ବଦଳୁଛି ଯୁଗ, ହେଲେ ବଦଳୁନି ଭାଗ୍ୟ । ଗରିବ ରୋଗୀ ପାଇଁ ଉତ୍ତମ ସ୍ବାସ୍ଥ୍ୟ ସେବା ଆଜିବି ଯେମିତି ସାତ ସପନ । ରୋଗ ଠାରୁ ବି ବଳି ପଡ଼ୁଛି ସ୍ବାସ୍ଥ୍ୟ ସେବାର ଯନ୍ତ୍ରଣା । ଡାକ୍ତରଖାନାର ବାରଣ୍ଡା ପାଲଟିଛି ବେଡ୍ । ହାତରେ ସାଲାଇନ ଧରି ଧାଡ଼ି ଧାଡ଼ି ହୋଇ ଦୁଇ କଡ଼ରେ ରୋଗୀ ଶୋଇ ରହିଛନ୍ତି। ସ୍ବାସ୍ଥ୍ୟ ସେବାରେ ଏ ବିକଳ ଚିତ୍ର ଦେଖିବାକୁ ମିଳିଛି ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ । ହସ୍ପିଟାଲରେ ଶଯ୍ୟା ଅଭାବ ଥିବାରୁ କେଉଁଠି ରୋଗୀ ତଳେ ଗଡୁଛନ୍ତି ତ ଆଉ କେଉଁଠି ଘଣ୍ଟା ଘଣ୍ଟା ଧରି ତଳେ ସାଲାଇନ ଧରି ବସି ରହୁଛନ୍ତି।
ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସ୍ବାସ୍ଥ୍ୟ ସେବା ଯୋଗାଉଛି ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ। କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ସହ କଳାହାଣ୍ଡି ଜିଲ୍ଲା ଏହା ଉପରେ ନିର୍ଭରଶୀଳ। ପ୍ରତିଦିନ ସକାଳୁ ବିଭିନ୍ନ ସ୍ଥାନରୁ ହଜାର ହଜାର ରୋଗୀ ଏଠାକୁ ଆସି ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ବିଭିନ୍ନ ଅଭିଜ୍ଞ ଡାକ୍ତର ସାଙ୍ଗକୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁ ବିଭିନ୍ନ ସମୟରେ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ରୋଗୀ ସଂଖ୍ୟା ଅନୁଯାୟୀ ଶଯ୍ୟା ଅଭାବ ଯୋଗୁ ବିଭିନ୍ନ ସମୟରେ ରୋଗୀମାନେ ତଳେ ଶୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଚଟାଣରେ ଶୋଇ ଗୁରୁତରଙ୍କୁ ଅକ୍ସିଜେନ ସହ ସାଲାଇନ ଦିଆଯାଉଥିବା ଦେଖିବାକୁ ମିଳୁଛି। ସେଠାରେ ରୋଗ ଠାରୁ ବଳି ପଡ଼ୁଛି ସ୍ବାସ୍ଥ୍ୟ ସେବାର ଯନ୍ତ୍ରଣା। ଫଳରେ ରୋଗୀ ବାଧ୍ୟ ହୋଇ ଘରୋଇ ହସ୍ପିଟାଲ ମୁହିଁ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଥିବା ନଜରକୁ ଆସୁଛି। ସେହିପରି ମେଡ଼ିସିନ ଗଚ୍ଛିତ ପାଇଁ ଗୋଦାମ ଘର ନଥିବାରୁ ପେଟି ପେଟି ଔଷଧ ବାକ୍ସ ଥାକ ମରାଯାଇ ରଖାଯାଇଛି ତ ପୁଣି କେଉଁଠି ଖୋଲା ମେଲାରେ ମେଡ଼ିସିନ ସହ ସାଲାଇନ ଗଡ଼ୁଛି। ମେଡିକାଲର ସର୍ଜରୀ ୱାର୍ଡ଼ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ହୋଇଥିବାରୁ ଯିବା ଆସିବା ସହ ଷ୍ଟ୍ରେଚରରେ ରୋଗୀକୁ ନେବା ଆଣିବା ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା କିଛି ରୋଗୀ ସମ୍ପର୍କୀୟ କହିଛନ୍ତି।
ଏନେଇ ରୋଗୀଙ୍କ ଆଟେଣ୍ଡାଣ୍ଟ କହିଛନ୍ତି, ଏସଏଲଏନ ମେଡିକାଲ କଲେଜ୍ ଓ ହସ୍ପିଟାଲର ପ୍ରାୟତଃ ବିଭାଗରେ ରୋଗୀକୁ ଶଯ୍ୟା ମିଳୁନାହିଁ। ଫଳରେ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ମାତୃ ଓ ଶିଶୁ ବିଭାଗ, ମେଡିସିନ ବିଭାଗ, ସର୍ଜରୀ ବିଭାଗରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ତେଣୁ ଅନେକ ରୋଗୀ ବାଧ୍ୟ ହୋଇ ଘରୋଇ ହସ୍ପିଟାଲକୁ ଯାଇ ଅଧିକ ଖର୍ଚ୍ଚ ହେଉଥିବା କହିଛନ୍ତି।
କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏଠାକାର ଆଦିବାସୀମାନେ ସରଳ। ତେଣୁ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁନଥିବାରୁ ମନମାନୀ କରୁଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ।
ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସି ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ୬୫୦ ବେଡ଼ ବିଶିଷ୍ଟ ନୂତନ କୋଠା ଶୁଭାରମ୍ଭ କରିଥିଲେ। କୋରାପୁଟରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନିଜ ଅଭିଭାଷଣରେ ଜିଲ୍ଲା ବାସୀଙ୍କୁ ଖୁସି ଖବର ଦେଇଥିଲେ। କିନ୍ତୁ ନୂତନ ମେଡିକାଲ କୋଠାରେ ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ଆରମ୍ଭ ହୋଇ ପାରିନାହିଁ। ଏହାର ମୁଖ୍ୟ କାରଣ ନୂତନ ନିର୍ମାଣଧୀନ ୬୫୦ ବେଡ଼ ମେଡିକାଲ କୋଠା ସମ୍ପୂର୍ଣ୍ଣ ହେବା ପୂର୍ବରୁ ତରବରିଆ ଭାବେ ଉଦଘାଟନ କରିବା, ନୂତନ ମେଡିକାଲ ଯିବାକୁ ରାସ୍ତା ନିର୍ମାଣ ହୋଇନଥିବା ସହ ନୂତନ ମେଡିକାଲ କୋଠାରେ ବିଭିନ୍ନ ସମସ୍ୟା ରହିଛି। ଅନ୍ୟପକ୍ଷରେ ନୂତନ କୋଠା କେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ତାହା କାହାରି ପାଖରେ ଉତ୍ତର ନାହିଁ। ଏନେଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସୁପରିଟେଣ୍ଡ ପ୍ରଫେସର ଡ଼ଃ ସୁଶାନ୍ତ କୁମାର ସାହୁଙ୍କୁ ଯୋଗାଯୋଗ ହୋଇ ନପାରିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ। ଅନ୍ୟପଟେ ନୂତନ କୋଠା ନିର୍ମାଣ ପରେ କେବେ ରୋଗୀ ସ୍ବାସ୍ଥ୍ୟସେବା ପାଇବେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ରଖାଯାଇଛି କିନ୍ତୁ ଦୁରଦୃଷ୍ଟି ଅଭାବ ସହ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଦଶା ଭୋଗୁଛନ୍ତି ସାଧାରଣ ଲୋକେ।