ଆରମ୍ଭ ହେଲା ବିଶ୍ୱ କୂଟନୀତିର ନୂତନ ଅଧ୍ୟାୟ
ଗୋଟିଏ ମଞ୍ଚରେ ବିଶ୍ବର ତିନି ମହାଶକ୍ତି
ଅନେକଙ୍କ ମତରେ ଅସହଜ ଅବସ୍ଥା ସହିତ ଖାପ ଖୁଆଇ ନେବା ଦ୍ବାରା ପରିସ୍ଥିତି ସହଜ ହୋଇଯାଏ । ମାତ୍ର ଯଦି ଗୁରୁତ୍ବର ସହିତ ଦେଖାଯାଏ ତେବେ, ପ୍ରକୃତି କେବେ ଅସହଜ ଅବସ୍ଥା ସହିତ ଖାପ ଖୁଆଏ ନାହିଁ, ବରଂ ତାର ମୁକାବିଲା ପାଇଁ ସ୍ବତଃ ନିଜ ଭିତରେ ନିଜେ ଏଭଳି ପରିବର୍ତ୍ତନ ଆଣେ, ଯାହାକି ବେଳେ ବେଳେ କଳ୍ପନାତିତ ହୋଇଥାଏ । ଶୁଳ୍କ ଯୁଦ୍ଧ ଆରମ୍ଭ କରି, ପୂରା ବିଶ୍ବ ପାଇଁ ଅସହଜ ପରିସ୍ଥିତି ସୃଷ୍ଟି କରିବାରେ କୌଣସି ଅଭାବ ବାକି ରଖି ନଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏ ଚିତ୍ର ନିଶ୍ଚିତ ଭାବେ ତାଙ୍କ କଳ୍ପନାତିତ । କାରଣ କଳେ-ବଳେ-କୌଶଳେ ଚୀନକୁ ନିଜ ସପକ୍ଷରେ ରଖି ଟ୍ରମ୍ପ ଭାରତ ଉପରେ ଟାରିଫ ବୋମା ମାଡ଼ କରି ଭାରତକୁ ନିଜ ଅବାଞ୍ଛିତ ସର୍ତ୍ତ ସମ୍ମୁଖରେ ନୁଆଁଇବାକୁ ରଚିଥିଲେ ଏକ ସାଙ୍ଘାତିକ ଷଡ଼ଯନ୍ତ୍ର । ମାତ୍ର ଏହି ଷଡ଼ଯନ୍ତ୍ରର ଜାଲରେ ଟ୍ରମ୍ପ ଏବେ ନିଜେ ଫସିଯାଇଛନ୍ତି । ଗୋଟିଏ ପଟେ ତାଙ୍କ ଟାରିଫ ବ୍ୟବସ୍ଥା ସମ୍ପୂର୍ଣ୍ଣ ବେଆଇନ ବୋଲି ତାଙ୍କ ଦେଶ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିବା ବେଳେ ତାହାର ଦିନକ ପରେ ପ୍ରକାଶ ପାଇଛି ଏହି ଫଟୋଚିତ୍ର । ଯେଉଁଠି ଗୋଟିଏ ମଞ୍ଚରେ ବିଶ୍ବର ତିନି ପ୍ରମୁଖ ଶକ୍ତିଶାଳୀ ଦେଶର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆୟୋଜକ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକାଠି ଦେଖିବାକୁ ମିଳିଛି। ଅନ୍ୟ ଫଟୋଟି ବୈଦେଶିକ ନୀତିର ଚରମ ଉପଖ୍ୟାନ ବର୍ଣ୍ଣନା କରୁଛି । ଅର୍ଥାତ ସୀମା ବିବାଦକୁ ନେଇ ରହିଥିବା ଦଶନ୍ଧି ଦଶନ୍ଧିର ଶତ୍ରୁତାକୁ ଭୁଲି ସାମ୍ପ୍ରତିକ ସଙ୍କଟର ମୁକାବିଲା ଲାଗି ହାତ ମିଳାଇଛନ୍ତି ଭାରତ ଓ ଚୀନ । ଟ୍ରମ୍ପ ଲଗାଇଥିବା ଟାରିଫ ଯୁଦ୍ଧର ନିଆଁରୁ ସୁରକ୍ଷିତ ବର୍ତ୍ତିବାକୁ ହେଲେ, ସୀମା ବିବାଦ ମୁଦ୍ଦାକୁ ସାମୟିକ କବର ଦେବା ଯେ ସମୟର ଆହ୍ବାନ ବୋଲି ଏହି ଦୁଇ ନେତା ବେଶ ହୃଦବୋଧ କରିବା ପରେ ଏହି ଫଟୋଚିତ୍ର ସମ୍ମୁଖକୁ ଆସିଛି । ଯାହାକି ଚୀନର ତିଆନଜିନଠାରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀ ମଞ୍ଚରେ ବିଶ୍ୱ କୂଟନୀତିର ଏକ ନୂତନ ଅଧ୍ୟାୟର ଅୟମାରମ୍ଭକୁ ସୂଚୀତ କରୁଛି ।

ଦୀର୍ଘ ୭ ବର୍ଷ ପରେ ଚୀନ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଏସସିଓ ଶିଖର ସମ୍ମିଳନୀର ମଞ୍ଚରେ ପହଞ୍ଚିବା ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତାଙ୍କ ମଧ୍ୟରେ ବହୁ ଗରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଦ୍ବିପାକ୍ଷିତ ଆଲୋଚନା ହୋଇଥିଲା । ଯୁଦ୍ଧ ବିଚ୍ଛିନ୍ନ ହେବା ପରେ ମଧ୍ୟ ସୀମାରେ ଶାନ୍ତି ଏବଂ ସ୍ଥିରତା ରହିଛି। କୈଳାସ ମାନସରୋବର ପୁଣି ଥରେ ଆରମ୍ଭ ହୋଇଛି। ୨.୮ ବିଲିୟନ ଲୋକ ଏହା ସହିତ ଯୋଡ଼ି ହୋଇଛନ୍ତି ଏବଂ ସମଗ୍ର ମାନବଜାତି ଏଥିରୁ ଉପକୃତ ହେବେ ବୋଲି ମୋଦି କହିଥିଲେ । ଜିନପିଙ୍ଗ ମଧ୍ୟ ଗତ ବର୍ଷର କାଜାନ ବୈଠକ ସଫଳ ହୋଇଥିବା ଦର୍ଶାଇ ମୋଦୀଙ୍କୁ ସ୍ବାଗତ କରିଥିଲେ ।

ଦଶ ମାସ ମଧ୍ୟରେ ଏହା ସି ଜିନପିଙ୍ଗଙ୍କ ସହ ତାଙ୍କର ଦ୍ୱିତୀୟ ସାକ୍ଷାତ। ଶେଷ ସାକ୍ଷାତ ବ୍ରିକ୍ସ ୨୦୨୪ ଶିଖର ସମ୍ମିଳନୀରେ (କାଜାନ, ରୁଷ) ହୋଇଥିଲା। ଫଟୋ ସେସନ୍ ପରେ ପ୍ରଧାନମନ୍ତ୍ରୀ ମୋଦି, ଜିନପିଙ୍ଗ ଏବଂ ତାଙ୍କ ପତ୍ନୀ ପେଙ୍ଗ ଲିୟୁଆନଙ୍କ ସହ ହାତ ମିଳାଇଥିଲେ। ଏହି ସମୟ ମଧ୍ୟରେ ଉଭୟ ନେତାଙ୍କ ମୁହଁରେ ଖୁସି ଲକ୍ଷ୍ୟ କରାଯାଇଥିଲା। ତେବେ ଏସସିଓ ଶିଖର ସମ୍ମିଳନୀରୁ ଆସିଥିବା ଏହି ଚିତ୍ର ବୈଶ୍ବିକ ସ୍ତରରେ କୂଟନୖତିକ ଚିତ୍ରରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି । ବିଶେଷଜ୍ଞମାନଙ୍କ ଅନୁସାରେ, ଏହି ବୈଠକ ବୈଶ୍ବିକ କ୍ରମରେ ଏକ ମାଇଲଖୁଣ୍ଟ ହୋଇପାରେ। କାରଣ ଭାରତ, ରୁଷ ଏବଂ ଚୀନ୍ ମଧ୍ୟରେ ସର୍ବଦା ଏକ ବିରୋଧାଭାସ ରହି ଆସିଛି । ଏମିତିରେ ଯଦି ଏହି ବୈଠକ ପରେ ଟ୍ରମ୍ପଙ୍କ ଶୁଳ୍କ ଝଡ଼ ପ୍ରତିହତ ହୁଏ, ତେବେ ନିଶ୍ଚିତ ଭାବେ ଭାରତ ପ୍ରଶଂସାର ପାତ୍ର ହେବ ।
ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ପରେ, ଏହି ଶିଖର ସମ୍ମିଳନୀକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି କାରଣ ଏହି ଶିଖର ସମ୍ମିଳନୀରେ ଟ୍ରମ୍ପ ବ୍ୟତୀତ ସମସ୍ତ ମହାଶକ୍ତି ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ। ଖାଲି ଏତିକି ନୁହେଁ, ସାମ୍ପ୍ରତିକ ସମୟରେ, ଭାରତ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ଘନିଷ୍ଠତାକୁ ନେଇ ଆମେରିକା ଏବେ ବହୁତ ଚିନ୍ତିତ। କାରଣ ଆମେରିକା ଜାଣିଛି ଯେ, ଯଦି ବିଶ୍ବର ଦୁଇ ଜନବହୁଳ ଏବଂ ଶକ୍ତିଶାଳୀ ଦେଶ ଭାରତ ଓ ଚୀନ ଏକଜୁଟ ହୁଅନ୍ତି ତେବେ ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଆମେରିକା ପାଇଁ ବୁମେରାଂ ପାଲଟିବ । ଏବେ ସେଇଅା ହିଁ ହେଉଛି । ବର୍ତ୍ତମାନ, ଆମେରିକା ବିଶ୍ୱ କ୍ରମର ଶୀର୍ଷରେ ଅଛି, ଯାହା ନାଟୋ ଆଧାରିତ ସାମରିକ ସଂଗଠନ ଏବଂ ଡଲାର ଆଧାରିତ ବାଣିଜ୍ୟର ନେତୃତ୍ୱ ନେଉଛି । ତେଣୁ SCOର ବର୍ଦ୍ଧିତ ଭୂମିକା ସୂଚାଉଛି ଯେ ହୁଏତ ଏବେ ଏକ ବହୁ-ଧ୍ରୁବୀୟ ବ୍ୟବସ୍ଥା ଆରମ୍ଭ ହୋଇପାରେ, ଯେଉଁଥିରେ SCO ବୈଠକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ। NATO ଭଳି ସଂଗଠନ ବିରୁଦ୍ଧରେ SCOରେ ଏକ ନୂତନ ସାମରିକ ମେଣ୍ଟ ହୋଇପାରିବ । ଏହି ମେଣ୍ଟରେ ସାମୂହିକ ନେତୃତ୍ୱ ଉପରେ ଏକମତ ହୋଇପାରିବ। ସୁରକ୍ଷା ସହଯୋଗ ପାଇଁ ବହୁପାକ୍ଷିକ ପ୍ରତିରକ୍ଷାର ଗ୍ୟାରେଣ୍ଟି ଉପରେ ସମସ୍ତ ସଦସ୍ୟ ସହମତ ହୋଇପାରିବେ।
ଭାରତ, ଚୀନ୍ ଏବଂ ରୁଷ ଭଳି ଦେଶ ବ୍ୟବସାୟ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇପାରନ୍ତି, ଯାହା ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଡଲାରଠାରୁ ନିଜକୁ ଦୂରେଇ ରଖିବା, ଯାହା ଆମେରିକାର ସର୍ବୋଚ୍ଚତାକୁ ବିପଦରେ ପକାଇବ ଏବଂ ଏହା ମଧ୍ୟ ସହଜ, କାରଣ ଟ୍ରମ୍ପଙ୍କ ନୀତି ଯୋଗୁଁ, ୟୁରୋପ ମଧ୍ୟ ଆମେରିକାଠାରୁ ନିଜକୁ ଦୂରେଇ ନେଉଛି । ଯାହା ବିଶ୍ୱ କ୍ରମ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।