4️⃣ କାବୁଲ–କାନ୍ଦାହାରରେ ବିସ୍ଫୋରଣ! Pakistan-Taliban Conflict Gets Bigger
ସୀମା ସଂଘର୍ଷ ନେଲା ଯୁଦ୍ଧର ରୂପ
ପାକିସ୍ତାନର କଡ଼ା ସନ୍ଦେଶ ପରେ ବୋମା ମାଡ଼
ଦକ୍ଷିଣ ଏସିଆରେ ବଢ଼ିଲା ଉତ୍ତେଜନା
ନୂଆଦିଲ୍ଲୀ: ଆଫଗାନିସ୍ତାନର ତାଲିବାନ ସରକାର ବିରୋଧରେ ପାକିସ୍ତାନର ଯୁଦ୍ଧ ଘୋଷଣା। ପାକିସ୍ତାନର ବିମାନ ଆକ୍ରମଣରେ କମ୍ପିଛି କାବୁଲ, କାନ୍ଦାହାର ଏବଂ ପାକଟିଆ ସମେତ ଆଫଗାନିସ୍ତାନର ବିଭିନ୍ନ ସହର । ସୀମାରେ ମାସ ମାସ ଧରି ହିଂସା ଏବଂ ଉତ୍ତେଜନା ସାଙ୍ଗକୁ ଉଭୟ ପଡ଼ୋଶୀ ଦେଶ ମଧ୍ୟରେ ବିମାନ ଆକ୍ରମଣ ଓ ସୀମାପାର ଆକ୍ରମଣ ଲାଗି ରହିଥିଲା । ଯାହାକି ଇସଲାମାବାଦ ଏବଂ କାବୁଲ ମଧ୍ୟରେ ସମ୍ପର୍କକୁ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ନିମ୍ନସ୍ତରକୁ ଠେଲି ଦେଇଛି । ଏହାକୁ କେନ୍ଦ୍ର କରି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଶୁକ୍ରବାର ତାଲିବାନ ବିରୋଧରେ ‘ଖୋଲା ଯୁଦ୍ଧ’ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସେ ଲେଖିଛନ୍ତି, “ଆମର ଧର୍ଯ୍ୟ ସୀମାରେ ପହଞ୍ଚିଛି। ଏବେ ଏହା ଆମ ଏବଂ ତୁମ ମଧ୍ୟରେ ଖୋଲା ଯୁଦ୍ଧ।”
ରିପୋର୍ଟ ଅନୁସାରେ, ଆସିଫଙ୍କର ଏହି ଘୋଷଣା ପରେ ପରେ କାବୁଲ ଏବଂ କାନ୍ଦାହାର ଉପରେ ଜେଟ୍ ଉଡି ବୁଲିଥିଲା । ଏମିତିକି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିଚାଳନା ପରେ ଅନେକ ଜୋରଦାର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣାଯାଇଥିବା ସେଠାକାର ସାମ୍ବାଦିକମାନେ କହିଛନ୍ତି । ପାକିସ୍ତାନ ଏହି ଆକ୍ରମଣ କରିଥିବା ଆଫଗାନ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ନିଶ୍ଚିତ କରିଛନ୍ତି, କିନ୍ତୁ ଏଥିରେ କୌଣସି କ୍ଷତି ହୋଇନାହିଁ ବୋଲି ସେ କହିଛନ୍ତି ।
ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି କହିଛନ୍ତି ଯେ ଆଫଗାନ ସେନା ପାକିସ୍ତାନୀ ସୀମା ସୈନିକଙ୍କ ଉପରେ ଆକ୍ରମଣର “ଉଚିତ ଜବାବ” ସ୍ବରୂପ ପାକିସ୍ତାନର ସଶସ୍ତ୍ର ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ଏକ X ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, “ପାକିସ୍ତାନ ଶାନ୍ତି ଏବଂ କ୍ଷେତ୍ରୀୟ ଅଖଣ୍ଡତା ସହିତ ସାଲିସ କରିବ ନାହିଁ। ଆମର ସଶସ୍ତ୍ର ବାହିନୀର ପ୍ରତିକ୍ରିୟା ବ୍ୟାପକ ଏବଂ ନିର୍ଣ୍ଣାୟକ। ଯେଉଁମାନେ ଆମର ଶାନ୍ତିକୁ ଦୁର୍ବଳତା ବୋଲି ଭୁଲ କରନ୍ତି ସେମାନେ କଡ଼ା ଜବାବର ସମ୍ମୁଖୀନ ହେବେ ।”
ପାକିସ୍ତାନୀ ବିମାନ ଆକ୍ରମଣର ଜବାବରେ ଅଫଗାନ ପକ୍ଷରୁ ଗୁରୁବାର ବିଳମ୍ବିତ ସୀମାପାର ଆକ୍ରମଣ ଆରମ୍ଭ କରିଥିବା, ଆଫଗାନ ଅଧିକାରୀ କହିଛନ୍ତି । ମାତ୍ର ପାକିସ୍ତାନୀ ଅଧିକାରୀମାନେ ଏହି ଦାବିଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଉଲ୍ଲେଖ ଯେ, ପ୍ରଥମେ ଆଫଗାନ ସେନା ପାକିସ୍ତାନୀ ପୋଷ୍ଟ ଉପରେ ଗୁଳି ଚଳାଇବା ପରେ ପାର୍ବତ୍ୟ ସୀମାରେ ଘୋର ଯୁଦ୍ଧ ଆରମ୍ଭ ହୋଇଥିଲା, ଯାହା ପରେ ପାକିସ୍ତାନୀ ସୈନ୍ୟମାନେ ପ୍ରତିଶୋଧାତ୍କ ହମଲା କରିଥିଲେ। ଉଭୟ ପକ୍ଷ ବିରୋଧୀ ସାମରିକ ପୋଷ୍ଟଗୁଡ଼ିକୁ ନଷ୍ଟ କିମ୍ବା ଦଖଲ କରିଥିବା ଦାବି କରିଥିଲେ।
ଦେଶର କ୍ଷେତ୍ରୀୟ ଅଖଣ୍ଡତା ଏବଂ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ “ସମସ୍ତ ଆବଶ୍ୟକୀୟ ପଦକ୍ଷେପ” ଗ୍ରହଣ କରାଯିବ ବୋଲି ପାକିସ୍ତାନ କହିଛି। ଉଭୟ ପକ୍ଷରୁ ଗୁଳି ଓ ବୋମା ବର୍ଷା କରାଯାଇଥିଲେ ମଧ୍ୟ ଦୁଇ ଦେଶ ପରସ୍ପରକୁ ଦୋଷାରୋପ କରୁଛନ୍ତି । ଏଥିସହ ଏହି ହମଲାରେ କେଉଁ ପକ୍ଷ କେତେ ଧନଜୀବନ ହରାଇଛି ତାହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ କରାଯାଉଛି । ଫଳରେ ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରି ନାହିଁ । ସେପଟେ ବିମାନ ଆକ୍ରମଣ କାରଣରୁ ସୀମାନ୍ତବର୍ତ୍ତୀ ବସିନ୍ଦା ଏବଂ ଶରଣାର୍ଥୀମାନେ ସେହି ସ୍ଥାନ ଛାଡିବାକୁ ବାଧ୍ୟ ହୋଇଛନ୍ତି ।
ଆଫଗାନିସ୍ତାନ- ପାକିସ୍ତାନ ବଡ଼ ଯୁଦ୍ଧ ଆଡକୁ ମୁହାଁଉଥିବା ବେଳେ ସଂଯମତା ରକ୍ଷା କରିବା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଉଭୟ ଦେଶକୁ ଅନୁରୋଧ କରିଛନ୍ତି । ଏଥିସହ ଉଭୟ ଦେଶକୁ ନାଗରିକମାନଙ୍କୁ ସୁରକ୍ଷା ଦେବା ଏବଂ କୂଟନୀତି ମାଧ୍ୟମରେ ମତଭେଦ ସମାଧାନ କରିବାକୁ ଆହ୍ୱାନ କରିଛନ୍ତି ।
ଆଞ୍ଚଳିକ ମଧ୍ୟସ୍ଥତାରେ ଯୁଦ୍ଧବିରତି ପ୍ରୟାସ ସତ୍ତ୍ୱେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଗତ କିଛି ମାସ ମଧ୍ୟରେ କ୍ରମାଗତ ଭାବରେ ଖରାପ ହୋଇଛି । କାରଣ ଇସଲାମାବାଦ ଆଫଗାନିସ୍ତାନ ଅଞ୍ଚଳରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା କାବୁଲକୁ ଅଭିଯୋଗ କରିଛି, ଏହି ଅଭିଯୋଗକୁ ତାଲିବାନ ସରକାର ଅସ୍ୱୀକାର କରିଛି।