ସାଇବର ଠକଙ୍କ ଲୋଲୁପ ଦୃଷ୍ଟିରେ ଏବେ ଗର୍ଭବତୀ । ସ୍ବାସ୍ଥ୍ୟକର୍ମୀ ନାଁରେ ଅନଲାଇନ ଲୁଟ୍ । ଚାହୁଁଚାହୁଁ ଖାତାରୁ ଉଡିଗଲା ୯୪ହଜାର ୬୦୦ ଟଙ୍କା । ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ସମ୍ମୁଖକୁ ଆସିଛି ସାଇବର ଠକେଇର ଏହି ମାମଲା। ଏଠାକାର କିଛି ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ ହଜାର ହଜାର ଟଙ୍କା ସାଇବର ଠକେଇ ହୋଇ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଏଠାକାର ଗୋଶାଳା ଛକରେ ପାନ ଦୋକାନ ଦେଇଥିବା ଅଶୋକ କାଞ୍ଜିଆଙ୍କ ଗର୍ଭବତୀ ସ୍ତ୍ରୀ ଖୁସି ଡାକୁଆଙ୍କୁ ଆସିଥିଲା ଏକ ଫୋନ କଲ । ଫୋନର ଅପରପାର୍ଶ୍ବରେ ଥିବା ବ୍ୟକ୍ତି, ନିଜକୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ ଖୁସିଙ୍କ ସହ କଥା ହେବା ସହିତ ସ୍ଥାନୀୟ ଆଶାକର୍ମୀ ଭଗବତୀ ହରିପାଲଙ୍କୁ ମଧ୍ୟ ଫୋନ କନଫରେନ୍ସରେ ନେ଼ଇଥିଲେ । ଏମିତିକି ଖୁସିଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ, ଠିକ୍ ସମୟ ରେ ଔଷଧ ପତ୍ର ଖାଇବାକୁ, ସେ ପରାମର୍ଶ ଦେଇଥିଲେ । ବାର୍ତ୍ତାଳାପ ବେଳେ ସମ୍ପ୍ୟକ୍ତ ବ୍ୟକ୍ତି ଅଳ୍ପ ସମୟ ପାଇଁ ଆଶାକର୍ମୀ ଭଗବତୀଙ୍କ ଫୋନକୁ ହୋଲଡ଼ କରି ଦେଇଥିଲା ଏବଂ ସରକାରଙ୍କ ପକ୍ଷରୁ ପ୍ରସୂତୀମାନଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶି, ତାଙ୍କ ବ୍ୟାଙ୍କଖାତାକୁ ଆସିଛି କି ନାହିଁ ବୋଲି ଖୁସିଙ୍କୁ ସେ ପଚାରିବା ସହିତ କୌଶଳ କରି ବ୍ୟାଙ୍କ ଖାତା ନମ୍ବର ଓ ପିନ ମାଗିଥିଲା। ସ୍ୱାସ୍ଥ୍ୟ ବିଭାଗ ପରିଚୟ ଦେଇଥିବାରୁ ଖୁସି ମଧ୍ୟ ବିଶ୍ୱାସ କରି ପିନ ନମ୍ବର କହି ଦେଇଥିଲେ। ଖୁବ ଅଳ୍ପ ସମୟ ମଧ୍ୟରେ ତାଙ୍କ ଜମା ସଂଚୟ ଖାତା ରୁ ୯୪ହଜାର ୬୦୦ ଟଙ୍କା ଉଠାଣ ହୋଇଥିବା ମେସେଜ ଆସି ଥିଲା। ଅନୁରୂପ ଭାବେ ଗୋଶାଳା ଚିପିଲିମା ରାସ୍ତାରେ ବାସ କରୁଥିବା ସୁବ୍ରତ କଲେତଙ୍କ ସ୍ତ୍ରୀ କରିସ୍ମା ସଣ୍ଢଙ୍କ ଖାତାରୁ ୩ ହଜାର ଟଙ୍କା କଟି ଯାଇଥିବା ମେସେଜ ଆସିଥିଲା।
ଏସମ୍ବନ୍ଧରେ ସେମାନେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ସହିତ ପ୍ରଥମେ ଗୋଶାଳା ଫାଣ୍ଡି, ସମ୍ବଲପୁର ସାଇବାର ଥାନା ଏବଂ ସନ୍ଧ୍ୟାରେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। ନିଜକୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ ପ୍ରସୂତୀ ମହିଳାଙ୍କୁ ଅତି ଚତୁରତାର ସହିତ ଲୁଟଥିବା ସାଇବର ଠକଙ୍କ ଏକ ବଡ଼ ଧରଣର ରାକେଟ ,ଠାରେ ସକ୍ରିୟ ଥିବା ଅଞ୍ଚଳର ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଥିବା ବେଳେ ପୁଣି କେତେବେଳେ କାହା ଖାତାରୁ କିପରି ଟଙ୍କା ଉଭାନ ହୋଇଯିବ ବୋଲି ଚିନ୍ତାରେ ଅଛନ୍ତି ଏଠାକାର ଲୋକେ । ସମ୍ବଲପୁର ସାଇବର ବିଭାଗ ଏବଂ ବୁର୍ଲା ପୋଲିସ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହୋଇଛି।