୨୦୨୫ରେ ପାଦ ତଳେ ଚାପି ହୋଇ ଚାଲିଗଲାଣି ଶତାଧିକ ଜୀବନ । ମିଳିଥିବା ସୂଚନା ଅନୁସାରେ, ଦଳଚକଟାରେ ଏବର୍ଷ ପାଖାପାଖି ୧୧୪ ଜୀବନ ଦୀପ ଲିଭିଯାଇଛି । କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯକ୍ରମ ସମୟରେ ଭିଡ଼ ପରିଚାଳନା ପାଇଁ ଏନଡିଏମଏ ବା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ କେତେକ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ମାତ୍ର ଅବହେଳା ଓ ଉଦାସୀନତା କାରଣରୁ ତାହାର ସଫଳ ରୂପାୟନ ହୋଇପାରୁ ନାହିଁ । ଚାଲିଯାଉଛି ବହୁମୂଲ୍ୟ ଜୀବନ ।
ସିପିଆର ପରେ ଆମ୍ବୁଲାନ୍ସ ସାଇରନ । ତାହାରି ଭିତରେ ଜୀବନ ରକ୍ଷା କରିବାକୁ ଚାଲିଛି ଆପ୍ରାଣ ଉଦ୍ୟମ । ସେପଟେ ବୁହା ଚାଲିଛି ମୃତ ଦେହ । କେତେ କିଏ ମୁମୁର୍ଷ ତାହାର ହିସାବ ନାହିଁ । ଉଦ୍ଧାର ସରିଛି ପାଖାପାଖି ୧୦ ମୃତଦେହ । କାନ୍ଦବୋବାଳି ଆର୍ତ୍ତଚିତ୍କାରରେ ଫାଟିପଡୁଛି ଅଞ୍ଚଳ । ଆଜି ପବିତ୍ର ଏକାଦଶୀ ଅବସରରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ସ୍ଥିତ ପ୍ରଭୁ ସ୍ୱାମୀ ଭେଙ୍କଟେଶ୍ୱର ମନ୍ଦିରରୁ ଆସିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ ।
ଏଠାରେ ଘଟିଯାଇଛି ଭୟଙ୍କର ଦଳାଚକଟା । ପୁଣି ମୃତ୍ୟୁ କରିଛି ନଗ୍ନ ନୃତ୍ୟ । ଅପୂରଣୀୟ ରହିଯାଇଛି ଭେଙ୍କଟେଶ୍ବ ଦର୍ଶନର ଅଭିଳାଶା । ଦିଆଁ ଦର୍ଶନ ପାଇଁ ଯାଇ ୧୦ ଜଣଙ୍କ ଦେହାନ୍ତ । ଭିଡ଼ ପାଦ ତଳେ ଚାପି ହୋଇ ଚାଲିଯାଇଛି ଜୀବନ । ଉଜୁଡିଯାଇଛି ଅନେକଙ୍କ ସଂସାର । ଦଳାଚକଟାରେ ଶେଷନିଶ୍ବାସ ନେଇଛି ଏମାନଙ୍କ ପରିବାରର ଖୁସି । ରହିଯାଇଛି କେବଳ ଜୀବନ ଯାକର ଯନ୍ତ୍ରଣା । କାନ୍ଦ କଟାରେ ଫାଟିପଟୁଛି ଅଞ୍ଚଳ । ଏହା ହେଉଛି ସେହି ଛାତିଥରା ଦୃଶ୍ୟ, ଯେତେବେଳେ ଭେଙ୍କଟେଶ୍ୱର ସ୍ୱାମୀ ଙ୍କ ମନ୍ଦିରରେ ଘଟିଥିଲା ଦଳାଚକଟା । ଅଣନିଃଶ୍ବାସୀ ହୋଇ ମୂର୍ଚ୍ଛା ଯାଇଥିବା ଶ୍ରଦ୍ଧାଳୁଙ୍କୁ କିଏ ସିପିଆର ଦେଉଛନ୍ତି ତ ପୁଣି କିଏ ତାଙ୍କୁ ଅକ୍ସିଜେନ ଯୋଗାଇବାର ବ୍ୟବସ୍ଥା କରୁଛନ୍ତି । ଦଳାଚକଟାରେ ୧୦ ଜୀବନ ଯିବା ପରେ ତତ୍ପରତା ଦେଖାଇଛି ଶ୍ରୀକାକୁଲମ ପ୍ରଶାସନ ।
ଆଜି ପବିତ୍ର ଏକାଦଶୀ ପାଳନ ଅବସରରେ ଦର୍ଶନ କରିବାକୁ ଏହି ଧାର୍ମିକ ପୀଠରେ ଏକାଥରକେ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଏକାଠି ହୋଇଥିଲା । ସମସ୍ତେ ଶୀଘ୍ର ଶୀଘ୍ର ଦର୍ଶନ ସାରି ଫେରିଯିବାକୁ ଚାହୁଁଥିଲେ । ଫଳରେ ପ୍ରବଳ ଭିଡ଼ ଭିତରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଅସମ୍ଭବ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁ ନିଜକୁ ସମ୍ଭାଳିବାରେ ଅସମର୍ଥ ହୋଇ ତଳେ ପଡିଯାଇଥିଲେ । କୁହାଯାଉଛି ଯେ, ମନ୍ଦିର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ କେବଳ ଗୋଟିଏ ମାତ୍ର ପଥ ଥିଲା । ଫଳରେ ଶତାଧିକ ଶଦ୍ଧାଳୁ ଏକାସାଙ୍ଗରେ ଗୋଟିଏ ଦ୍ବାର ଦେଇ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଏହି ଦଳାଚକଟା ଘଟିଥିଲା ।
ସୂଚନା ଅନୁସାରେ, ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ପ୍ରଶାସନକୁ ଆଜିର କାର୍ଯ୍ୟକ୍ରମ ସମ୍ବନ୍ଧରେ କୌଣସି ସୂଚନା ଦିଆଯାଇ ନ ଥିଲା କି ଅନୁମତି ନିଆଯାଇ ନ ଥିଲା । ମନ୍ଦିରଟି ସ୍ବୟଂଚାଳିତ ହୋଇଥିବା ବେଳେ ଏହା ଦେବାଳୟ ବିଭାଗ ଅଧୀନରେ ନ ଥିବାରୁ ପ୍ରଶାସନ ନିକଟରେ ମଧ୍ୟ ଏହାର କୌଣସି ସୂଚନା ନଥିଲା । ଫଳରେ ଭିଡ଼ ପରିଚାଳନା ପାଇଁ ପୋଲିସ କିମ୍ବା ଜରୁରୀ ସେବା ବ୍ୟବସ୍ଥା ହୋଇ ନ ଥିଲା ।
ଏକ ନିର୍ମାଣଧୀନ ସ୍ଥାନରେ ହିଁ ଭକ୍ତଙ୍କ ଭିଡ଼ ବଢିଥିଲା । ତଳେ ମାଟି, ପଥର, ରଡ ପଡିଥିବା ବେଳେ ତାହା ଉପରେ ଚଡି ଶ୍ରଦ୍ଧାଳୁମାନେ ଆଗକୁ ବଢିବାକୁ ଉଦ୍ୟମ କରିଥିଲେ । ଫଳରେ ଜଣେ କାହାରି ଗୋଡ ଖସିଯିବାରୁ କିଛି ଲୋକ ତଳେ ପଡିଗଲେ। ଭିଡ଼ ବେକାବୁ ହୋଇପଡିଥିଲା । ଲୋକେ ନିଜକୁ ସୁରକ୍ଷିତ କରିବାକୁ ଦୌଡାଦୌଡି ଆରମ୍ଭ କରିଥିଲେ । ଆଉ ସେମାନଙ୍କ ପାଦ ତଳେ ଚାପି ହୋଇ ପ୍ରାଣ ହରାଇଥିବା ୧୦ ଶ୍ରଦ୍ଧାଳୁ । ମୃତକଙ୍କ ଭିତରେ ଅଛନ୍ତି ବୃଦ୍ଧା, ମହିଳା ଓ କିଛି ଯୁବକଯୁବତୀ ।
ଏଣୁ ନିଜେ ସଚେତନ ହୁଅନ୍ତୁ ବିପଦ ଏଡାନ୍ତୁ । ଭିଡ଼ ଅଧିକ ଥିଲେ ଆଗକୁ ବଢନ୍ତୁ ନାହିଁ । କଥାରେ ଅଛି ନା, ମନରେ ଭକ୍ତିଥିଲେ ଗାଡ଼ିଆ ମଧ୍ୟ ଗଙ୍ଗା ସଦୃଶ୍ ପ୍ରତୀତ ହୁଏ ।