ଗୋଟିଏ ଝିଅର ଗର୍ବ, ସାହସ, ଆଦର୍ଶ ଓ ଶେଷ ଆଶ୍ରା ତାର ବାପା । ସାରା ଦୁନିଆ ଆଖିରେ ଚକମକ କରିବାକୁ ଯିଏ ନିଜ ପାଦ ଉପରେ ଝିଅର ପାଦ ରଖି ବାଟ କଢାଇ ନିଅନ୍ତି । ପୁଣି ସାରା ଦୁନିଆଠୁ ନିରାଶ ହୋଇଥିବା ଝିଅ ପାଇଁ ସାଜନ୍ତି ସବୁଠୁ ବଡ଼ ଆସ୍ରା । କିନ୍ତୁ ଆଜି ମୁଁ ଆପଣଙ୍କୁ ଯାହା କହିବାକୁ ଯାଉଛି ତାହା ଶୁଣିବା ପରେ ଆପଣ କହିବେ ଏମିତି ବାପା ଭଗବାନ କାହାରିକୁ ନ ଦିଅନ୍ତୁ ।
ମହାରାଷ୍ଟ୍ରରେ ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ଭୟଙ୍କର ବିମାନ ଦୁର୍ଘଟଣାରେ ଏନସିପି ମୁଖ୍ୟ ତଥା ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପାରଲୋକକୁ ନେଇ ସସ୍ପେନ୍ସ ଏବେବି ଲାଗି ରହିଥିବା ବେଳେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି ଆଉ ଏକ ଖବର । ନିର୍ବାଚନ ଲଢିବାର ନିଶା ଜଣେ ବ୍ୟକ୍ତିଙ୍କୁ ସଜାଇ ଦେଇଛି ନରହନ୍ତା ! ପଦ ପାଇଁ ପିତା ପାଲଟିଛି ପିଶାଚ ! ସରପଞ୍ଚ ନିର୍ବାଚନ ଲଢିବା ଲାଗି ଝିଅର ହତ୍ୟା କରିଛି ଜଣେ ସୈତାନ ପିତା !
ଏ ବ୍ୟକ୍ତି ହେଉଛନ୍ତି ନାନ୍ଦେଦ ଜିଲ୍ଲା ମୁଖେଡ ତାଲୁକା ଅନ୍ତର୍ଗତ କେରୁର ପଞ୍ଚାୟତର ପାଣ୍ଡୁରଙ୍ଗ କୋଣ୍ଡମାଙ୍ଗଲେ । ପାଣ୍ଡୁରଙ୍ଗଙ୍କ ଏ ପାପ କାହାଣୀ ଆରମ୍ଭ ହୋଇଥିଲା ଗତ ୬ ମାସ ପୂର୍ବେ, ଯେତେବେଳେ କେରୁରର ବର୍ତ୍ତମାନର ସରପଞ୍ଚ ଗଣେଶ ସିନ୍ଦେ ତାକୁ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଏଥିରେ ସବୁଠୁ ବଡ଼ ଅବରୋଧ ଥିଲେ ପାଣ୍ଡୁରଙ୍ଗର ପିଲାମାନେ । କାରଣ ପାଣ୍ଡୁରଙ୍ଗ ଥିଲା ତିନୋଟି ସନ୍ତାନର ପିତା । ଦୁଇ ଯାଆଁଳା ଝିଅ ଓ ଗୋଟିଏ ପୁଅର ବାପା । ନିର୍ବାଚନ କମିଶନ ନିୟମ ଅନୁସାରେ ପଞ୍ଜାୟତ ନିର୍ବାଚନ ଲଢିବା ଲାଗି ପ୍ରାର୍ଥୀଙ୍କର ଅତିବେଶୀରେ ଦୁଇଟି ସନ୍ତାନ ରହିବା ଆବଶ୍ୟକ । ଏଣୁ ସରକାରୀ ଦସ୍ତାବିଜରେ ନିଜର ସନ୍ତାନ ସଂଖ୍ୟା ଦୁଇ ଦେଖାଇବା ଲାଗି ଗଣେଶ ପରାମର୍ଶରେ ପାଣ୍ଡୁରାମ ତାର ଝିଅ ପ୍ରାଚୀକୁ ପୋଷ୍ୟ ସନ୍ତାନ ଭାବେ କାହାରିକୁ ଦାନ କରିବାକୁ ବହୁତ ଉଦ୍ୟମ କରିଥିଲା । ମାତ୍ର ପ୍ରାଚୀ କପାଳରେ ଏତେ ଭାଗ୍ୟ କି ଏତେ ଆୟୁଷ ଲେଖା ନ ଥିଲା । ବହୁତ ଚେଷ୍ଟା କରିବା ପରେ ପ୍ଲାନ ଫେଲ୍ ହେବାରୁ ଉଭୟ ମିଶି ପ୍ରାଚୀର ମର୍ଡର ପ୍ଲାନ କରିଥିଲେ । ଆଉ ଏ ପ୍ଲାନ ଏକଜିକ୍ୟୁଟ ହୋଇଥିଲା ତେଲଙ୍ଗାନାର ନିଜାମସାଗର କେନାଲରେ । ଗତ ଜାନୁଆରୀ ୨୯ରେ ଝିଅକୁ ବାଇକ୍ରେ ତେଲଙ୍ଗାନା ଆଣି ଏହି କେନାଲରେ ଧକ୍କା ଦେଇ ଚାଲିଯାଇଥିଲା ପାଣ୍ଡୁରଙ୍ଗ ।
ହେଲେ ତାର ଏ ଅପରାଧ ତାକୁ ସରପଞ୍ଚ ପଦ ପର୍ଯ୍ୟନ୍ତ ବାଟ କଢାଇବା ପରିବର୍ତ୍ତେ ଜେଲ୍ରେ ପହଞ୍ଚାଇ ଦେଇଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବୋଧାନ ପୋଲିସ ନିଜାମସାଗର କେନାଲରୁ ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଥିଲା । ଜଣେ କନଷ୍ଟେବଳ ମୃତଦେହର ଫଟୋ ହ୍ବାଟସଆପ ଷ୍ଟାଟଅପ ମେସେଜରେ ରଖି ଅଜ୍ଞାତ ଝିଅଟିର ପରିଚୟ ବିଷୟରେ ସୂଚନା ପଚାରିଥିଲେ । ଅନ୍ୟାନ୍ୟ ଥାନାକୁ ମଧ୍ୟ ଏହି ଫଟୋ ପଠାଯାଇଥିଲା । ଯାହାକୁ ଦେଖିବା ପରେ ମହାରାଷ୍ଟ୍ର ମୁଖେଦ ତାଲୁକା ପୋଲିସ ବୋଧାନ ପୋଲିସ ସହ ଯୋଗାଯୋଗ କରି ପ୍ରାଚୀର ମୃତଦେହ ଚିହ୍ନଟ କରିଥିଲା । ପ୍ରାଚୀ କିଛି ଦିନଧରି ନିଖୋଜ ଥିବାରୁ ବୋଧାନ ପୋଲିସ ତାର ସନ୍ଧାନ କରୁଥିଲା । ପ୍ରାଚୀ ମୃତ ବୋଲି ଜଣାପଡିବା ବୋଧାନ ପୋଲିସ ତାର ବାପା ପାଣ୍ଡୁରଙ୍ଗକୁ ଡାକି ପଚରାଉଚରା କରିଥିଲା । ମାତ୍ର ନିଜର ପାପା ଲୁଚାଇବାକୁ ଉଦ୍ୟମ କରୁଥିବା ପାଣ୍ଡୁରାମର ଶବ୍ଦ କିନ୍ତୁ ତାର ସାଥ ଦେଇ ନ ଥିଲେ । ତାର ବୟାନରେ ତାଳମେଳ ରହୁ ନ ଥିବାରୁ, ସେ ପ୍ରାଚୀର ହତ୍ୟା କରିଥାଇପାରେ ବୋଲି ପୋଲିସ ସନ୍ଦେହ କରିଥିଲା । ଶେଷରେ ପୋଲିସର ଶକ୍ତି ସମ୍ମୁଖରେ ହାର ମାନିଥିଲା ସୈତାନ ବାପାର ମିଛ । ଝିଅର ମର୍ଡର ପ୍ଲଟକୁ ସ୍ବୀକାର କରିଥିଲା ପାଣ୍ଡୁରାମ । ସମାଜରେ ସଂସ୍କାର ଆଣିବା ଓ ସମାଜବାସୀଙ୍କ ସେବା ପାଇଁ ରାଜନୀତି ଓ ନିର୍ବାଚନର ବ୍ୟବସ୍ଥା ଉଦ୍ଦିଷ୍ଟ । କିନ୍ତୁ କ୍ଷମତା ଲୋଭରେ ଜଣେ ବାପା ଯେ ଏମିତି ଅନ୍ଧ ହୋଇଯାଇପାରେ ଏ ଘଟଣା ତାର ଜ୍ବଳନ୍ତ ଉଦାହାରଣ ।