ଚନ୍ଦ୍ରଗ୍ରହଣ ପରେ ପାଖେଇ ଆସୁଛି ସୂର୍ଯ୍ୟ ପରାଗ । ଖୁବଶୀଘ୍ର ଲାଗିବାକୁ ଯାଉଛି ସୂର୍ଯ୍ୟ ପରାଗ । ଏହା ହେବ ବର୍ଷର ଶେଷ ସୂର୍ଯ୍ୟ ପରାଗ । ତେବେ ଆଗାମୀ ପରାଗର ରହିଛିବିଶେଷ ଗୁରୁତ୍ୱ । କାରଣ ଏହି ଗ୍ରହଣ ଠିକ୍ ସେହି ସମୟରେ ଲାଗିବ ଯେତେବେଳେ ସାରା ବିଶ୍ୱରେ ଦିନ ଏବଂ ରାତି ପ୍ରାୟ ସମାନ ହୋଇଥିବ। ଆକାଶରେ ଦେଖାଯିବ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ଏହି ମହାଜାଗତିକ ଘଟଣାକୁ ଆପଣମାନେ ଦେଖିପାରିବେ କି ନାହିଁ ଆସନ୍ତୁ ଜାଣିବା…….
ସେପ୍ଟେମ୍ବର 21 ରେ ଲାଗିବାକୁ ଯାଉଛି ବର୍ଷର ବହୁ ପ୍ରତୀକ୍ଷିତ ଶେଷ ସୂର୍ଯ୍ୟପରାଗ । ସେପ୍ଟେମ୍ବର ୨୧ ରାତି ୧ଟା ୧୧ ମିନିଟ ୪୨ ସେକେଣ୍ଡରେ ଆରମ୍ଭ ହେବ ପରାଗ ।
ଏହି ପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟର 72 ପ୍ରତିଶତ ପର୍ଯ୍ୟନ୍ତ ଘୋଡ଼ାଇ ଦେବ । ଏହି କାରଣରୁ, ପୂରା ଆକାଶ ଏକ ରହସ୍ୟମୟ ଚନ୍ଦ୍ରାଲୋକରେ ପରିପୂର୍ଣ୍ଣ ହୋଇଯିବ । ଏହା ଏକ ଚମତ୍କାର ଦୃଶ୍ୟ ସୃଷ୍ଟି କରିବ। କିନ୍ତୁ ଭାରତରେ ରହି କ’ଣ ଆପଣ ଏହି ଦୃଶ୍ୟକୁ ଦେଖିପାରିବେ କି? ତାହା ଜାଣିବା ଲାଗି ଦେଖନ୍ତୁ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଆସିବା ବେଳେ ପୃଥିବୀର କେଉଁ ଭାଗ ସୂର୍ଯ୍ୟ ଆଡକୁ ମୁହଁ କରିଥିବ ।
କାରଣ ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଆସେ ସେତେବେଳେ ହିଁ ସୂର୍ଯ୍ୟପରାଗ ହୁଏ, ଯାହା ଫଳରେ ପୃଥିବୀ ପୃଷ୍ଠର କିଛି ଅଂଶରେ ଛାଇ ସୃଷ୍ଟି କରେ। ସେପ୍ଟେମ୍ବର 21ର ସୂର୍ଯ୍ୟ ପରାଗ ବିଶେଷକରି ଦକ୍ଷିଣ ଗୋଲାର୍ଦ୍ଧର ସାମୁଦ୍ରିକ ଅଞ୍ଚଳ ଏବଂ ଛୋଟ ଦ୍ୱୀପ ଦେଶଗୁଡ଼ିକରେ ସର୍ବୋତ୍ତମ ଦୃଶ୍ୟ ହେବ । ନ୍ୟୁଜିଲ୍ୟାଣ୍ଡ, ପୂର୍ବ ଅଷ୍ଟ୍ରେଲିଆର କିଛି ଅଂଶ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଆଇସଲ୍ୟାଣ୍ଡ, ଆଣ୍ଟାର୍କଟିକାର କିଛି ଅଞ୍ଚଳର ଲୋକେ ଏହାକୁ ଅଧିକ ଭଲ ଭାବେ ଦେଖିପାରିବେ । କିନ୍ତୁ ଏହି ମହାଜାଗତିକ ଦୃଶ୍ୟକୁ ଦେଖିବାରୁ ଏଥର ବଞ୍ଚିତ ହେବେ, ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକରେ ରହୁଥିବା ଲୋକେ । ବିଶେଷକରି ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ଆଫଗାନିସ୍ତାନ ସମେତ ଭାରତରେ ମଧ୍ୟ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନାହିଁ। ଏହି ଆଂଶିକ ସୂର୍ଯ୍ୟ ପରାଗ ଦକ୍ଷିଣ ଏବଂ ଉତ୍ତର ଆମେରିକା ମହାଦେଶରେ ମଧ୍ୟ ଦୃଶ୍ୟମାନ ହେବ ନାହିଁ। ଯଦିଓ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ତଥାପି ମନ ଖରାପ କରନ୍ତୁ ନାହିଁ । କାରଣ ଟେକ୍ନୋଲୋଜି ଯୁଗରେ କିଛି ଅସମ୍ଭବ ନୁହେଁ । ଆପଣ ଭାରତରେ ଥାଇ ଏହାକୁ ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ କିମ୍ବା ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ପ୍ରସାରଣ ସେବା ମାଧ୍ୟମରେ ଦେଖିପାରିବେ। ଏହି ଲାଇଭ୍ ଷ୍ଟ୍ରିମିଂ ବୈଜ୍ଞାନିକ ଅଧ୍ୟୟନରେ ମଧ୍ୟ ସହାୟକ ହେବ।