଟିଏ ଫ୍ରେମରେ ବସିଲେ ଶାସକ ବିରୋଧୀ ବିଧାୟକ । ପରସ୍ପର ସହ ବାଣ୍ଟିନେଲେ ବିଧାନସଭାର ସ୍ମୃତି । ଏକାଠି ହୋଇ ସଭିଏଁ ଫଟୋ ଉଠାଇବା ସହ ସ୍ମୃତି ଓ ଅନୁଭୂତିକୁ ପରସ୍ପର ମଧ୍ଯରେ ବାଣ୍ଟିଛନ୍ତି । ପୁଣି ଲୋକଙ୍କ ଆଶୀର୍ବାଦ ମିଳିଲେ ବିଧାନସଭା ଆସିବାର ସୁଯୋଗ ମିଳିବ । ଏହାପୂର୍ବରୁ ସମସ୍ତ ସଦସ୍ଯ ଗୋଟିଏ ଜାଗାରେ ଏକାଠି ହୋଇ ଫଟୋ ଉଠାଇଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ଗହଣରେ ବସି ଫଟୋ ଉଠାଇଥିଲେ ସମସ୍ତ ବିଧାୟକ । ଏହି ସମୟରେ ବିଧାୟକଙ୍କ ସହିତ ମୁଖ୍ଯମନ୍ତ୍ରୀ କଥା ହୋଇଥିଲେ । ଫଟୋ ସେସନ ପରେ ସମସ୍ତ ବିଧାୟକ ପରସ୍ପରକୁ କୋଳାଇ ନେଇ ଭାବବିହ୍ବଳ ହୋଇପଡ଼ିଥିଲେ । ଅନେକ ବରିଷ୍ଠ ନେତା ଏଥର ରାଜନୀତିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବାରୁ ସମସ୍ତଙ୍କ ହାତ ମିଶାଇ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ୬୫ରୁ ଅଧିକ ନବ ନିର୍ବାଚିତ ବିଧାୟକ ଅନେକ କିଛି ଶିକ୍ଷା ଲାଭ କରି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କାମ କରିବାର ପ୍ରେରଣା ପାଇଥିବା କହିଛନ୍ତି । ଏହା ଭିତରେ ଓଡ଼ିଶା ପାଇଥିଲା ପ୍ରଥମ ମହିଳା ବାଚସ୍ପତି । ଗୃହ ପରିଚାଳନା ଅନୁଭୂତି ବି ତାଙ୍କ ପାଇଁ ଥିଲା ବେଶ ନିଆରା । ସେହିପରି ଅନେକ ବିଧାୟକ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି । କେବଳ ହାଇକମାଣ୍ଡଙ୍କ ନିର୍ଦେଶକୁ ସେମାନେ ଅପେକ୍ଷା କରିଛନ୍ତି । 2019 ରୁ 2024 ଭିତରେ ଅନେକ ଉପନିର୍ବାଚନ ବି ହୋଇଛି । ଦୁଇ ବର୍ଷ ଉପରେ କୋଭିଡର ବି ପ୍ରଭାବ ପଡିଥିଲା । ହେଲେ ସାମାଜିକ ଦୂରତା ଓ ଅନ୍ୟ ନିୟମରେ ଚାଲିଥିଲା ଗୃହ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତଧୂଆ କାର୍ଯ୍ୟକ୍ରମ କରି କୋଭିଡ ବିରୋଧୀ ଲଢେଇରେ ସମସ୍ତଙ୍କୁ ସାମିଲ ବି କରିଥିଲେ । ଏମିତି ଅନେକ ଅନୁଭୂତିକୁ ନେଇ ଗୃହର ମତାନ୍ତର, ମନାନ୍ତର ଭୁଲିଯାଇ ପରସ୍ପରକୁ ଆଦରି ନେଇଥିଲେ ।