ଗୁରୁବାର ଭୁବନେଶ୍ବରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୬୦୦ ଟଙ୍କା ହ୍ରାସ ପାଇ ୧,୪୧,୫୫୦ ଟଙ୍କା ହୋଇଛି। ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦୨୦ ଟଙ୍କା ହ୍ରାସ ଘଟି ୧,୫୪,୪୨୦ ଟଙ୍କାରେ ପହଞ୍ଚିଛି। ରୁପା କେଜି ୨୦ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷକୁ ଖସିଆସିଛି।ତେବେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ)ରେ ମଧ୍ୟ ରୁପା ଦାମ୍ କେଜି ପ୍ରତି ୨୫,୮୪୪ ଟଙ୍କା ହ୍ରାସ ପାଇ ୨,୪୩,୦୦୬ ଟଙ୍କା ହୋଇଯାଇଛି। ସେହିପରି ଏପ୍ରିଲ୍ ଡେଲିଭରି ପାଇଁ ସୁନାର ଫ୍ୟୁଚର୍ ୪୫୯୧ ଟଙ୍କା ହ୍ରାସ ପାଇ ୧,୪୮,୪୫୫ ଟଙ୍କା ହୋଇଛି। ବର୍ତ୍ତମାନ ବିଶ୍ବବ୍ୟାପୀ ଉଭୟ ସୁନା ଓ ରୁପା ଦରରେ ଅସ୍ଥିରତା ରହିଛି। କିଛି ଦିନ ମଧ୍ୟରେ ସୁନାର ଆଉନ୍ସ ପିଛା ଦର ୪୪୦୦ ଡଲାର ଓ ରୁପାର ଆଉନ୍ସ ପିଛା ଦର ୭୧ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇବା ଆଶା କରାଯାଉଛି।