ନୂ୍ଆ ହିସାବରୁ ଖୋଲିଛି ରହସ୍ୟ । ବଢୁଛି ଦେଶର ବେଳାଭୂମି । କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ନୂଆ ସର୍କୁଲାରରେ ରହିଛି ବେଳାଭୂମିର ନୂଆ ରହସ୍ୟ । ଏହି ସର୍କୁଲାର ଅନୁସାରେ ସାରା ଦେଶରେ ବୃଦ୍ଧି ପାଇଛି ବେଳାଭୂମିର ଦୈର୍ଘ୍ୟ । ପାଖାପାଖି ୩୫୩୭.୨୧ କିଲୋମିଟର ବୃଦ୍ଧି ପାଇ ୧୧,୦୯୮.୮୧ କିମିରେ ପହଞ୍ଚିଛି ଭାରତର ବେଳାଭୂମି । ଏଥିସହ ଆମ ଓଡ଼ିଶାର ବେଳାଭୂମି ମଧ୍ୟ ବଢିଥିବା ଏହି ସର୍କୁଲାରରୁ ଜଣାପଡିଛି । ପୂର୍ବର ୪୭୦ କିମି ଲମ୍ବ ଥିବା ଓଡ଼ିଶାର ବେଳାଭୂମି ବୃଦ୍ଧି ପାଇ ଏବେ ୫୪୭.୭୧ କିମି ହୋଇଛି । ଅର୍ଥାତ ରାଜ୍ୟର ବେଳାଭୂମିର ଲମ୍ବ ୯୬ କିଲୋମିଟର ଅଧିକ ହୋଇଛି । କିନ୍ତୁ କେମିତି ବୃଦ୍ଧି ପାଇଲା ଏହି ବେଳାଭୂମି ? ଭାରତର ସ୍ଥଳ ଭାଗ ସମୁଦ୍ର ଭିତରକୁ ଆହୁରି ଲମ୍ବି ଗଲା ନା ସମୁଦ୍ର ଭାରତୀୟ ସ୍ଥଳ ଭାଗ ଭିତରକୁ ମାଡି ଆସିଲା? ପୂର୍ବରୁ ବେଳାଭୂମିର ଦୈର୍ଘ୍ୟ ବୃଦ୍ଧି ନେଇ ସ୍ବରାଷ୍ଟ୍ରମନ୍ତ୍ରାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଥିବା ବେଳେ ନିକଟରେ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ଅନୁରୂପ ତଥ୍ୟ ସମ୍ବଳିତ ସର୍କୁଲାର ପ୍ରକାଶ ପାଇବା ପରେ ଏମିତି ଅନେକ ପ୍ରଶ୍ନବାଚୀ ସାଧାରଣରେ ସୃଷ୍ଟି ହୋଇଛି । ମାତ୍ର ବସ୍ତାବରେ ସେଭଳି କିଛି ଘଟି ନାହିଁ । ସମୁଦ୍ର ସ୍ଥଳଭାଗକୁ ପଶିଆସି ନାହିଁ କି ସ୍ଥଳ ଭାଗ ସମୁଦ୍ର ଭିତରକୁ ଲମ୍ବି ନାହିଁ । ବରଂ ଏକ ନୂତନ ପଦ୍ଧତିରେ ବେଳାଭୂମିର ଦୈର୍ଘ୍ୟ ମପାଯିବା ପରେ ଏହି ବୃଦ୍ଧି ପରିଲକ୍ଷିତ ହୋଇଛି ବୋଲି ମନ୍ତ୍ରାଳୟ ଏହାର ସର୍କୁଲାରରେ ସ୍ପଷ୍ଟ କରିଛି ।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ହିସାବ ଅନୁସାରେ ୧୯୭୦ ପରଠାରୁ ଦେଶର ବେଳାଭୂମିର ଲମ୍ବ ୭୫୬୧ କିମି ରହିଥିଲା। ବେଳାଭୂମି କେତେ ଲମ୍ବା ତାହା ମାପିବା ଲାଗି ବିଭିନ୍ନ ବିଭାଗ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରାଯାଏ। ୨୦୧୯ରେ ସେହି ସମସ୍ୟା ବିଷୟରେ ଆଲୋଚନା ପରେ ନୂତନ ପଦ୍ଧତିରେ ବେଳାଭୂମି ମାପ କରାଯାଇଥିଲା । ଯାହାପରେ ଚଳିତ ବର୍ଷ ଜାନୁଆରିରେ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରେ ଓଡ଼ିଶାର ବେଳାଭୂମି ୫୭୪.୭ କିମିକୁ ବୃଦ୍ଧି ପାଇଥିବା ଉଲ୍ଲେଖ କରାଯାଇଥିଲା। ତେବେ ନିକଟରେ ଜାହଜା ମନ୍ତ୍ରଣାଳୟ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଆଣ୍ଡାମାନ ଓ ନିକୋବରରେ ସର୍ବାଧିକ ୩୦୮୩ କିମିର ବେଳାଭୂମି ରହିଛି। ସେହିଭଳି ଗୁଜରାଟରେ ୨୩୪୦.୬୨ କିମି, ତାମିଲନାଡ଼ୁରେ ୧୦୬୮.୬୯ କିମି, ଆନ୍ଧ୍ରପ୍ରଦେଶରେ ୧୦୫୩.୦୭ କିମି, ମହାରାଷ୍ଟ୍ରରେ ବେଳାଭୂମି ଲମ୍ବ ୮୭୭.୯୭ କିମି, ପଶ୍ଚିମବଙ୍ଗରେ ୭୨୧.୦୨ କିମି, କେରଳରେ ୬୦୦.୧୫ କିମି, କର୍ଣ୍ଣାଟକରେ ୩୪୩.୩୦ କିମି, ଗୋଆରେ ୧୯୩.୯୭ କିମି, ଲକ୍ଷାଦ୍ବୀପରେ ୧୪୪.୮୦ କିମି, ଡାମନ ଓ ଡିଉରେ ୫୪.୩୮ କିମି ଓ ପଣ୍ଡିଚେରିରେ ୪୨.୬୫ କିମି ବେଳାଭୂମି ରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମୁଦ୍ର ଉପକୂଳ ଯେକୌଣସି ରାଜ୍ୟର ଅର୍ଥନୀତି ପ୍ରତି ଗୁରୁତ୍ବପୂର୍ଣ୍ଣ ଅବଦାନ ରଖେ। ବନ୍ଦର ନିର୍ମାଣ ଠାରୁ ଆରମ୍ଭ କରି ପର୍ଯ୍ୟଟନ ଓ ଶିଳ୍ପ ବିକାଶରେ ସମୁଦ୍ର ଉପକୂଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ନିବେଶକମାନଙ୍କ ସମ୍ମୁଖରେ ରାଜ୍ୟରେ ଥିବା ସମ୍ଭାବନାକୁ ଉପସ୍ଥାପନ କରିବା ବେଳେ କେତେ ଦୀର୍ଘ ବେଳାଭୂମି ରହିଛି ତାହା ଉଲ୍ଲେଖ କରାଯାଇଥାଏ। ଓଡ଼ିଶାରେ ପାରାଦୀପ, ଧାମରା ଓ ଗୋପାଳପୁରରେ ତିନିଟି ବନ୍ଦର ରହିଛି । ସେହିଭଳି ବାଲେଶ୍ବରରେ ସୁବର୍ଣ୍ଣରେଖା ଓ ଇଞ୍ଚୁଡ଼ି ଏବଂ ଗଞ୍ଜାମର ବାହୁଦାଠାରେ ନୂଆ ବନ୍ଦର ନିର୍ମାଣ କରିବାକୁ ସରକାର ଯୋଜନା ରଖିଛନ୍ତି। ଇଞ୍ଚୁଡ଼ି ଓ ବାହୁଦାରେ ନୂଆ ବନ୍ଦର ନିର୍ମାଣକୁ ସରକାର ଅନୁମୋଦନ ଦେଇଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟ ସରକାର ବନ୍ଦର ଜରିଆରେ ହେଉଥିବା ମାଲ୍ ପରିବହନ କ୍ଷମତାକୁ ୫୦୦ ନିୟୁତ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ନୂତନ ବନ୍ଦରଗୁଡ଼ିକ ସେହି ଲକ୍ଷ୍ୟ ହାସଲରେ ସହାୟକ ହେବ।