ମିଆଁମାରରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୦ ଥିଲା । ଏହାର ପ୍ରଭାବରେ ପଡ଼ୋଶୀ ଭାରତର ପଶ୍ଚିମବଙ୍ଗ ବିଶେଷ କରି କଲକାତାରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମ୍ୟାଁମାରର ମଗୱେ ଅଞ୍ଚଳରେ ଥିଲା ।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ରାତି ପ୍ରାୟ ୯ଟା ୫ ମିନିଟ ସମୟରେ ଏହି ଝଟକା ଲାଗିଥିଲା। ପ୍ରାୟ କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି କମ୍ପନ ଜାରି ରହିଥିଲା। ବିଶେଷ କରି କଲକାତାର ବଡ଼ ବଡ଼ ଆପାର୍ଟମେଣ୍ଟ ଓ ଅଫିସରେ ଥିବା ଲୋକମାନେ ତୁରନ୍ତ ବାହାରକୁ ପଳାଇ ଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା କେହି ଆହତ ହୋଇଥିବାର ଖବର ମିଳିନାହିଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ପୃଥିବୀ ତଳେ ଥିବା ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକ ଯେତେବେଳେ ପରସ୍ପର ସହ ଧକ୍କା ହୁଅନ୍ତି କିମ୍ବା ଘଷି ହୁଅନ୍ତି, ସେତେବେଳେ ଭୂକମ୍ପ ସୃଷ୍ଟି ହୁଏ। ଭାରତ-ମ୍ୟାଁମାର ସୀମାରେ ଥିବା ଇଣ୍ଡିଆନ୍ ପ୍ଲେଟ୍ ଏବଂ ୟୁରେସିଆନ୍ ପ୍ଲେଟ୍ ମଧ୍ୟରେ ଚଳପ୍ରଚଳ ହେତୁ ଏହି ଅଞ୍ଚଳରେ ପ୍ରାୟତଃ ଭୂକମ୍ପ ଦେଖିବାକୁ ମିଳେ। ମ୍ୟାଁମାର ପୂର୍ବରୁ ସୋମବାର ସକାଳେ କାଶ୍ମୀର ଘାଟିରେ ମଧ୍ୟ ୪.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ବାରାମୁଲ୍ଲା ଜିଲ୍ଲାର ପଟ୍ଟନ ଅଞ୍ଚଳ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ପ୍ରାୟ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଲୋକେ ଥରିଥିଲେ।