
ଅଜିତ ପାଓ୍ବାର ଯିଏ ବିଦ୍ରୋହର ବହ୍ନିରେ ଉଜ୍ଜ୍ବଳ କରିଥିଲେ ରାଜନୈତିକ ସଫଳତାର ପଥ । ହଁ ଆଜ୍ଞା, ବିଦ୍ରୋହର ବୋମାରେ ମହାରାଷ୍ଟ୍ର ରାଜନୀତିରେ ଅନେକଥର ଧମାକା କରିଥିବା ଅଜିତ ପାଓ୍ବାର ବୁଧବାର ଏକ ବିମାନ ଦୁର୍ଘଟଣାର ବିସ୍ଫୋରଣ ପରେ ସବୁ ଦିନ ପାଇଁ ନିରବୀ ଯାଇଛନ୍ତି । ନିଜର ବିଦ୍ରୋହୀ ତେବର ଓ ବୋଲ୍ଡ ନିଷ୍ପତ୍ତି ଦ୍ବାରା ଅକସ୍ମାତ ସରକାରର ପଟ୍ଟ ପରିବର୍ତ୍ତନ କରିଦେଉଥିବା ଏ ଧୁରୀଣ ରାଜନେତା ଆଜି ଯେତେବେଳେ ବାରାମତି ଛାତିରେ ଚିର ବିଦାୟ ନେଉଥିଲେ, ସେତେବେଳେ ଖାଲି ପାଓ୍ବାର ପରିବାର ନୁହେଁ, ପୂରା ମହାରାଷ୍ଟ୍ର ଆଖିରୁ ଛାତି ଯାଏଁ ଓଦା ହୋଇଯାଇଥିଲା । ନିଜର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଦେବା ବେଳେ ଅଜିତ ପାଓ୍ବାର ଅମର ରହେର ସ୍ଲୋଗାନରେ ଫାଟି ପଡ଼ୁଥିଲା ବାରାମତିର ବାୟୁମଣ୍ଡଳ ।
ରାଜ୍ୟ ରାଜନୀତିର ଷ୍ଟାଲଓ୍ବାର୍ଟ ସରଦ ପାଓ୍ବାରଙ୍କ ବିରୋଧରେ ବିଦ୍ରୋହ କରି, ଏକଦା ଦେବେନ୍ଦ୍ର ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ଫେରିପାଇବାରେ ଲିଡ୍ ରୋଲ ନିଭାଇଥିଲେ ଅଜିତ ପାଓ୍ବାର । ତାଙ୍କ ଆନୁଗତ୍ୟକୁ ବିଜେପି ସରକାର ମଧ୍ୟ ପୂର୍ଣ୍ଣ ସମ୍ମାନ ପ୍ରଦାନ କରିଛି । ଦୁଇ ପୁଅ ପାର୍ଥ ଓ ଜୟ ପାଓ୍ବାରଙ୍କ ହାତରୁ ମୁଖାଗ୍ନି ପାଇ ସବୁ ଦିନ ପାଇଁ ଶୋଇଯାଇଛନ୍ତି ଏ କ୍ରାନ୍ତିକାରୀ ରାଜନୀତିଜ୍ଞ । କିନ୍ତୁ ଅଧୁରା ରହିଯାଇଛି ଅଜିତଙ୍କ ଅନେକ ସ୍ବପ୍ନ । ସେ ସ୍ବପ୍ନ ସବୁ କିଏ ପୂରଣ କରିବ ? ସବୁଠୁ ବଳି ଅଜିତଙ୍କ ଅବର୍ତ୍ତମାନରେ କିଏ ନେବ ଏନସିପିର ନେତୃତ୍ବ ? ବିଧାନସଭାରେ କିଏ କରିବା ୪୦ ଏନସିପି ବିଧାୟକଙ୍କୁ ଲିଡ୍? ସବୁ ବେଳେ ଦଳ ଓ ପରିବାରର ସୁରକ୍ଷା ପାଇଁ ଆଗଭର ରହିଆସିଥିବା ଅଜିତଙ୍କ ଦାଦା ଶରଦ ପାଓ୍ବାର କଣ ଏଥର ବି ଭୀସ୍ମ ପିତାମହର ଭୂମିକା ନିଭାଇବେ ? ନା ଅଜିତଙ୍କ ଉତ୍ତରାଧୀକାରୀ ହେବ ତାଙ୍କ ପତ୍ନୀ ତଥା ପୁତ୍ରଙ୍କ ମଧ୍ୟରୁ କେହି?
ସେପଟେ ଦାଦା ପୁତୁରାଙ୍କ ମଧ୍ୟରେ ମନମାଳିନ୍ୟ ଦୂର ହେବା ପରେ ଏନସିପିର ଦୁଇ ଗୋଷ୍ଠୀ ଆଗାମୀ ନିର୍ବାଚନ ପୂର୍ବରୁ ପୁନଃ ଏକଜୁଟ ହେବାକୁ ଯୋଜନା କରିଥିଲେ । ମାତ୍ର ଅଜିତଙ୍କ ପରଲୋକରେ ଉଭୟ ଗୋଷ୍ଠୀ ଏବେ ଶୋକରେ ଥିବା ବେଳେ ଫାଇଦା ଉଠାଇବ କି ବିଜେପି? ତେବେ ଅଜିତ ପାଓ୍ବାରଙ୍କ ସମର୍ଥକଙ୍କ ଆସ୍ଥା ଏବେ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସଦସ୍ୟ ସୁନେତ୍ରା ପାଓ୍ବାରଙ୍କ ଉପରେ ରହିଛି । ଆଗକୁ କଣ ହେବ ଏନସିପିର ଭାଗ୍ୟ ତାହା ଉପରେ ଏବେ ସଭିଙ୍କ ନଜର ।
