ଆଗକୁ ଆସୁଛି ଗ୍ରୀଷ୍ମ ଋତୁ । ଗ୍ରୀଷ୍ମ ପ୍ରବାହରେ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ସୁବିଧା ଯୋଗାଇ ଦେବା ନିମନ୍ତେ ବିବିଧ ବ୍ୟବସ୍ଥା କରୁଛି ପ୍ରଶାସନ। ମଙ୍ଗଳବାର ଅପରାହ୍ନ ରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ପରିସରରେ ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ଶ୍ରଦ୍ଧାଳୁ ମାନେ ଯେପରି ଖରାରେ ହଇରାଣ ନହୋଇ ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ।ସମସ୍ତ ବିଭାଗ ଅତ୍ୟନ୍ତ ନିଷ୍ଠାର ସହ ସେମାନଙ୍କ ବିଭାଗର ଦାୟିତ୍ୱକୁ ସେଠାରେ ନିର୍ବାହ କରିବା ପାଇଁ ଜିଲ୍ଲାପାଳ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରୁ ବର୍ଷା ଋତୁ ପର୍ଯ୍ୟନ୍ତ ପାନୀୟ ଜଳର ବ୍ୟବସ୍ଥା ଓ ଜଳ ସିଞ୍ଚନ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଛାଇ ବ୍ୟବସ୍ଥା କରିବା, ପାନୀୟ ଜଳ ବ୍ୟବସ୍ଥା, ତଳେ ମ୍ୟାଟ ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା, ପରିଷ୍କାର ପରିଛନ୍ନତା ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ବେଚ୍ଛାସେବୀ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା। ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ଡାକବାଜି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ପରିବ୍ୟାପ୍ତ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ଯାହା ଫଳରେ ହଜିବା ବ୍ୟକ୍ତିଙ୍କୁ ଖୋଜୁଥିବା ଶ୍ରଦ୍ଧାଳୁ ମାନେ ଶିଘ୍ର ପାଇବା ସମ୍ଭବପର ହୋଇପାରିବ। ଏସ ପି ବିନୀତ ଅଗ୍ରୱାଲ ଆଇନ ଶୃଙ୍ଖଳା ରକ୍ଷା ସହ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପ୍ରତି ସମ୍ମିଳିତ ଭାବେ ଉଦ୍ୟମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ସାହୁ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା, ମନୀଷା ଷଡ଼ଙ୍ଗୀ, ମୁନିସିପାଲ୍ଟି ଏନଫୋର୍ସମେଣ୍ଟ ଅଫିସର ଦେବାଶିଷ ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।