ନେପାଳରେ ଦୁର୍ନୀତି ଏବଂ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ପରେ ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଥିବା କ୍ରୋଧ, ହିଂସାତ୍ମକ ପ୍ରତିବାଦ ଏବଂ ହିଂସାକାଣ୍ଡ ମଧ୍ୟରେ ଦେଶର ବିଭିନ୍ନ ଜେଲରୁ ପ୍ରାୟ ୧୪୩୨ ଜଣ କଏଦୀ ଫେରାର ହୋଇ ଯାଇଛନ୍ତି। କାନ୍ତିପୁର ଖବରକାଗଜ ଏହାର X ହ୍ୟାଣ୍ଡେଲରେ ଏହି ସୂଚନା ସେୟାର କରିଛି। ମହୋତ୍ତାରିର ଜଳେଶ୍ୱରରେ ଜେଲର କାନ୍ଥ ଭାଙ୍ଗି ୫୭୨ ଜଣ କଏଦୀ ଫେରାର ହୋଇଥିବା କୁହାଯାଉଛି। ନେପାଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାର ସୁଯୋଗ ନେଇ କଏଦୀମାନେ ଜେଲରୁ ପଳାୟନ କରିବାରେ ସଫଳ ହୋଇଛନ୍ତି।
ମହୋତ୍ତରୀର ପୋଲିସ ଅଧୀକ୍ଷକ ହେରମ୍ବ ଶର୍ମା କହିଛନ୍ତି ଯେ ସନ୍ଧ୍ୟା ୭ଟାରେ ୫୦୦ ରୁ ଅଧିକ ପ୍ରଦର୍ଶନକାରୀ ଏବଂ ଜେଲ କଏଦୀ ଏକାଠି ପାଚେରୀ ଭାଙ୍ଗି ଦେଇଥିଲେ। ଯାହା ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ସୋଲୁଖୁମ୍ବୁ ଜେଲରେ କଏଦୀମାନେ ପୋଡ଼ାଜଳା ଏବଂ ଭଙ୍ଗାରୁଜା କରିଥିଲେ, ଯେଉଁଥିରେ ୮୬ ଜଣ କଏଦୀ ଖସି ପଳାଇଥିଲେ। ଡେପୁଟି ପୋଲିସ ଅଧୀକ୍ଷକ ମନୋଜିତ କୁନୱାରଙ୍କ ଅନୁଯାୟୀ, ଅପରାହ୍ନରେ ଆରମ୍ଭ ହୋଇଥିବା କଏଦୀଙ୍କ ପ୍ରତିବାଦ ହିଂସାତ୍ମକ ରୂପ ନେଇଥିଲା ଏବଂ ସନ୍ଧ୍ୟା ସୁଦ୍ଧା ସେମାନେ ଜେଲ ଭଙ୍ଗାରୁଜା କରି ଖସି ପଳାଇବାରେ ସଫଳ ହୋଇଥିଲେ।