ରୁପେଲି ପରଦାରେ ବେତାଳ ରିଟର୍ଣ୍ଣସ୍ । ହଁ ଆଜ୍ଞା ଏବେ ସିନେମା ହଲରେ ଧୁମାଲ ମଚାଇଛି ବେତାଳ । ହେଲେ ଏ ବେତାଳ ନା ଗଛରେ ଝୁଲି ରହୁଛି ନା ରାଜା ବିକ୍ରମଙ୍କ କାନ୍ଧରେ ସବାର ହେଉଛି । ବରଂ ନିଜର ପୂରା ସାମ୍ରାଜ୍ୟ ନେଇ କହୁଛି ଏକ କାହାଣୀ। ଏମିତି କାହାଣୀ ଯାହା ବ୍ରିଟିଶ ଅମଳରୁ ଆରମ୍ଭ କରି ଭାରତ ବିଭାଜନ ଓ ବର୍ତ୍ତମାନ ରିଲ୍ସ ଯୁଗ ସହିତ ଜଡିତ । ହଁ ଆଜ୍ଞା ସିନେମା ହଲରେ ମଙ୍ଗଳବାର ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ଥାମା ସମ୍ପୂର୍ଣ୍ଣ ଭାବେ ବେତାଳ ସାମ୍ରାଜ୍ୟ ଉପରେ ଆଧାରିତ । ଯାହାର ହର୍ତ୍ତାକର୍ତ୍ତା ଦୈବବିଧାତା ହେଉଛି ଥାମା । ଏହି ଥାମା ଭୂମିକାକୁ ଚିରାଚରିତ ଢଙ୍ଗରେ ଜୀବନ୍ତ କରିବାରେ ଇଞ୍ଚେବି ଏପଟସେପଟ କରିନାହାନ୍ତି ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଦିକି । ଭିଡିଓ କରି ସୋସିଆଲ ମିଡ଼ିଆରେ ପକାଇବା ନିଶାରେ ଘଞ୍ଚ ଜଙ୍ଗଲ ଭିତରେ ପ୍ରବେଶ କରିଯାଏ ଜଣେ ଯୁବକ । ଏକ ଆଦମଖୋର ଭାଲୁ ହାବୁଡ଼ରେ ପଡିବା ପରେ ଶେଷ ମୁହୂର୍ତ୍ତରେ ତାକୁ ରକ୍ଷା କରେ ଜଣେ ଯୁବତୀ । ହେଲେ ଏ ଯୁବତୀ ଅତି ଅସାଧାରଣ । ଯୁବକର ପ୍ରେମରେ ପଡ଼ିବା ପରେ ସେ ନିଜ ସମ୍ପ୍ରଦାୟର ସବୁ ନିୟମ ଭାଙ୍ଗିଦିଏ । ଏହି ଘଟଣା ପୂରା ବେତାଳ ସମାଜକୁ ଦୋହଲାଇ ଦିଏ । ପ୍ରେମରେ ପଡ଼ି ଯୁବକ ଜଣକ ସହ ସହରରେ ତା ଘରକୁ ଚାଲି ଆସିଥିବା ଏହି ଯୁବତୀଙ୍କୁ ଖୋଜିବାକୁ ବାହାରି ପଡେ ବେତାଳ ସମାଜର ଏକ ଦଳ । ଆଉ ତାପରେ ଆରମ୍ଭ ହୁଏ ଫିଲ୍ମର ଅସଲ କ୍ରିମ ପାର୍ଟ । କାରଣ ଯୁବକ ଜଣକ ସାଧାରଣ ମଣିଷ ହୋଇଥିବା ବେଳେ ଯୁବତୀ ଜଣେ ବେତାଳ । ଦମଦାର ସସପେନ୍ସ, ଛାତିଥରା ହରର, ହସାଇ ହସାଇ ବେଦମ କରିବା ଭଳି କମେଡି ଓ ହୃଦୟକୁ ଛୁଇଁ ଗଲା ଭଳି ରୋମାନ୍ସରେ ଭରପୂର ଏ କାହାଣୀ ଏକ କ୍ରାଉଡ ପୁଲର ଅଟେ । ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ମନ ଜିତିପାରିଛି ଫିଲ୍ମ ଥାମା । ତେବେ ରୂପେଲି ପରଦା ଉପରକୁ ଆସିବା ପୂର୍ବରୁ ହିଁ ଏହା ୫ କୋଟି ଟଙ୍କାର ଆଡଭାନ୍ସ ବୁକିଂ କରି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ସେଥିରେ ପୁଣି ଅଲଟାଇମ ଫେଭୋରାଇଟ, ଯେକୌଣସି ଚିରିତ୍ରକୁ ନିଖୁଣ ନିଭାଇବା ଭଳି ହ୍ୟାଣ୍ଡସମ ହଙ୍କ ଆୟୁସ୍ମାନ ଖୁରାନା ଏବଂ ତାଙ୍କ ସାଙ୍ଗକୁ ରହିଛନ୍ତି ସାଉଥ ସେନସେସନ ତଥା ନ୍ୟାସନାଲ କ୍ରସ ରସ୍ମିକା ମନ୍ଦାନା । ଉଭୟଙ୍କ ରୋମାନ୍ସ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସେପଟେ ପରେସ ରାଓ୍ବଲଙ୍କ ହସି ହସି ବେଦମ କରିବା ଭଳି କମେଡି ସାଙ୍ଗକୁ ରକ୍ତ ପିଆ ଭେଡିଆ ବେଶରେ ଅଭିନେତା ବରୁଣ ଧଓ୍ବନଙ୍କ ସ୍ପେଶାଲ ଏଣ୍ଟ୍ରି । ଦର୍ଶକଙ୍କ କରତାଳି ଓ ହୁଇସିଲରେ ହଲ ଫାଟିପଡିଛି । ହିନ୍ଦୀ ସିନେମାରେ ଏହା ସମ୍ଭବତଃ ବେତାଳ ସାମ୍ରାଜ୍ୟ ଉପରେ ଆଧାରିତ ପ୍ରଥମ ଫିଲ୍ମ, ଯାହାକି ବଳିଷ୍ଠ ଅଭିନୟ, ନିର୍ଦ୍ଦେଶନା, ସଙ୍ଗୀତ ଏବଂ ଏଡିଟିଂ ପାଇଁ ଦର୍ଶକଙ୍କ ଲାଗି ଫୁଲ ରୋମାନ୍ସ ହରର କମେଡିର ମସଲା ନେଇ ଆସିଛି । ପୂର୍ବରୁ ହରର ସିରିଜ୍ ଦେଇଥିବା ମଦୋକ ଫିଲ୍ମସର ପ୍ରଡକସନରେ ନିର୍ମିତ ଫିଲ୍ମ ଥାମାର ବେଲବାଲା ସୋସିଆଲ ସାଇଟରେ ପ୍ରଥମ ଦିନରୁ ହିଁ ରହିଥିବା ବେଳେ ଦର୍ଶକ ଏହାକୁ ୧୦ରୁ ୮ ରେଟିଂ ଦେଇଛନ୍ତି । ପ୍ରଥମ ଦିନରେ ୨୫ କୋଟିରୁ ଅଧିକ ଆୟ କରିଛି ଫିଲ୍ମ ଥାମା ।