ରାୟଗଡା ଜିଲ୍ଲା ଆଜି ସାରା ରାଜ୍ୟ ପାଇଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ଏହି ଜିଲ୍ଲାରେ ୧୨,୭୮୩ଟି ଏସ୍ଏଚ୍ଜି ଜରିଆରେ ୧.୫୨ ଲକ୍ଷରୁ ଅଧିକ ମା ଓ ଭଉଣୀମାନେ ସଂଗଠିତ ହୋଇ ନିଜପାଇଁ ସୁନ୍ଦର ଭବିଷ୍ୟତ ଗଢୁଛନ୍ତି। ପୂର୍ବରୁ ଯେଉଁଠି ସୁଯୋଗର ଅଭାବ ଥିଲା, ମହିଳା ମାନଙ୍କ ସକ୍ରିୟ ଯୋଗଦାନ ଫଳରେ ଆଜି ସେଠି ସମ୍ଭାବନାର ନୂଆ ଦ୍ବାର ଖୋଲିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାୟଗଡା ଠାରେ ସୁଭଦ୍ରା ଶକ୍ତି ମେଳା ୨୦୨୬ ଉଦ୍ଘାଟନ ଅବସରରେ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଇଁ ୬୦୦ କୋଟିରୁ ଉର୍ଦ୍ଧ୍ବଟଙ୍କା ମୂଲ୍ୟର ୧୦୯ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୨୩୮ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୩୬୬ କୋଟିରୁ ଉର୍ଦ୍ଧ୍ବଟଙ୍କାର ୮୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର କରାଯାଇଛି। ଏସବୁ ପ୍ରକଳ୍ପ ମଧ୍ୟରେ ସଡକ, ସେତୁ, ସ୍ବାସ୍ଥ୍ୟସେବା, ବିଦ୍ୟାଳୟ, ମହିଳା ସଶକ୍ତିକରଣ ଭଳି ଅନେକ ଭିତ୍ତିଭୂମି ଉନ୍ନୟନ ମୂଳକ ପ୍ରକଳ୍ପ ରହିଛି। ଏଥିସହିତ ୩୭ କୋଟି ଟଙ୍କା ବିନିଯୋଗରେ ମା ମଝିଘରିଆଣୀ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି।
ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ଦାବୀ ଅନୁଯାୟୀ ଜିଲ୍ଲାର ସମସ୍ତ ବ୍ଲକରେ ଖୁବ୍ ଶୀଘ୍ର ଇନ୍ଡୋର୍ ଷ୍ଟାଡିୟମ୍ କାମ ଆରମ୍ଭ ହେବ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥାର ସୁଦୃଢୀକରଣ ହେବ ଏବଂ ରାୟଗଡାରେ ମେଡିକାଲ କଲେଜ୍ ସ୍ଥାପନ ପାଇଁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି ବୋଲି କହିଥିଲେ।
ଉପସ୍ଥିତ ନାରୀ ଶକ୍ତିଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାୟଗଡା ଜିଲ୍ଲାରେ ୨୦୨୫-୨୬ ଆର୍ଥିକ ବର୍ଷରେ ୪୨୧୭ଟି ଏସ୍ଏଚ୍ଜିକୁ ପାଖାପାଖି ୨୦୦ କୋଟି ଟଙ୍କାର ୠଣ ପ୍ରଦାନ କରାଯାଇଛି। ଜିଲ୍ଲାରେ ୯,୩୩୫ ଏସ୍ଏଚଜି ପାଇଁ ୧୪ କୋଟି ଟଙ୍କାର ରିଭଲ୍ଭିଙ୍ଗ ଫଣ୍ଡ ଯୋଗାଇଦିଆଯାଇଛି, ୧୬୪ଟି ଜିପିଏଲ୍ଏଫ୍କୁ ୫୩.୧୪ କୋଟି ଟଙ୍କାର କମ୍ୟୁନିଟି ଇନ୍ଭେଷ୍ଟମେଣ୍ଟ ଫଣ୍ଡ (ସିଆଇଏଫ) ପ୍ରଦାନ ଏବଂ ୪୧୯୫ଟି ଏସ୍ଏଚଜିକୁ ଜୀବନ ଜୀବିକା କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ୩୭.୫୫ କୋଟି ଟଙ୍କାର ୠଣ ପ୍ରଦାନ କରାଯାଇଛି।
ସେ ପୁଣି କହିଥିଲେ, ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍। ମହିଳା ଓ ଶିଶୁଙ୍କ ପାଇଁ ଏଥିରେ ୫ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ତୃଣମୂଳ ସ୍ତରରେ ମହିଳା ମାନଙ୍କ ଆର୍ଥିକ ଅଂଶ ଗ୍ରହଣକୁ ଆହୁରି ସୁଦୃଢ କରିବା ପାଇଁ ସ୍ବୟଂ ସହାୟକ ଉଦ୍ୟୋଗୀ ମାର୍ଟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଛି।