ରାଜ୍ୟରେ ଜରୁରୀ ସ୍ଥିତି ଘୋଷଣା
ସରିନି ସଙ୍କଟ, ଆହୁରି ୨ ଦିନ ବର୍ଷା
ବନ୍ୟା ପାଣିରେ ହଜି ଯାଇଛି ପଞ୍ଜାବର ଠିକଣା! ସତଲେଜ କି ସମୁଦ୍ର, ଚିହ୍ନିବା ମୁସ୍କିଲ! ସେପଟେ ରାଜ୍ୟରେ ରାସ୍ତାର ନକ୍ସା ବଦଳାଇ ଦେଇଛି ରାବି ନଦୀର ବନ୍ୟା ଜଳ । ସଡ଼କଠୁ ସହର ସବୁ ଉବୁଟୁବ । ବ୍ୟାସ ନଦୀ ବି ଆଣିଛି ଭୟଙ୍କର ବନ୍ୟା ବିତ୍ପାତ । ୩୭ ବର୍ଷ ପରେ ରେକର୍ଡ ତୋଡ ବର୍ଷାରେ ଆକ୍ତାମାକ୍ତା ପୂରା ପଞ୍ଜାବ । ୧୯୮୮ ପରେ ସବୁଠାରୁ ଭୟଙ୍କର ହୋଇଛି ଜଳପ୍ଳାବିତ ପଞ୍ଜାବର ବିଭୀଷିକା ।
୨ ଦିନର ପ୍ରବଳ ମୌସୁମୀ ବର୍ଷାରେ ପାଣିପାଣି ହୋଇଯାଇଛି ପୂରା ପଞ୍ଜାବ । ରାଜ୍ୟ ସବୁ ନଦୀରେ ବନ୍ୟା ଆସିବା ସହିତ ଅତିରିକ୍ତ ବନ୍ୟା ପାଣି ଛାଡିବାକୁ ବାଧ୍ୟ ହୋଇଥିଲା ବିଭିନ୍ନ ଡ୍ୟାମ । ଫଳରେ ରାଜ୍ୟର ୨୩ରୁ ୨୩ ଜିଲ୍ଲା ଏବେ ଜଳବନ୍ଦୀ । ବନ୍ୟା ପାଣିରେ ଉବୁଟୁବୁ ହେଉଛି ୧୬୦୦ ଗାଁ । ୧ ନିୟୁତ ୭୫ ଲକ୍ଷ ହେକ୍ଟର ଚାଷ ଜମିରେ ସଢିଲାଣି ଫସଲ । ଗୁରୁଦାସପୁର, ମନସା, ଅମ୍ରିତସର, କପୁରଥାଲା, ଫିରୋଜପୁର, ତରନ ତାରନ ଏବଂ ହୋସିଆରପୁରରେ ସ୍ଥିତି ବେହାଲ । ଭାସିଯାଇଛନ୍ତି ଅନେକ ପ୍ରାଣୀ । ୩୭ ଜଣଙ୍କ ମୁଣ୍ଡ ନେବା ପରେ ବି ଥମୁନି ବନ୍ୟାର ପ୍ରକୋପ । ପଞ୍ଜାବର ସାଢେ ୩ ଲକ୍ଷ ଲୋକ ଏବେ ବନ୍ୟା ବିପନ୍ନ । ଜୀବନ ରକ୍ଷା ପାଇଁ ଚାଲିଛି ଯୁଦ୍ଧ । ପାଖାପାଖି ୪ ଦଶନ୍ଧୀ ପରେ ଆସିଥିବା ଏହି ଭୟଙ୍କର ବନ୍ୟାକୁ ଦୃଷ୍ଟିରେ ରଖି ପଞ୍ଜାବରେ ଘୋଷଣା କରାଯାଇଛି ଜରୁରୀ ସ୍ଥିତି ।

ଯୁଆଡେ ଆଖି ବୁଲାଇବ ସିଆଡେ ପାଣି, ହେଲେ ଶୋଷିଲା ଅଛନ୍ତି ଲକ୍ଷାଧିକ ଲୋକେ । ନା ପିଇବାକୁ ପାଣି ଅଛି, ନା ଖାଇବାକୁ ଆହାର । ଅଖିଆ, ଅପିଆ ବିତୁଛି ଅନେକଙ୍କ ଦିନ । ଘରଦ୍ବାର, ଦୋକାନ ବଜାର, ସାହି ସହର ସବୁ ଜଳମଗ୍ନ । ଯାହା କିଛି ସାଇତିଥିଲେ, ସେ ସବୁରୁ କିଛି ଭିଜିଯାଇଛି ତ ଆଉ କିଛି ଭାସିଯାଇଛି । ବର୍ଷା ଛାଡୁନି କି ପାଣି ଖସୁନି । ସମୟ ଗଡିବା ସହିତ ବଢୁଛି ସଙ୍କଟ ।
ସେପଟେ ବିପନ୍ନଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ସଂଘର୍ଷ ଜାରି । ବନ୍ୟା ପାଣିରୁ ଉଦ୍ଧାର ହେଲେଣି ୨୦ ହଜାର ଲୋକ । ୧ କୋଟି ୩ ନିୟୁତ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର । ଡ୍ରୋନ ଜରିଆରେ ଚାଲିଛି ରିଲିଫ ଯୋଗାଣ । ବୋଟ ଓ ଟ୍ରାକ୍ଟର ଜରିଆରେ ଉଦ୍ଧାର କାର୍ଯ୍ୟ ଜାରି । ବିପନ୍ନଙ୍କୁ ଉଦ୍ଧାର ପାଇଁ ପହଞ୍ଚିଛି ରାଜ୍ୟ ସରକାରଙ୍କ ହେଲିକପ୍ଟର । ସୀମାନ୍ତ ଜିଲ୍ଲାରେ ସହାୟତାର ହାତ ବଢାଇଛି ବିଏସଏଫ । ବିପନ୍ନଙ୍କ ଚିକତ୍ସା ପାଇଁ ମୁତୟନ କରାଯାଇଛି ୮୧୮ ମେଡିକାଲ ଟିମ । ବନ୍ୟପ୍ଳାବିତ ପଞ୍ଜାବ ପାଇଁ ୭୧ କୋଟି ଟଙ୍କାର ପାଣ୍ଠି ଜାରି କରିଛନ୍ତି ରାଜ୍ୟ ସରକାର । ସେପଟେ ପଞ୍ଜାବର ବନ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ପ୍ରଧାନମନ୍ତ୍ରୀଙ୍କ ଟିମ୍ ।

ଏତିକିରି ସରି ନାହିଁ ପଞ୍ଜାବର ଦୁଃଖ । ଆଗକୁ ସଙ୍କଟ ବଢାଇବ ବର୍ଷା । ଆହୁରି ଦୁଇ ଦିନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆତଙ୍କିତ ଅବସ୍ଥାରେ ପଞ୍ଜାବବାସୀ । ଏବେ ଖାଲି ବର୍ଷା ଥମିବାକୁ ଅପେକ୍ଷା । ପଞ୍ଜାବର ଏହି ଘଡିଷନ୍ଧି ମୁହୂର୍ତ୍ତରେ ସହଯୋଗର ହାତ ବଢାଇଛନ୍ତି ସମାଜ ସେବୀ ତଥା ବଲିୁଡ ଅଭିନେତା ସୋନୁ ସୁଦ୍ ଏବଂ ବିପନ୍ନଙ୍କୁ ସହଯୋଗ ପାଇଁ ପୂରା ଦେଶକୁ ସେ ନିବେଦନ କରିଛନ୍ତି ।