ବଡ଼ ହିରୋଇନ୍, ବଡ଼ ବ୍ୟାନର ଓ ପିଲାଚୋରୀ ! ସିନେମା ଘରେ ବର୍ଡର-୨ ଭଳି ମେଗା ଫିଲ୍ମକୁ ଟକ୍କର ଦେଉଥିବା ଫିଲ୍ମ ‘ମର୍ଦ୍ଦାନୀ-୩’ ଏବେ ବିବାଦ ଘେରକୁ ଚାଲି ଆସିଛି । ଚାଇଲ୍ଡ କିଡ଼ନାପିଂ ଓ ଚାଇଲ୍ଡ ଟ୍ରାଫିକିଂ ଉପରେ ଆଧାରିତ ଏ ଫିଲ୍ମ ନାଁରେ ଲାଗିଛି ସାଙ୍ଘାତିକ ଅଭିଯୋଗ । ସମ୍ମୁଖକୁ ଆସିଛି ଦିଲ୍ଲୀରେ ୧୫ ଦିନରେ ୮୦୭ ନିଖୋଜ ଘଟଣା ସହ ସୁପରଷ୍ଟାର ରାଣୀ ମୁଖାର୍ଜୀଙ୍କ ଅଭିନୀତ ମର୍ଦ୍ଦନୀ-3ର ଲିଙ୍କ୍ । ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଚାଲିଛି ଯେ, କାଳେ ଫିଲ୍ମ ପ୍ରମୋସନ ପାଇଁ କରାଯାଇଛି ଏଭଳି ଫେକ୍ ନ୍ୟୁଜର ପ୍ରଚାର ଏକ ନୂଆ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ଶହଶହ ପିଲା ଚୋରୀର ଏ ଖବର କେବଳ ଏକ ଗୁଜବ, ଯାହାକୁ ରାଣୀ ମୁଖାର୍ଜୀଙ୍କ ଫିଲ୍ମର ପ୍ରମୋସନ ପାଇଁ ଭାଇରାଲ କରାଯାଇଛି । କିନ୍ତୁ ବାସ୍ତବରେ କ’ଣ ଫିଲ୍ମ ପ୍ରମୋସନ ପାଇଁ କେହି କେବେ ଏଭଳି ସମ୍ବେଦନଶୀଳ ଖବର ଭାଇରାଲ କରିପାରେ ନା ବାସ୍ତବରେ ଦିଲ୍ଲୀର ଗଳିକନ୍ଦିର ବୁଲୁଛନ୍ତି ପିଲାଚୋର । କଣ କହୁଛି ଦିଲ୍ଲୀ ପୋଲିସ? ନମସ୍କାର, ଆଜିର ରିପୋର୍ଟରେ ଆମେ ଆପଣଙ୍କୁ ଦେଖାଇବୁ ଦିଲ୍ଲୀରେ ପିଲାଚୋରୀର ପଛର ଗୋଟି ଗୋଟି ସତ…
ଦର୍ଶକବନ୍ଧୁ ଭୁବନେଶ୍ବର ଛାତିରେ ଦୃଷ୍ଟିବାଧିତ ମା’ କୋଳରୁ ଛୁଆ ଚୋରୀj ଛାତିଥରା ଘଟଣାକୁ ଓଡ଼ିଶାବାସୀ ଏବେବି ଭୁଲି ନାହାନ୍ତି ସେ । ଏମିତିରେ ମନରେ କୋକୁଆ ଭୟ ସୃଷ୍ଟି କରିଛି ଦିଲ୍ଲୀରୁ ୮୦୭ ଜଣ ନିଖୋଜ ହେବା ଖବର । ଜଣେ ନୁହେଁ କି ଦୁଇ ଜଣ ନୁହେଁ, ମାତ୍ର ୧୫ ଦିନ ଭିତରେ ଶହଶହ ନିଖୋଜ । କେଉଁଆଡ଼ ଗଲେ, କିଏ ନେଇ ଗଲା, ଭୂମି ଗିଳିଗଲା ନା ଆକାଶରେ ଉଭାନ ହୋଇଗଲେ, ତାର କିଛି ବି ସୁରାଗ ନାହିଁ । ଦୈନିକ ୫୪ ଜଣଙ୍କୁ କିଡ଼ନାପ କରାଯାଇଛି । ଜଣେ ହୁଅନ୍ତୁ କି, ଶହେ ଜଣ । କିଡନାପ କେସ୍ରେ ପୋଲିସ ସାଧାରଣତଃ ଆକ୍ଟିଭ ମୋଡକୁ ଆସିଥାଏ । ଏମିତି କ’ଣ ହେଲା ଯେ ଦିଲ୍ଲୀ ପୋଲିସ ନାକ ତଳେ ସିରିଜ୍ କିଡ଼ନାପ କାଣ୍ଡ ଘଟିଗଲା ଏବଂ କାହାରିକୁ କାନକୁ କାନ ଖବର ବି ହେଲା ନାହିଁ । ଏତେଗୁଡେ ଲୋକ କିଡ଼ନାପ ହେବା ଘଟଣାକୁ ଏ ଭିତରେ ଏକ ମାସରୁ ଅଧିକ ସମୟ ବିତିବାକୁ ବସିଲାଣି ଅଥଚ କିଡନାପରଙ୍କ ଟେର ପାଉନାହିଁ ପୋଲିସ । ଏ ଭିତରେ ଦିଲ୍ଲୀ ପୋଲିସର ବୟାନ ମଧ୍ୟ ସମ୍ମୁଖକୁ ଆସିଯାଇଛି । ଦିଲ୍ଲୀ ପୋଲିସ ଅନୁସାରେ ରାଷ୍ଟ୍ରୀୟ ରାଜଧାନୀରେ କିଡନାପିଂ କେସରେ ସେଭଳି କିଛି ବୃଦ୍ଧି ଘଟିନାହିଁ । ପୁରୁଣା ସଂଖ୍ୟାକୁ ମିଶାଇ କୁହାଯାଉଛି ଅଥବା କିଛି ପିତାମାତା ପିଲା ମିଳିଯିବା ପରେ ଆଉ ପୋଲିସରେ ଖବର ଦେଉନାହାନ୍ତି । ଶୁଣନ୍ତୁ କ’ଣ କହିଛନ୍ତି ଦିଲ୍ଲୀ ଜଏଣ୍ଟ କମିଶନର ସଞ୍ଜୟ ତ୍ୟାଗୀ …
ବାଇଟ:
ଶହଶହ ପିଲା ମିସିଂ ଖବର ଆତଙ୍କ ଖେଳାଇଥିବା ବେଳେ ଏହି ଚାଇଲ୍ଡ ଟ୍ରାଫିକିଂ ଉପରେ ଆଧାରିତ ଫିଲ୍ମ ମର୍ଦ୍ଦାନୀ-୩ ସିନେମାଘରେ ଧୁମ ମଚାଇଛି । ବର୍ଡର-୨ ସମ୍ମୁଖରେ ଆଚ୍ଛାଖାସା ଫିଲ୍ମ ମୁହଁ କଚାଡି ପଡୁଥିବା ବେଳେ ମର୍ଦ୍ଦାନୀ-୩ କିନ୍ତୁ ଦେଉଛି ଟକ୍କର । ଏମିତିରେ ସୋସଇଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, କିଛି ନୁହେଁ, ମର୍ଦ୍ଦାନୀ-୩କୁ ବର୍ଡର-୨ର ଝଡ଼ରୁ ବଞ୍ଚାଇବା ଲାଗି ଦିଲ୍ଲୀରେ ଶହଶହ ଲୋକଙ୍କ କିଡ଼ନାପିଂର ଖବର ଭାଇରାଲ କରାଯାଇଛି । ଯାହାଦ୍ବାରା ମର୍ଦ୍ଦାନୀ-୩ର ଆଚ୍ଛାଖାସା ପ୍ରମୋସନ ହୋଇପାରିଛି । ଏ ଗୁଜବ ମର୍ଦ୍ଦାନୀ-୩ ପାଇଁ ଲୋକଙ୍କୁ ସିନେମା ଘରକୁ ଟାଣିଛି । ଏଭଳି ଗୁଜବ ପ୍ରଚାର ପଛର କାରଣ ହେଲା, ଦିଲ୍ଲୀରେ କିଡନାପିଂକୁ ନେଇ ଏ ଖବର ଠିକ ସେହି ଦିନ ପିଟିଆଇ ପ୍ରକାଶ କରିଥିଲା, ଯେଉଁ ଦିନ ମର୍ଦ୍ଦାନୀ ୩ ରିଲିଜ ହୋଇଥିଲା । କିନ୍ତୁ ଫିଲ୍ମର ପ୍ରଡ଼କସନ କମ୍ପାନୀ ୟଶରାଜ ଫିଲ୍ମସ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ୟଶରାଜ ଫିଲ୍ମସ ଏକ ପୁରୁଣା, ଖ୍ୟାତିସମ୍ପନ୍ନ ଏବଂ ଦାୟିତ୍ବବାନ କମ୍ପାନୀ । ଫିଲ୍ମ ପ୍ରମୋସନ ପାଇଁ କମ୍ପାନୀ କୌଣସି ପେଡ୍ ମିଡିଆକୁ ବ୍ୟବହାର କରିନାହିଁ । ଯଦି କେହି ନିଜର ସ୍ବାର୍ଥ ପାଇଁ ଏଭଳି କରିଥାଆନ୍ତି ତେବେ ଏହା ନିନ୍ଦନୀୟ ବୋଲି କମ୍ପାନୀ କହିଛି ।
ତେବେ ଦିଲ୍ଲୀରେ ୧୫ ଦିନରେ ୮୦୭ ଲୋକ ନିଖୋଜ ଖବର ଭାଇରାଲକୁ ନେଇ ନିଜ ନିଜ ପକ୍ଷ ରଖି ଉଭୟ ଦିଲ୍ଲୀ ପୋଲିସ ଏବଂ ୟଶରାଜ କମ୍ପାନୀ ପଲ୍ଲା ଝାଡିବାକୁ ଉଦ୍ୟମ କରିଛନ୍ତି । ମାତ୍ର ଏ ପୂରା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । କାରଣ ଗୋଟିଏ ପଟେ ଦିଲ୍ଲୀରେ କିଡନାପିଂ କେସରେ ସେଭଳି ବୃଦ୍ଧି ଘଟି ନ ଥିବା ସ୍ଥାନୀୟ ପୋଲିସ କହୁଥିବା ବେଳେ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଶେୟାର କରିଛି । ଯାହା ଅନୁସାରେ ଦିଲ୍ଲୀରେ ପ୍ରତିବର୍ଷ ୨୦୦୦ରୁ ଅଧିକ କିଡ଼ନାପିଂ ହୋଇଥାଏ । ଅନ୍ୟପଟେ ଯଦି ଭାଇରାଲ ହେଉଥିବା କିଡନାପିଂ ଖବର ମିଛ ଏବଂ ଜାଣିଶୁଣି ଏହାକୁ ଭାଇରାଲ କରାଯାଇଛି, ତେବେ ପୋଲିସ ତାହା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ଅନ୍ୟପଟେ ପିଲା ଚୋରୀ ଏବଂ କିଡନାପିଂକୁ ନେଇ ପ୍ରତିଦିନ ସମ୍ମୁଖକୁ ଆସୁଥିବା ରିପୋର୍ଟ ଓ ଭିଡିଓ କଣ ବାସ୍ତବରେ ମିଛ ?
କ’ଣ ରହିଛି ଦିଲ୍ଲୀରେ କିଡ଼ନାପିଂ ପଛର ସତ? ଆସନ୍ତୁ ତାହାର ସାମାନ୍ୟ ବିଶ୍ଲେଷଣ କରିବା । ନଜର ପକାଇବା ଦିଲ୍ଲୀ ପୋଲିସ ଏବଂ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବିର ତଥ୍ୟ ଆଧାରରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଉପରେ … ଦିଲ୍ଲୀ ପୋଲିସର ତଥ୍ୟ ଅନୁଯାୟୀ, 2019 ଜାନୁଆରୀ 1 ରୁ ଡିସେମ୍ବର 31 ମଧ୍ୟରେ 5412 ପିଲା ନିଖୋଜ ହୋଇଥିବା ରିପୋର୍ଟ କରାଯାଇଥିଲା, ଯାହା ମଧ୍ୟରୁ 3336 ଜଣଙ୍କୁ ଠାବ କରାଯାଇଥିଲା । 2020 ରେ, ଅତି କମରେ 4297 ପିଲା ନିଖୋଜ ହୋଇଥିବା ରିପୋର୍ଟ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ 4052 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେହିଭଳି ଯଦି 2023 କଥା କହିବା ତେବେ ସେବର୍ଷ ୫,୭୧୫ଟି ଅପହରଣ ମାମଲା ଦିଲ୍ଲୀରେ ରୁଜୁ ହୋଇଥିଲା, ଯାହାକି ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ତୁଳନାରେ ସର୍ବାଧିକ ଥିଲା । ଯଦି ବାସ୍ତବରେ ଦିଲ୍ଲୀରେ ବର୍ଷକୁ ଏତେ ସଂଖ୍ୟାରେ ଲୋକେ ନିଖୋଜ ହେଉଛନ୍ତି ତା’ ହେଲେ ପୋଲିସ କରୁଛି କ’ଣ? ପୋଲିସ ଅନୁସାରେ ଅଧିକାଂଶ କ୍ଷେତ୍ରରେ ପିଲା ମିଳିଯିବା ପରେ ପରିବାର ଲୋକେ ପୋଲିସକୁ ଆଉ ଅବଗତ କରୁନାହାନ୍ତି । ମାତ୍ର ବର୍ଷ ଶେଷ ହେବା ପୂର୍ବରୁ ଅପରାଧର ଏ ରେକର୍ଡ କ୍ଲୋଜ କରିବା କାହାର ଦାୟିତ୍ବ?