ଜମମୁରେ ଚାଲିଥିବା ଜମ୍ମୁ ଓ କଶ୍ମୀର ପ୍ରିମିୟର ଲିଗ୍ (ଜେକେପିଏଲ) ଏବେ ଖେଳ ଅପେକ୍ଷା ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ଅଛି । ଗୋଟିଏ ମ୍ୟାଚ ସମୟରେ ଜଣେ ଖେଳାଳି ନିଜ ହେଲମେଟରେ ପାଲେଷ୍ଟାଇନର ପତାକା ମାରିଥିବା ଦେଖାଯିବା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା । ହେଲମେଟରେ ପାଲେଷ୍ଟାଇନ ପତାକା ଲଗାଇଥିବା ଖେଳାଳିଙ୍କ ନାଁ ହେଉଛି ଫରକାନ ଭଟ୍ ଓ ସେ ଜେକେ-୧୧ ପକ୍ଷରୁ ଖେଳନ୍ତି । ଗତକାଲି ଜେକେ-୧୧ ଓ ଜମ୍ମୁ ଟ୍ରେଲବ୍ଲେଜର୍ସ ମଧ୍ୟରେ ଚାଲିଥିବା ଏକ ମ୍ୟାଚ ବେଳେ ଫରକାନ ନିଜ ହେଲମେଟରେ ପାଲେଷ୍ଟାଇନ ପତାକାର ଷ୍ଟ୍ରିକର ମାରିଥିବା ଦେଖାଯାଇଥିଲା । ଏହି ଘଟଣା ଜଣାପଡ଼ିବା ପରେ ଜମ୍ମୁ ପୁଲିସ ଘଟଣାକୁ ସଂବେଦନଶୀଳ ମନେ କରି ତଦନ୍ତ ଆରମ୍ଭ କରିଛି। ଜମ୍ମୁର ଡୋମାନା ପୁଲିସ ଏହି ଖେଳାଳି ଓ ଆୟୋଜକଙ୍କୁ ଥାନାକୁ ଡାକି ପଚରାଉଚୁରା କରୁଛି । ପୁଲିସ ମୁଖ୍ୟତଃ ଜାଣିବାକୁ ଚେଷ୍ଟାଚଳାଇଛି ଯେ ଖେଳର ଆୟୋଜକମାନେ କ୍ରୀଡ଼ା ବ୍ୟତୀତ ଅନ୍ୟ କୌଣସି ପ୍ରକାରର ପ୍ରତୀକ ଲଗାଇବାକୁ ଅନୁମତି ଦେଇଥିଲେ କି ଅଥବା ସଂପୃକ୍ତ ଖେଳାଳି ଏପରି କୌଣସି ଅନୁମତି ମାଗିଥିଲେ କି ? କଣ ଏହି ଘଟଣା ଲିଗର ନିୟମାବଳୀ ଅନୁରୂପ ଥିଲା ? ଏହି ଘଟଣା ସଂବେଦନଶୀଳ ଥିବାରୁ ପୁଲିସ ସବୁ ଦିଗରୁ ତଦନ୍ତ ଚଳାଇଛି ।