ଫଗୁଣ ଆଣିଛି ଉପହାର । ପୃଥିବୀ ନାଇଛି କାଶତଣ୍ଡିର ହାର । ସବୁଜିମା ଉପରେ ଶୁକ୍ଳ ପୁଷ୍ପର ସମ୍ଭାର । ସଜେଇ ହୋଇଛି ଏ ଧରାପୃଷ୍ଠ । କଅଁଳିଆ ଖରାରେ ଝଲସି ଉଠୁଛି ସାରା ଦିଗବଳୟ । ଆଉ ଦିନ କେଇଟାର ଅପେକ୍ଷା। ଧରାପୃଷ୍ଠକୁ ବିଜେ କରିବେ ମା’ ଜଗତ ଜନନୀ । ମା’ଙ୍କ ସ୍ବାଗତ ପାଇଁ ହିଁ ତ ଏତେସବୁ ଆଡମ୍ବର । ଚାରିଆଡେ ରହିଛି ପୂଜାର ମାହୋଲ, ପାର୍ବଣର ମହକ । କେଉଁଠି ମାଆଙ୍କ ମୂର୍ତ୍ତିକୁ କାରିଗର ତୂଳିରେ ଶେଷ ସ୍ପର୍ଶ ଦେଉଛନ୍ତି ତ ଆଉ କେଉଁଠି ଆଖି ଝଲସି ଉଠିବା ଭଳି ତୋରଣ ନିର୍ମାଣ ଚାଲିଛି । ଏ ନେଇ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମାଞ୍ଚଳାସହର। ପୂଜା ମଣ୍ଡପ ଗୁଡିକରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୂଜାକୁ ନେଇ ମଧ୍ୟ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ଶାରଦୀୟ ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଉଥିବା ବେଳେ ସବୁଆଡେ ଏବେ ଉତ୍ସାହ ଏବଂ ଆନନ୍ଦର ମାହୋଲ ରହିଛି। ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ସହରର ବିଭିନ୍ନ ଛକମାନଙ୍କରେ ବଡ଼ ବଡ଼ ତୋରଣ ଓ ଲାଇଟର ସାଜସଜ୍ଜାରେ ଲାଗିପଡ଼ିଛନ୍ତି ଅାୟୋଜକମାନେ। ପ୍ରତିବର୍ଷ ଭଳି ଏଥର ମଧ୍ୟ ମହା ଆଡ଼ମ୍ବରେ ମା’ ଜଗତ ଜନନୀଙ୍କୁ ସ୍ବାଗତ ଓ ବିଦାୟୀ ଦେବା ପାଇଁ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତ ଆରମ୍ଭ କରିସାରିଲାଣି।