ଜମ୍ମୁ: ଜାମ୍ମୁ କାଶ୍ମୀରର ରଜୌରୀଠାରେ ରହସ୍ୟମୟ ମୃତ୍ୟୁ ଘଟଣା ଉପରୁ ଉଠିଛି ପରଦା। କୌଣସି ଜୀବାଣୁ କି ଭୂତାଣୁ ସଂକ୍ରମଣ କାରଣରୁ ନୁହେଁ ବରଂ ବିଷକ୍ରିୟା କାରଣରୁ ଯାଇଛି ୧୭ ଜଣ ଲୋକଙ୍କ ଜୀବନ। ଗୁରୁବାର ଜାମ୍ମୁ କାଶ୍ମୀର ଗୃହ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏହା ଘୋଷଣା କରିଛନ୍ତି। ଏହା କି ପ୍ରକାରର ବିଷ ସେ ସମ୍ବନ୍ଧରେ ବିଶେଷ ଯାଞ୍ଚ ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା କି ପ୍ରକାରର ବିଷ ତାହାକୁ ଚିହ୍ନଟ ଉଦ୍ୟମ ଜାରି ରହିଛି। ତେବେ ଏହି ବିଷ ପ୍ରୟୋଗ ପଛରେ ଯଦି କାହାରି ଷଡ଼ଯନ୍ତ୍ର ପଦାକୁ ଆସେ ତାହାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ଲକ୍ଷ୍ନୌସ୍ଥିତ ସିଏସଆଇଆର ଲ୍ୟାବଠାରେ ଏହି ରହସ୍ୟଜନକ ମୃତ୍ୟୁ ସମ୍ବନ୍ଧରେ ପ୍ରାଥମିକ ଯାଞ୍ଚ କରାଯାଇଥିଲା। ଯେଉଁଥିରୁ ରହସ୍ୟଜନକ ମୃତ୍ୟୁ ପଛରେ କୌଣସି ଜୀବାଣୁ , ଭୂତାଣୁ କିମ୍ବା ବ୍ୟାକ୍ଟେରିଆଲ ସଂକ୍ରମଣ ନ ଥିବା ସ୍ପଷ୍ଟ ହୋଇଛି। ମାତ୍ର କିଛି ବିଷାକ୍ତ ପରୀକ୍ଷାରୁ ଚିହ୍ନଟ କରାଯାଇଛି। ଏହା କେଉଁ ବିଷ ଅଧିକ ପରୀକ୍ଷା ପରେ ସ୍ପଷ୍ଟ ହେବ। ଘଟଣାର ୩୬୦ ଡିଗ୍ରୀ ତଦନ୍ତ ତାଲିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ୨୦୨୪ ଡିସେମ୍ବର ୭ରୁ ଗତ ୧୦ ତାରିଖ ଯାଏଁ ୫୦ ଦିନ ଭିତରେ ୧୭ ଜଣ ସାଙ୍ଘାତିକ ଅସୁସ୍ଥ ହୋଇ ପ୍ରାଣ ହରାଇଥିବା ବେଳେ ମୃତ୍ୟୁର କାରଣ ରହସ୍ୟଜନକ ଥିଲା। ଏବେବି ଜଣେ ବ୍ୟକ୍ତି ଆକ୍ରାନ୍ତ ଥିବା ଜଣାପଡିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଏକ ସ୍ବତନ୍ତ୍ର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଛି।