ଥରହର ସରକାରୀ ବାବୁ!
By Pritishree Nayak
ଦୁର୍ନୀତିକୁ କେନ୍ଦ୍ର କରି ବିକ୍ଷୋଭର ନିଆଁରେ ଯେତେବେଳେ ନେପାଳ ପାର୍ଲାମେଣ୍ଟ ଜଳୁଥିଲା, ଠିକ ସେତିକି ବେଳେ ଏହାଠାରୁ ୬ ହଜାର କିଲୋମିଟର ଦୂର ଆଲବେନିଆରେ ଏହି ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ର କରି ନିଆଯାଇଥିଲା ଏକ ଯୁଗାନ୍ତକାରୀ ନିଷ୍ପତ୍ତି, ଯାହାଦ୍ବାରା କି ସୁଶାସନ ପ୍ରଦାନ ଦିଗରେ ପୂରା ବିଶ୍ବରେ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ ହୋଇଛି ।
ସୀମାସରହଦ ଓ ଶୁଳ୍କକୁ ନେଇ ବିଶ୍ବର ଅନେକ ପ୍ରମୁଖ ରାଷ୍ଟ୍ର ଯୁଦ୍ଧ ଓ ତିକ୍ତତାର ବାତାବରଣ ଭିତରେ ଥିବା ବେଳେ ଏହାରି ଭିତରେ ବିକାଶର ଭିନ୍ନ ଏକ ଅଧ୍ୟାୟ ଆରମ୍ଭ କରିଛି ଆଲବେନିଆ ଭଳି କ୍ଷୁଦ୍ର ଦେଶ । ନିଜ ଦେଶରେ ପ୍ରଥମ ଏଆଇ ମନ୍ତ୍ରୀ ନିଯୁକ୍ତ କରି ଆଲବେନିଆ ଉତ୍କର୍ଷ ଶାସନ ପ୍ରଦାନ କ୍ଷେତ୍ରରେ ରଚିଛି ଇତିହାସ । ଆସନ୍ତୁ ଦେଖିବା କିଏ ଏହି ଏଆଇ ମନ୍ତ୍ରୀ ?
ଆକର୍ଷଣୀୟ ବ୍ୟକ୍ତିତ୍ବ, ଭଦ୍ର ଆଚରଣ, ସାଙ୍ଗକୁ ପରିମାର୍ଜିତ କଥା କହୁଥିବା ଏହି ମହିଳା ଏବେ ପୂରା ବିଶ୍ବରେ ଚର୍ଚ୍ଚିତ । ଚର୍ଚ୍ଚା ଏଥିପାଇଁ ଯେ ଏହି ମହିଳାଙ୍କୁ ଆଲବେନିଆର ମନ୍ତ୍ରୀ ନିଯୁକ୍ତ କରାଯାଇଛି । ତେବେ କୌଣସି ମହିଳା ଆଲବେନିଆର ମନ୍ତ୍ରୀ ହେବା ନୂଆ କଥା ନୁହେଁ, କିନ୍ତୁ ଏହି ମହିଳା ମନ୍ତ୍ରୀ ହେବା ଘଟଣା ଏବେ ଖାଲି ଚର୍ଚ୍ଚାର ବିଷୟ ନୁହେଁ ବରଂ ଇତିହାସରେ ଲିପିବଦ୍ଧ ହୋଇଯାଇଛି । କାରଣ ଇଏ ରକ୍ତମାଂସରେ ଗଢା କୌଣସି ସାଧାରଣ ମହିଳା ମନ୍ତ୍ରୀ ନୁହନ୍ତି, ବରଂ କୋଡ୍ ଓ ପିକ୍ସେଲରେ ତିଆରି ମହିଳା ଆକୃତିର ଏକ AI ଅବତାର । ଯାହାଙ୍କୁ ଆଲବେନିଆ ସରକାର ନିଜର ମନ୍ତ୍ରୀ ନିଯୁକ୍ତ କରିଛନ୍ତି ।
ହଁ, ଏଆଇକୁ ମିଳିଲା ମନ୍ତ୍ରୀ ପଦ । କ୍ଷମତାକୁ ଆସିଲେ ବିଶ୍ୱର ସର୍ବପ୍ରଥମ ଏଆଇ ମନ୍ତ୍ରୀ । ବିଶ୍ବର ପ୍ରଥମ ଦେଶ ଭାବେ ଆଲବେନିଆ ନିଯୁକ୍ତ କରିଛି ଏଆଇ ମନ୍ତ୍ରୀ ।
ପ୍ରତି ଥର ଭଳି ଏଥର ଯେତେବେଳେ ଆଲବେନିଆର ସଂସଦୀୟ ଅଧିବେଶନ ବସିବ, ସେଥିରେ ଅନ୍ୟ ସଦସ୍ୟମାନଙ୍କ ଭିତରେ ଥିବେ ସରକାରୀ କ୍ୟାବିନେଟର ପ୍ରଥମ ଅଣ-ମାନବ ସଦସ୍ୟ । ଦେଶର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଡି ରାମା ନିଜର ୧୭ ଜଣିଆ କ୍ୟାବିନେଟରେ ଜଣେ ଏଆଇ ମନ୍ତ୍ରୀନିଯୁକ୍ତ କରିଛନ୍ତି । ଯାହାଙ୍କ ନାମ ଡିଏଲା । ଡିଏଲାଙ୍କୁ ଖାଲି ମନ୍ତ୍ରୀ ନିଯୁକ୍ତ କରାଯାଇନାହିଁ ବରଂ ଦୁର୍ନୀତି ନିବାରଣ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ମଧ୍ୟ ଦିଆଯାଇଛି ।
ଆଲବେନିଆ ଭାଷାରେ ଡିଏଲାର ଅର୍ଥ ‘ସୂର୍ଯ୍ୟ’। ସୂର୍ଯ୍ୟର କୀରଣ ଭଳି ସତ୍ୟର ପ୍ରକାଶ କରିବେ ଏହି ଭର୍ଚୁଆଲ ମନ୍ତ୍ରୀ । ଏଣିକି ଦୁର୍ନୀତିର ପର୍ଦାଫାଶ କରିବେ ଏଆଇ ମନ୍ତ୍ରୀ ଡିଏଲା । ଆଉ ଲୁଚି ପାରିବେ ନାହିଁ ଦୁର୍ନୀତିର ସରତାଜ । ସରକାରୀ ତହବିଲକୁ ଖାଲି କରୁଥିବା ଥନ୍ତଲ ପେଟୁଆ ବାବୁମାନଙ୍କୁ ସାବାଡ କରିବେ ଏହି ଏଆଇ ମନ୍ତ୍ରୀ । ସରକାରୀ ଟେଣ୍ଡରକୁ କରିବେ ଶତପ୍ରତିଶତ ଦୁର୍ନୀତିମୁକ୍ତ ।
ନିକଟରେ ଆଲବେନିଆର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଏଡି ରାମା ଏକ ସଭାରେ ଏଆଇ ମନ୍ତ୍ରୀ ନିଯୁକ୍ତି ସମ୍ବନ୍ଧରେ ଘୋଷଣା କରିଥିଲେ । ଖୁବ ଶୀଘ୍ର ଦେଶରେ ଜଣେ ଭର୍ଚୁଆଲ ମନ୍ତ୍ରୀ କିମ୍ବା ଏଆଇ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବେ ବୋଲି ସେ କହିଥିଲେ । ସେପ୍ଟେମ୍ବର ୧୧ ତାରିଖରେ, ପ୍ରଧାନମନ୍ତ୍ରୀ ତିରାନାରେ ଅନୁଷ୍ଠିତ ସମାଜବାଦୀ ପାର୍ଟି ବୈଠକରେ ଡିଏଲାଙ୍କୁ ଆନୁଷ୍ଠାନିକ ଭାବରେ ମନ୍ତ୍ରୀ ଘୋଷଣା କରିଥିଲେ। ତେବେ ଏହି ଏଆଇ ମନ୍ତ୍ରୀ କିଭଳି କାମ କରିବେ , ଆସନ୍ତୁ ଦେଖିବା ?
ବାସ୍ତବରେ ଡିଏଲା ସମ୍ପୂର୍ଣ୍ଣ ଭାବେ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ପରିଚାଳିତ। ସେ ଦୁର୍ନିତୀ ବିରୋଧୀ ମନ୍ତ୍ରୀ ଭାବେ ସରକାରୀ ଚୁକ୍ତିନାମାରେ ସ୍ୱଚ୍ଛତା ସୁନିଶ୍ଚିତ କରିବେ। ସରକାରୀ ଟେଣ୍ଡର ମୂଲ୍ୟାଙ୍କନ ଏବଂ ପ୍ରଦାନ ଏହାର ମୁଖ୍ୟ କାର୍ଯ୍ୟ ହେବ ।
ଡିଏଲା ଟେଣ୍ଡର ସମ୍ବନ୍ଧୀୟ ନିଷ୍ପତ୍ତି ନେବା ସହ ସାରା ବିଶ୍ୱରୁ ପ୍ରତିଭାଙ୍କୁ ମଧ୍ୟ ନିଯୁକ୍ତି ଦେବେ । ଏକ ଡିଜିଟାଲ୍ ସେବା ପୋର୍ଟାଲ୍ ମାଧ୍ୟମରେ ନାଗରିକମାନଙ୍କଠାରୁ ଭଏସ୍-ଆଧାରିତ ଅନୁରୋଧ ପ୍ରକ୍ରିୟାକରଣ କରିବାର କ୍ଷମତା ମଧ୍ୟ ଡିଏଲାକୁ ଦିଆଯାଇଛି। ଆଲବେନିଆ ପ୍ରଶାସନ ଏହାକୁ ପ୍ରଶାସନିକ କଠୋରତା ଏବଂ ପକ୍ଷପାତିତାର ମୁକାବିଲା କରିବାର ଏକ ନୂତନ ଉପାୟ ଭାବରେ ବିଚାର କରୁଛି।
ଡିୟେଏଲା ଭଏସ୍ କମାଣ୍ଡ ମାଧ୍ୟମରେ ନାଗରିକମାନଙ୍କ ସହିତ ଯୋଗାଯୋଗ କରେ ଏବଂ ଡିଜିଟାଲ୍ ସରକାରୀ ସେବା ମଧ୍ୟ ପ୍ରଦାନ କରେ।
ତେବେ ପ୍ରଶ୍ନ ହେଉଛି ଯେ କାହିଁକି ଦରକାର ପଡିଲା ଜଣେ ଏଆଇ ମନ୍ତ୍ରୀ ନିଯୁକ୍ତ କରିବା ? ବାସ୍ତବରେ ଆଗାମୀ ୫ ବର୍ଷ ମଧ୍ୟରେ ୟୁରୋପୀୟ ସଂଘ (EU) ର ସଦସ୍ୟତା ପାଇବାକୁ ଆଲବାନିଆ ଲକ୍ଷ୍ୟ ରଖିଛି । ଏ ନେଇ ୨୦୨୭ ସୁଦ୍ଧା ଆଲୋଚନା ସମାପ୍ତ ହେବ। ତଥାପି, ଆଲବେନିଆ ଏପର୍ଯ୍ୟନ୍ତ ଏଥିପାଇଁ ପ୍ରସ୍ତୁତ ନୁହେଁ ବୋଲି ବିରୋଧୀ ଡେମୋକ୍ରାଟମାନେ କହିଛନ୍ତି । ଏହା ପଛରେ ବଡ଼ କାରଣ ହେଉଛି ଦେଶରେ ଚାଲିଥିବା ଦୁର୍ନୀତି । ଦେଶର ନ୍ୟାୟ ବିଭାଗ ପକ୍ଷରୁ ୨୦୨୧ ଜନଗଣନାର ଏକ ତଥ୍ୟ ଅନୁସାରେ ଦେଶର ୧୦% କ୍ୟାବିନେଟ ମନ୍ତ୍ରୀ ଦୁର୍ନୀତିଗ୍ରସ୍ତ । ଦେଶର ପ୍ରତି ୧୦ ହଜାର ଜଣ ନାଗରିକଙ୍କ ମଧ୍ୟରୁ ପାଖାପାଖି ୨୩୦ ଜଣ ଏହି ଦୁର୍ନୀତି କାରଣରୁ ଜେଲରେ ବନ୍ଦି ଅଛନ୍ତି, ଯାହାକି କୋସୋଭାନ ଏବଂ ଭିଏତନାମ ଭଳି ଦେଶଗୁଡିକଠାରୁ କାହିଁ କେତେ ଅଧିକ ।
ପ୍ରଯୁକ୍ତିବିଦ୍ୟା ବିପ୍ଳବ ଏବଂ ପ୍ରଶାସନିକ ସ୍ୱଚ୍ଛତା ମଧ୍ୟରେ ଯୁଗଳବନ୍ଦୀର ଉଦାହରଣ ସ୍ବରୂପ ଆଲବେନିଆ ବିଶ୍ୱର ପ୍ରଥମ ଦେଶ ଭାବେ ନିଜ ସରକାରରେ କୃତ୍ରିମ ବୁଦ୍ଧିମତ୍ତା (AI) ଦ୍ୱାରା ପରିଚାଳିତ ଏହି ଭର୍ଚୁଆଲ୍ ମନ୍ତ୍ରୀଙ୍କୁ ସାମିଲ କରିଛି। ଯଦିଓ ସରକାର ଡିଏଲାରେ କି ପ୍ରକାରର ମାନବ ତଦାରଖ ପ୍ରୟୋଗ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି, ତଥାପି ଏହା ଦ୍ବାରା ସରକାରୀ ନିଷ୍ପତ୍ତିରେ ସ୍ୱଚ୍ଛତା ଏବଂ ପ୍ରଭାବଶାଳୀତା ଆଣିବାକୁ ଲକ୍ଷ୍ୟ ରଖିଛି।
କିନ୍ତୁ ଏହି ଏଆଇ ମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଦେଶର ବିରୋଧୀ ଦଳ । ଏଭଳି ଜଣେ ଏଆଇ ମନ୍ତ୍ରୀ ନିଯୁକ୍ତ କରିବା ନେଇ ସାମ୍ବିଧାନିକ ବୈଧତା ଅଛି କି ନାହିଁ ବୋଲି ମଧ୍ୟ ପ୍ରଶ୍ନ ହେଉଛି । ମାତ୍ର ଏହାର କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି ପ୍ରଧାନମନ୍ତ୍ରୀ ଏଡି ରାମା ।
ଏହା ପୂର୍ବରୁ ଡିଏଲା ଏକ ଭର୍ଚୁଆଲ୍ ଆସିଷ୍ଟାଣ୍ଟ ଭାବରେ ଆରମ୍ଭ ହୋଇଥିଲା । ଡିଏଲାକୁ ଜାନୁଆରୀରେ ଏକ ଏଆଇ-ପରିଚାଳିତ ଡିଜିଟାଲ୍ ଆସିଷ୍ଟାଣ୍ଟ ଭାବରେ ପରିଚିତ କରାଯାଇଥିଲା। ପାରମ୍ପରିକ ଆଲବେନିଆ ପୋଷାକ ପିନ୍ଧିଥିବା ଜଣେ ମହିଳାଙ୍କ ପରି ଏହାକୁ ଡିଜାଇନ୍ କରାଯାଇଥିଲା। ସରକାରୀ ଇ-ଆଲବେନିଆ ପ୍ଲାଟଫର୍ମରେ ନେଭିଗେଟ୍ କରିବାରେ ନାଗରିକମାନଙ୍କୁ ସାହାଯ୍ୟ କରିବା ଏହାର ଉଦ୍ଦେଶ୍ୟ ଥିଲା। ଏହି ପ୍ଲାଟଫର୍ମ ଡକ୍ୟୁମେଣ୍ଟ ଏବଂ ସେବାଗୁଡ଼ିକର ପ୍ରବେଶ ସୁବିଧା ପ୍ରଦାନ କରେ।
ଡିଏଲା ଏପର୍ଯ୍ୟନ୍ତ 36,600 ଡିଜିଟାଲ୍ ଡକ୍ୟୁମେଣ୍ଟ ଜାରି କରିବାରେ ସାହାଯ୍ୟ କରିଛି ଏବଂ ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ 1,000 ସେବା ପ୍ରଦାନ କରିଛି। ସରକାରୀ ଚୁକ୍ତିନାମାରେ ଦୁର୍ନୀତିର ମାମଲା ଆଲବେନିଆରେ ବାରମ୍ବାର ସାମ୍ନାକୁ ଆସୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଦେଶ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରୁଥିବା ଅନ୍ତର୍ଜାତୀୟ ଅପରାଧୀଙ୍କ ମୁଖ୍ୟ କେନ୍ଦ୍ର ପାଲଟିଛି। ଏମିତିକି ଦୁର୍ନୀତି ସରକାରଙ୍କ ଉଚ୍ଚ ପଦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ସାରିଛି। ଏଭଳି ସ୍ଥିତିରେ ଏହି ଦୁର୍ନୀତି ରୋକିବାରେ ଭର୍ଚୁଆଲ ମନ୍ତ୍ରୀ ଡିଏଲା କେତେ ସମର୍ଥ ହେଉଛନ୍ତି ତାହା ଦେଖିବାକୁ ପୂରା ବିଶ୍ବ ଚାହିଁ ବସିଛି ।